8 popular student movements: ୮ ଚର୍ଚ୍ଚିତ ଛାତ୍ର ଆନ୍ଦୋଳନ

Jul 26, 2026 - 08:39
8 popular student movements: ୮ ଚର୍ଚ୍ଚିତ ଛାତ୍ର ଆନ୍ଦୋଳନ

"ପ୍ରଶ୍ନପତ୍ର ଲିକ୍‌କୁ ନେଇ ଏବେ ସାରା ଦେଶରେ ଛାତ୍ର ଆନ୍ଦୋଳନ ଜୋର୍‌ ଧରିଛି।

ଛାତ୍ରଙ୍କର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ଏଭଳି ଆନ୍ଦୋଳନ ପ୍ରଥମ ନୁହେଁ।

ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଭାରତରେ ଛାତ୍ର ଆନ୍ଦୋଳନର ଅୟମାରମ୍ଭ ହୋଇଥିବା କୁହାଯାଏ।

୧୯୦୫ରେ ବଙ୍ଗ ବିଭାଜନକୁ ବିରୋଧ କରି କଲିକତାସ୍ଥିତ ଇଡେନ୍‌ କଲେଜ୍‌ର ଶିକ୍ଷାର୍ଥୀମ‌ାନେ ବଡ଼ଲାଟ୍‌ ଲର୍ଡ କର୍ଜନ୍‌ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏହା ଭାରତରେ ଦଲିଲ୍‌ଭୁକ୍ତ ପ୍ରଥମ ଛାତ୍ର ଆନ୍ଦୋଳନ।

ସ୍ବାଧୀନତା ପରବର୍ତ୍ତୀ ସମୟରେ ଏକାଧିକ ଛାତ୍ର ଆନ୍ଦୋଳନ ବିଭିନ୍ନ କାରଣ ପାଇଁ ସଂଘଟିତ ହୋଇଛି।

କେତେକ କ୍ଷେତ୍ରରେ ସରକାର ପରିବର୍ତ୍ତନ ଘଟିଛି।

ଭାରତରେ ୮ଟି ଚର୍ଚ୍ଚିତ ଛାତ୍ର ଆନ୍ଦୋଳନକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...Advertisment ଆଜକୁ ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଭାରତରେ ଛାତ୍ର ଆନ୍ଦୋଳନର ଅୟମାରମ୍ଭ ହୋଇଥିଲା।

୧୮୨୮ ମସିହାରେ ଅବିଭକ୍ତ ବଙ୍ଗ ପ୍ରଦେଶସ୍ଥିତ ହିନ୍ଦୁ କଲେଜ୍‌ରେ ଅଧ୍ୟାପକ ତଥା ସଂସ୍କାରକ ଥିବା ହେନେରି ଲୁଇ ଭିଭିଏନ୍‌ ଡିରୋଜିଓଙ୍କ ମାର୍ଗଦର୍ଶନରେ ଏକାଡେମିକ୍‌ ଆସୋସିଏସନ୍‌ ଗଠିତ ହେଲା।

ମୁକ୍ତ ଚିନ୍ତକ ସଙ୍ଗଠନ ୟଙ୍ଗ୍‌ ଇଣ୍ଡିଆ ଗଠନ କରିଥିବା ତାଙ୍କର ଶିଷ୍ୟବୃନ୍ଦ ଊନବିଂଶ ଶତାବ୍ଦୀରେ ବଙ୍ଗ ନବଜାଗରଣରେ ଅଂଶଗ୍ରହଣ କରିଥିଲେ।

ପରବର୍ତ୍ତୀ ବର୍ଷମାନଙ୍କରେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଆହୁରି କେତେକ ବିତର୍କ ସମାଜ ଗଢ଼ି ଉଠିଲା।

ତନ୍ମଧ୍ୟରୁ ବମ୍ବେ କଲେଜର ମରାଠୀ ଲିଟେରାରି ସୋସାଇଟି ଏବଂ ଗୁଜରାଟ ୟୁନିଭର୍ସିଟିରେ ଗୁଜୁରାଟୀ ଡ୍ରାମାଟିକ୍‌ ଗ୍ରୁପ୍‌ ସେଭଳି ଦୁଇଟି ସଙ୍ଗଠନ।୧୯୦୫ରେ ବଙ୍ଗ ବିଭାଜନକୁ ବିରୋଧ କରି କଲିକତାସ୍ଥିତ ଇଡେନ୍‌ କଲେଜ୍‌ର ଶିକ୍ଷାର୍ଥୀମ‌ାନେ ବଡ଼ଲାଟ୍‌ ଲର୍ଡ କର୍ଜନ୍‌ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏଇ ଘଟଣା ହିଁ ଭାରତରେ ଦଲିଲ୍‌ଭୁକ୍ତ ପ୍ରଥମ ଛାତ୍ର ଆନ୍ଦୋଳନର ଦୃଷ୍ଟାନ୍ତ।

ସେହିପରି, ୧୯୨୦ ମସିହାରେ ଅବିଭକ୍ତ ଭାରତ ଅନ୍ତର୍ଗତ ଲାହୋର୍‌ଠାରେ ଥିବା କିଙ୍ଗ୍‌ ଏଡ୍‌ୱାର୍ଡ ମେଡିକାଲ୍‌ କଲେଜ୍‌ରେ ପ୍ରଥମ ଛାତ୍ର ଧର୍ମଘଟ ହୋଇଥିଲା।

ଏହାର କାରଣ ଥିଲା ଭାରତୀୟ ଓ ଇଂରେଜ ଶିକ୍ଷାର୍ଥୀଙ୍କ ମଧ୍ୟରେ କରାଯାଉଥିବା ‌ଶିକ୍ଷା ସମ୍ବନ୍ଧୀୟ ପାତରଅନ୍ତର ନୀତି।

ଏତଦ୍‌ଭିନ୍ନ, ଶିକ୍ଷାର୍ଥୀ ଓ ସେମାନଙ୍କର ସଙ୍ଗଠନ ଦେଶବ୍ୟାପୀ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ।

ସ୍ବାଧୀନତା ପରେ ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ଛାତ୍ର ଶାଖା ଖୋଲିଲେ ଏବଂ ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗର କେତେକ ସ୍ବାଧୀନ ଛାତ୍ର ସଙ୍ଗଠନ ମଧ୍ୟ ଗଢ଼ିଉଠିଲା।

ସ୍ବାଧୀନୋତ୍ତର ଭାରତରେ ଯେତେଗୁଡ଼ିଏ ଛାତ୍ର ଆନ୍ଦୋଳନ ସଂଘଠିତ ହୋଇଛି ସେସବୁ ଦେଶର ସ୍ମୃତିରେ ଖୋଦିତ ହୋଇ ରହିଯାଇଛି।

୧୯୬୫: ତାମିଲନାଡୁରେ ହିନ୍ଦୀ ବିରୋଧୀ ଆନ୍ଦୋଳନଯଦିବା ଦଶନ୍ଧି ଦଶନ୍ଧି ଧରି ହିନ୍ଦୀ ଭାଷା ବିରୋଧରେ ତାମିଲନାଡୁରେ ପ୍ରତିବାଦ ଚାଲିଛି, କିନ୍ତୁ ୧୯୬୫ରେ ଏହି ଅାନ୍ଦୋଳନ ହିଂସାତ୍ମକ ହୋଇଉଠିଥିଲା।

ସେତେବେ‌େଳ ସମଗ୍ର ରାଜ୍ୟରେ ଛାତ୍ରମାନେ "ଅଫିସିଆଲ୍‌ ଲାଙ୍ଗୁଏଜ୍‌ ଆକ୍ଟ୍‌ ଅଫ୍‌ ୧୯୬୩" ବିରୋଧରେ ବିପ୍ଳବ ଚଳାଇଲେ।

ଏହି ଆକ୍ଟ୍‌ ଇଂରାଜୀ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବେ ସ୍ବୀକୃତି ଦେଇଥିଲା।

ସଂସଦରେ "ଦ୍ରାବିଡ଼ ମୁନ୍ନେତ୍ର କାଜ୍‌ଗମ୍‌" ବା "ଡିଏମ୍‌କେ" ପ୍ରତିବାଦ କରିବା ସତ୍ତ୍ବେ ଏହି ଆଇନ ପାରିତ ହୋଇଥିଲା।

କିନ୍ତୁ, ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଭରସା ଦେଇଥିଲେ ଯେ ଇଂରାଜୀ ମଧ୍ୟ ସରକାରୀ ଭାଷା ହୋଇ ରହିବ।

୧୯୬୪ରେ ନେହେରୁଙ୍କ ଅନ୍ତେ ରାଜ୍ୟରେ କଂଗ୍ରେସ ସରକାର ରାଜ୍ୟ ବିଧାନସଭାରେ ଏ ତ୍ରିଭାଷୀ-ସୂତ୍ର ପ୍ରଚଳନ କରିବାରୁ ସର୍ବସାଧାରଣ ସ୍ଥାନରେ ଛାତ୍ରମାନେ ବ୍ୟାପକ ଆନ୍ଦୋଳନ ଚଳାଇଲେ।

ଆନ୍ଦୋଳନ କାଳରେ ହିଂସାକାଣ୍ଡ ଯୋଗୁଁ ୭୦ଜଣ ପ୍ରାଣ ହରାଇଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରଦତ୍ତ ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀ ସୁନିଶ୍ଚିତ କରିବାରୁ ଏହି ଛାତ୍ର ଆନ୍ଦୋଳନର ଅବସାନ ଘଟିଲା।

୧୯୬୫ ନିର୍ବାଚନରେ କଂଗ୍ରେସ ପରାସ୍ତ ହେଲା ଏବଂ "ଡିଏମ୍‌କେ" କ୍ଷମତାସୀନ ହେଲା।

୧୯୭୪: ଗୁଜରାଟରେ ନବନିର୍ମାଣ ଆନ୍ଦୋଳନ୧୯୭୩ ମସିହା ଡିସେମ୍ବର ୨୦ ତାରିଖରେ ଅହମଦାବାଦସ୍ଥିତ ଗୋଟାଏ ଇଞ୍ଜିନିୟରିଙ୍ଗ୍‌ କଲେଜ୍‌ର ଛାତ୍ରମାନେ ହଷ୍ଟେଲ୍‌ ଖାଦ୍ୟ ବାବଦ ଦେୟ ୨୦ ପ୍ରତିଶତ ବୃଦ୍ଧି ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ।

ସେହିପରି, ୧୯୭୪ ଜାନୁଆରି ୩ ତାରିଖ ଦିନ ଗୁଜରାଟ ବିଶ୍ବବିଦ୍ୟାଳୟରେ ହୋଇଥିବା ଛାତ୍ର ଧର୍ମଘଟ ସମୟରେ ପୁଲିସ୍‌ ଓ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ପ୍ରତିବାଦକାରୀମାନେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଚିମନ୍‌ଭାଇ ପଟେଲ୍‌ଙ୍କ ଇସ୍ତଫା ଦାବି କରିଥିଲେ।

ତେଣୁ, ଜାନୁଆରି ୨୫ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ସଂଗଠିତ ହୋଇଥିଲା।

ଏହି ଧର୍ମଘଟ କାଳରେ ପୁଲିସ୍‌ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଆନ୍ଦୋଳନର ଅବସାନ ହୋଇଥିଲା।

ଏହି ଛାତ୍ର ଆନ୍ଦୋଳନ ଏତେ ବିରାଟ ଆକାର ଧାରଣ କରିଥିଲା ଯେ ୪୪ଟି ସହରରେ କର୍ଫ୍ୟୁ ଜାରି ହେବା ସହିତ ଅହମଦାବାଦରେ ଶାନ୍ତିଶୃଙ୍ଖଳା ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ସେନାବାହିନୀକୁ ଡକାଯାଇଥିଲା।

କେନ୍ଦ୍ରରେ ଥିବା ଇନ୍ଦିରା ଗାନ୍ଧୀ ସରକାର ପଟେଲ୍‌ଙ୍କୁ ଇସ୍ତଫା ଦେବାକୁ କହିଥିଲେ।

ଏହି ଛାତ୍ର ଆନ୍ଦୋଳନ ଯୋଗୁଁ ରାଜ୍ୟ ସରକାର ଭଙ୍ଗ ହୋଇଥିଲା।

ଏହାକୁ ନବନିର୍ମାଣ ଆନ୍ଦୋଳନ ଭାବେ ନାମିତ କରାଯାଇଥିଲା।

୧୯୭୪: ବିହାର ଛାତ୍ର ଆନ୍ଦୋଳନ୧୯୭୪ ମସିହାରେ ବିହାରରେ ସଂଗଠିତ ଛାତ୍ର ଆନ୍ଦୋଳନ ସାରା ଦେଶକୁ ପ୍ରଭାବିତ କରିଥିଲା।

ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବାଧୀନ ବିହାର ଛାତ୍ର ସଂଘର୍ଷ ସମିତି ଦୁର୍ନୀତି, ଦରବୃଦ୍ଧି, ପରିବାରବାଦ ବିରୋଧରେ "ସଂପୂର୍ଣ୍ଣ କ୍ରାନ୍ତି" ଡାକରା ଦେଇଥିଲା।

ଏଥିସହ ନିର୍ବାଚନୀ ସଂସ୍କାର, ଶିକ୍ଷାନୁଷ୍ଠାନରେ ରିହାତି ଦରରେ ଖାଦ୍ୟ ଯୋଗାଣ ଓ ଶିକ୍ଷା ସଂସ୍କାର ଲାଗି ଦାବି କରିଥିଲା।

ପାଟନା ବିଶ୍ବବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଅହିଂସା ପ୍ରତିବାଦ ଉତ୍ତର ଭାରତରେ ଥିବା ହିନ୍ଦୀ ଭାଷାଭାଷୀ ରାଜ୍ୟର ଆଉ କେତେକ ଶିକ୍ଷାନୁଷ୍ଠାନକୁ ବ୍ୟାପିଯାଇଥିଲା।

ଏହି ଆନ୍ଦୋଳନ ସମୟରେ ପ୍ରତିବାଦକାରୀମାନେ ବିହାର ବିଧାନସଭାକୁ ଘେରାଉ କରିବା ସହ ତତ୍‌କାଳୀନ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଦେଇଥିଲେ।

ଏହି ଘଟଣାରେ ପୁଲିସ ଗୁଳିରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହେତୁ ପୂରା ରାଜ୍ୟକୁ ଆନ୍ଦୋଳନ ବ୍ୟାପି ଯାଇଥିଲା।

ଗୁଜୁରାଟ ଭଳି ଏଠାରେ ମଧ୍ୟ ରାଜ୍ୟ ସରକାରଙ୍କ ବରଖାସ୍ତ ଦାବି କରାଯାଇଥିଲା।

ମାତ୍ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିହାର ମୁଖ୍ୟମନ୍ତ୍ରୀ ଅବ୍ଦୁଲ୍‌ ଗଫୁର୍‌ଙ୍କୁ ପରିବର୍ତ୍ତନ କରିବାକୁ ଚାହିନଥିଲେ।

ସମାଜବାଦ ଆଦର୍ଶରେ ଉଦ୍‌ବୁଦ୍ଧ ଏହି ଜେପି ଆନ୍ଦୋଳନରେ ଲାଲୁପ୍ରସାଦ ଯାଦବ, ମୁଲାୟମ୍‌ ସିଂହ ଯାଦବଙ୍କ ଭଳି ପ୍ରଖ୍ୟାତ ଯୁବନେତାମ‌ାନେ ନେତୃତ୍ବ ନେଇଥିଲେ।

୧୯୭୫: ଜରୁରୀ ପରିସ୍ଥିତିରେ ଆନ୍ଦୋଳନଗୁଜରାଟରେ ଛାତ୍ର ଆନ୍ଦୋଳନ ହେତୁ ସରକାର ବରଖାସ୍ତ ହୋଇଥିଲା ଏବଂ ବିଧାନସଭା ଭଙ୍ଗ ହୋଇଥିଲା।

ତେବେ ବିଳମ୍ବ ନକରି ତୁରନ୍ତ ନିର୍ବାଚନ କରିବା ଦାବିରେ ମୋରାର୍‌ଜୀ ଦେଶାଇ ଅନଶନ ଚଳାଇଥିଲେ।

ଫଳରେ ୧୯୭୫ ଜୁନ୍‌ ୧୦ରେ ନିର୍ବାଚନ ହୋଇଥିଲା ଏବଂ ୧୨ରେ ଫଳାଫଳ ପ୍ରକାଶ ପାଇ କଂଗ୍ରେସ ଦଳ ଶାସନ କ୍ଷମତାରୁ ବିଦା ହୋଇଥିଲା।

ସେହିଦିନ ଅାହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲା।

ତେବେ ଇନ୍ଦିରା ଗାନ୍ଧୀ ଏହି ରାୟକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମ୍‌କୋର୍ଟ ଯାଇଥିଲେ।

ଏହାର ଠିକ୍‌ ୧୩ ଦିନ ପରେ ସେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ।

ଏହା ବିରୋଧରେ ସାରା ଭାରତ‌ର ବହୁ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍ବର ଉତ୍ତୋଳନ କରିଥିଲେ।

ସେମାନେ ଜରୁରୀ ପରିସ୍ଥିତି ବିରୋଧରେ ପାମ୍ଫ୍‌ଲେଟ୍‌ ଓ ଲିଫ୍‌ଲେଟ୍‌ ଦ୍ବାରା ଗୁପ୍ତ ପ୍ରତିବାଦ ଚଳାଇଥିଲେ।

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଅରୁଣ ଜେଟ୍‌ଲୀ ଏବଂ ଛାତ୍ର ସଂର୍ଘଷ ସମିତିର ନେତୃତ୍ବ ନେଉଥିବା ଜୟପ୍ରକାଶ ନାରାୟଣଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ବ ଛାତ୍ର ସଂସଦ ନେତାଙ୍କୁ ଜେଲ୍‌ ପଠାଯାଇଥିଲା।

୧୯୭୯ରୁ ୧୯୮୫: ଆସାମ ଆନ୍ଦୋଳନଆସାମରେ ବେଆଇନ ପ୍ରବାସୀଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ଅଲ୍‌ ଆସାମ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ ଦ୍ବାରା।

ଏହା ଆସାମ ଆନ୍ଦୋଳନ ବା ବିଦେଶୀ-ବିରୋଧୀ ଆ‌େନ୍ଦାଳନ ନାମରେ ସୁପରିଚିତ।

୧୯୭୧ରେ ବାଂଲାଦେଶରେ ମୁକ୍ତିଯୁଦ୍ଧ ପରେ ପରେ ସେଠାରୁ ଅନେକ ଲୋକ ଆସମରେ ଅନୁପ୍ରବେଶ କରିଥିଲେ।

ଆସାମୀ ଜନତାଙ୍କ ପରିଚୟ ସୁରକ୍ଷିତ ରଖିବା ନିମନ୍ତେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।

ସମାଜର ବିଭିନ୍ନ ‌େକ୍ଷତ୍ରରୁ ଲୋକେ ଏହି ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିଲେ।

ଛଅ ବର୍ଷ ଧରି ଆଇନ ଅମାନ୍ୟ ଅଭିଯାନ, ରାଜନୈତିକ ଅସ୍ଥିରତା ଏବଂ ବ୍ୟାପକ ଜାତିଗତ ହିଂସା ଚାଲିଥିଲା।

୧୯୮୫ରେ ଆସାମ ଆକର୍ଡ ସ୍ବାକ୍ଷର ହେବା ସହିତ ଏହି ଆନ୍ଦୋଳନର ଅବସାନ ଘଟିଥିଲା।

ଆସାମ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଅଲ୍‌ ଆସାମ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ର ସଭାପତି ପ୍ରଫୁଲ୍ଲ ମହନ୍ତ ଓ ସାଧାରଣ ସମ୍ପାଦକ ଭୃଗୁ କୁମାର ଫୁକନ୍‌।

ପରେ ଛାତ୍ର ନେତା ପ୍ରଫୁଲ୍ଲ ମହନ୍ତଆସାମ ଗଣ ପରିଷଦ୍‌ର ନେତୃତ୍ବ ଗ୍ରହଣ କଲେ ୧୯୮୫ ମସିହାରେ ୩୫ ବର୍ଷ ବୟସରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏଥିରୁ ହିଁ ଏହି ଆନ୍ଦୋଳନର ରାଜନୈତିକ ପ୍ରଭାବ ସାବ୍ୟସ୍ତ ହୋଇଥିଲା।

୧୯୯୦: ମଣ୍ଡଳ ବିରୋଧୀ ଆନ୍ଦୋଳନତତ୍‌କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂ ୧୯୯୦ ଅଗଷ୍ଟ ୭ ତାରିଖରେ ମଣ୍ଡଳ କମିସନ୍‌ର ସୁପାରିସକୁ ଲାଗୁ କରିଥିଲେ।

ଏହି ସୁପାରିସ ଅନୁଯାୟୀ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ୨୭ ପ୍ରତିଶତ ସରକାରୀ ଚାକିରି ସଂରକ୍ଷଣ ପ୍ରବର୍ତ୍ତନ ବିରୋଧରେ ସମଗ୍ର ଭାରତର ଛାତ୍ରମାନେ ୧୯୯୦ ଅଗଷ୍ଟରେ ଆନ୍ଦୋଳନ ଆରମ୍ଭ କରିଥିଲେ।

୧୯୮୦ରେ ମଣ୍ଡଳ କମିସନ୍‌ ଦାଖଲ କରିଥିବା ସୁପାରିସଗୁଡ଼ିକୁ ଭିପି ସିଂହଙ୍କ ନେତୃତ୍ବାଧୀନ ସରକାର ପ୍ରବର୍ତ୍ତନ କରିଥିଲେ।

୧୯୯୦ ସେପ୍‌ଟେମ୍ବର ୧୯ ତାରିଖରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ରାଜୀବ ଗୋସ୍ବାମୀ ଏହାର ପ୍ରତିବାଦରେ ଆତ୍ମଦାହ ଉଦ୍ୟମ କରିଥିଲେ।

ଏହି ଘଟଣା ପରେ ଛାତ୍ର ଆନ୍ଦୋଳନ ସାରା ଦେଶର ଶିକ୍ଷାନୁଷ୍ଠାନକୁ ବ୍ୟାପିଯାଇଥିଲା।

ଫଳରେ ଦେଶର ଅନେକ ପ୍ରାନ୍ତରେ ପ୍ରବଳ ପ୍ରତିବାଦ ଦେଖାଦେଲା।

ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ବନ୍ଦପାଳନ, ରାସ୍ତ‌ାରୋକ, ଚକାବନ୍ଦ ଅନୁଷ୍ଠିତ ହୋଇଥିଲା।

ବହୁ ସ୍ଥାନରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ବି ନେଇଥିଲା।

ପୁଲିସ-ଛାତ୍ର ମୁହାଁମୁହିଁ ଯୋଗୁ ବହୁ ଛାତ୍ର ମୃତାହତ ହୋଇଥିଲେ।

ଅନେକ ସ୍ଥାନରେ ଛାତ୍ରମାନେ ପରୀକ୍ଷା ବର୍ଜନ କଲେ।

ଏହି ପରିସ୍ଥିତିରେ ଜନତା ଦଳ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବାରୁ ୧୯୯୦ ନଭେମ୍ବର ୭ ତାରିଖରେ ପ୍ରଧାନମନ୍ତ୍ରୀ ଭିପି ସିଂହ ଇସ୍ତଫା ଦେଲେ ଏବଂ ତା"ସହିତ ଶେଷ ହୋଇଥିଲା ଏହି ଛାତ୍ର ଆନ୍ଦୋଳନ।

୨୦୦୬: ସଂରକ୍ଷଣ ବିରୋଧୀ ପ୍ରତିବାଦଏହା ଥିଲା ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଦ୍ବିତୀୟ ପ୍ରମୁଖ ପ୍ରତିବାଦ।

୨୦୦୬ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କେନ୍ଦ୍ରୀୟ ଓ ଘରୋଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରି‌ଥିଲେ।

ବି‌େଶଷକରି ଆଇଆଇଟି, ଆଇଆଇଏମ୍‌ ଓ ଏମ୍‌ସ ଭଳି ଦେଶର ଶୀର୍ଷ ଅନୁଷ୍ଠାନରେ ସଂରକ୍ଷଣ ଲାଗୁ କରାଯିବା ପ୍ରସଙ୍ଗକୁ  ମେଧାବୀ ଛାତ୍ରଛାତ୍ରୀ ତୀବ୍ର ବିରୋଧ କରିଥିଲେ।

ଏହି ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା।

ଉଚ୍ଚ ଜାତିର ଛାତ୍ର ଓ ଡାକ୍ତରମାନେ ଏହି ବ୍ୟବସ୍ଥାକୁ ଭେଦବିଚାରପୂର୍ବକ ବୋଲି ଯୁକ୍ତି ବାଢ଼ିଥିଲେ।

ଅନ୍ୟାନ୍ୟ ପଛୁଆବର୍ଗ ବା ଓବିସି ଛାତ୍ର ସଂଗଠନଗୁଡ଼ିକ ଏହି ନିଷ୍ପତ୍ତି ସପକ୍ଷରେ ମୁକାବିଲାମୂଳକ ପ୍ରତିବାଦ ଚଳାଇଲେ।

ମେ ୧୬ରୁ ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିଥିଲା।

ପରେ ଏହି ପ୍ରତିବାଦ ସୁପ୍ରିମ୍‌କୋର୍ଟଙ୍କ ବିଚାର ଲାଗି ଆସିଥିଲା।

୨୦୧୫: ଏଫ୍‌ଟିଆଇଆଇ ଆନ୍ଦୋଳନ୨୦୧୫ ଜୁଲାଇରେ ପୁଣେସ୍ଥିତ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଶିକ୍ଷାର୍ଥୀମାନେ ଏହି ସମ୍ମାନଜନକ ପ୍ରତିଷ୍ଠାନର ସଭାପତି ଭାବେ ଅଭିନେତା ଗଜେନ୍ଦ୍ର ଚୌହାନ୍‌ଙ୍କ ନିଯୁକ୍ତିକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ। "ଏଫ୍‌ଟିଆଇଆଇ" ମୁଖ୍ୟ ହେବାକୁ ଚୌହାନ୍‌ ଯୋଗ୍ୟ ନୁହନ୍ତି ବୋଲି ଦାବି କରି ଏହି ୧୪୦ ଦିନିଆ ଆନ୍ଦୋଳନରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହିତ ପରୀକ୍ଷା ଦେବାକୁ ମନା କରିଦେଇଥିଲେ।

ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ଥନ ଜଣାଇ ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରତୀକାତ୍ମକ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।

ଏହା ଦେଶରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।