Aamir Khan Marries Gauri Spratt: ତୃତୀୟ ଥର ପାଇଁ ବିବାହ କଲେ ଅମିର ଖାନ୍‌, ଫଟୋ ଭାଇରାଲ

Jul 05, 2026 - 15:55
Aamir Khan Marries Gauri Spratt: ତୃତୀୟ ଥର ପାଇଁ ବିବାହ କଲେ ଅମିର ଖାନ୍‌, ଫଟୋ ଭାଇରାଲ

ବଲିଉଡ ସୁପରଷ୍ଟାର ଅମିର ଖାନ୍ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ଦୀର୍ଘ ଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍‌ଙ୍କୁ ସେ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଆମିରଙ୍କ ବାସଭବନରେ ଅତି ସରଳ ଶୈଳୀରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। କୌଣସି ବଡ଼ ଆଡମ୍ବର ନୁହେଁ, ବରଂ ଆଇନଗତ ଭାବେ କୋର୍ଟ ପେପରରେ ଦସ୍ତଖତ କରି ଦୁହେଁ ପରସ୍ପରକୁ ଆପଣେଇଛନ୍ତି। ବିବାହ ପରେ ନବଦମ୍ପତିଙ୍କ ପ୍ରଥମ ଝଲକ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୬୧ ବର୍ଷୀୟ ଅଭିନେତା ଅମିର ଖାନ୍ ଏବଂ ବେଙ୍ଗାଲୁରୁର ଫ୍ୟାଶନ ତଥା ବିଉଟି ଏକ୍ସପର୍ଟ ଗୌରୀ ସ୍ପ୍ରାଟ୍ ପରସ୍ପରକୁ ପ୍ରାୟ ୨୫ ବର୍ଷ ହେବ ଜାଣିଥିଲେ ମଧ୍ୟ ଗତ ଦୁଇ ବର୍ଷ ଧରି ଡେଟ୍ କରୁଥିଲେ। ଗତ ଜୁନ୍ ୪ ତାରିଖରେ ଅମିର ନିଜ ବିବାହ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଜି ଜୁଲାଇ ୫ ତାରିଖରେ ଏହି ‘ଘରୋଇ ଉତ୍ସବ’ରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ ପ୍ରାୟ ୧୫୦ ଜଣ ନିକଟତର ଅତିଥି ଯୋଗ ଦେଇଥିଲେ। ଅମିରଙ୍କ ପିଆର୍ ଏଜେନ୍ସି ପକ୍ଷରୁ ସେମାନଙ୍କ ଲିଭିଂ ରୁମ୍‌ର ଏକ ସୁନ୍ଦର ଫଟୋ ଜାରି କରାଯାଇଛି, ଯେଉଁଠି ଦୁହେଁ ବିବାହ ପେପର ସାଇନ୍ କରୁଥିବାର ନଜର ଆସୁଛନ୍ତି। ଅମିର ଏକ ସରଳ କ୍ରିମ୍ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଗୌରୀ ଆଇଭରି ଲେସ୍ ସୁଟ୍‌ରେ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି।  

ଏହି ବିବାହର ସବୁଠାରୁ ସ୍ୱତନ୍ତ୍ର କଥା ଥିଲା ଯେ, ଏଥିରେ ଆମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ଦୁଇ ସନ୍ତାନ ଜୁନୈଦ୍ ଓ ଇରା, ଏବଂ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ପୁଅ ଆଜାଦ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହା ସହିତ ଗୌରୀଙ୍କ ୬ ବର୍ଷର ପୁଅ ମଧ୍ୟ ଏହି ଖୁସିର ମୁହୂର୍ତ୍ତରେ ସାମିଲ ହୋଇଥିଲା। ବିବାହ ପୂର୍ବରୁ ଆମିର କହିଥିଲେ, "୬୦ ବର୍ଷ ବୟସରେ ମୋତେ ବିବାହ ଶୋଭା ପାଉଛି କି ନାହିଁ ମୁଁ ଜାଣିନାହିଁ, କିନ୍ତୁ ମୋ ପିଲାମାନେ ବହୁତ ଖୁସି ଅଛନ୍ତି। ଗୌରୀ ମୋ ଜୀବନକୁ ଏକ ଶାନ୍ତି ଏବଂ ସ୍ଥିରତା ଆଣିଛନ୍ତି।"

ଖବର ଅନୁସାରେ, ରବିବାର ସନ୍ଧ୍ୟାରେ ଏହି ନବଦମ୍ପତିଙ୍କ ପାଇଁ ଏକ ଛୋଟ ରିସେପ୍ସନ ପାର୍ଟିର ମଧ୍ୟ ଆୟୋଜନ କରାଯାଇଛି, ଯେଉଁଠାରେ ବଲିଉଡର କିଛି ଷ୍ଟାର୍ ଏବଂ ଶାହରୁଖ୍ ଖାନ୍‌ଙ୍କ ଭଳି ତାରକା ଯୋଗଦେବାର ସମ୍ଭାବନା ରହିଛି।