Aadhaar Linking Mandatory: ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହେବ ଆଧାର; ତୁରନ୍ତ ପଦକ୍ଷେପ ନେବେ ସବୁ ଜିଲ୍ଲାପାଳ
ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଆଧାର ଲିଙ୍କ ଅଡୁଆ। ଏଣିକି ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ୍ ନଥିଲେ ମିଳିନପାରେ ଭତ୍ତା ଟଙ୍କା। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୟସ୍କ, ବିଧବା ଓ ଭିନ୍ନକ୍ଷମଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ଯୋଜନାରେ ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନିର୍ଦ୍ଦେଶ ପରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଛି ପ୍ରକ୍ରିୟା।...
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ NSAPରେ ପେନସନ୍ ପାଉଥିବା ହିତଧିକାରୀଙ୍କ ପାଇଁ ବଦଳିବାକୁ ଯାଉଛି ଭତ୍ତା ନିୟମ। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହେବ ଆଧାର ନମ୍ବର। ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ SNA-SPARSH ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଆକାଉଣ୍ଟକୁ ଆସିବ ଭତ୍ତା ଟଙ୍କା। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସହାୟତା ରାଶିର ବାଟମାରଣା ବନ୍ଦ ଆଉ ଭୂତ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଗକୁ ରାଜ୍ୟରେ କଡ଼ାକଡ଼ି ହେବାକୁ ଯାଉଛି ଏ ନିୟମ।
ଇଏ ହେଉଛି, ସେହି ସରକାରୀ ନିର୍ଦ୍ଦେଶନାମା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି। ଯେଉଁଥିରେ ଉଲ୍ଲେଖ ଅଛି ଯେ, ଏବେସୁଦ୍ଧା ରାଜ୍ୟରେ ଆକାଉଣ୍ଟ ଜରିଆରେ ଭତ୍ତା ପାଉଥିବା ୩ ଲକ୍ଷ ୩୫ ହଜାର ୮୫୦ ହିତାଧିକାରୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇନି।
ଆଗକୁ ସେଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଭତ୍ତା ପ୍ରକ୍ରିୟାକୁ ସହଜ କରିବାକୁ ବ୍ୟାଙ୍କ୍ ଖାତା ସହ ଆଧାର ଲିଙ୍କ୍ ଆଉ ଅପଡେଟ୍ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଧାର ଲିଙ୍କ୍ ପୂର୍ବରୁ ହିତାଧିକାରୀଙ୍କ ଆଧାର ସିଡିଂ ଓ ଇ-କେୱାଇସି ନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି।
ତେବେ ସରକାରଙ୍କ ଏ ନୂଆ ବ୍ୟବସ୍ଥାରେ ଅସୁବିଧା ହେଉଛି, ବୟସାଧିକ୍ୟ କାରଣରୁ ଅନେକ ହିତାଧିକାରୀ ଏବେ ଘରୁ ବାହାରକୁ ଯିବା ସମ୍ଭବ ନୁହେଁ। ଆଉ କେହି କେହି ରୋଗଶଯ୍ୟା କିମ୍ବା ଶାରୀରିକ ଓ ମାନସିକ ଅକ୍ଷମତା ପାଇଁ ବ୍ୟାଙ୍କ୍ କିମ୍ବା ଆଧାର କେନ୍ଦ୍ର ଯିବା ବି ସେମାନଙ୍କ ପକ୍ଷେ ଅସମ୍ଭବ। ସେଭଳି କ୍ଷେତ୍ରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ବୟସ୍କ ହିତାଧିକାରୀ।...
ଏବେ ପ୍ରଶ୍ନ ଉଠୁଛି, ୨୦୨୬-୨୭ ଆର୍ଥିକ ବର୍ଷରୁ ଯଦି ଆଧାର ଲିଙ୍କ୍ ଜରିଆରେ ହିତାଧିକାରୀଙ୍କୁ ଭତ୍ତା ଦେବା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଏ, ତେବେ ଏଥିରେ କେହି ବାଦ୍ ପଡ଼ିବେନି ତ? କାରଣ ରାଜ୍ୟର ବହୁ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁବିଧା, ବ୍ୟାଙ୍କ୍ ପହଞ୍ଚର ଉପଲବଧ ନାହିଁ। ଏଭଳି ସ୍ଥିତିରେ ପ୍ରଶାସନ ଏ ବ୍ୟବସ୍ଥାକୁ କେତେଶୀଘ୍ର କାର୍ଯ୍ୟକାରୀ କରୁଛି, ତା ଉପରେ ନଜର।