ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଇସ୍ତଫା ଦାବି କଲା କେରଳ କଂଗ୍ରେସ
ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ୟକାନ୍ତଙ୍କୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ବିବାଦୀୟ ପୋଷ୍ଟ୍ ସେୟାର କରିଛି କେରଳ କଂଗ୍ରେସ। ଦିଲ୍ଲୀରେ ଚାଲିଥିବା ବିରୋଧ ପ୍ରଦର୍ଶନ ଓ ଆଇନ-ଶୃଙ୍ଖଳା ପ୍ରସଙ୍ଗରେ ସିଜେଆଇଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ର କରି କେରଳ କଂଗ୍ରେସ ଏଭଳି କଡ଼ା ପ୍ରତିକ୍ରିୟା ରଖିଛି।
ସୋସିଆଲ ମିଡିଆ ଏକ୍ସରେ କେରଳ କଂଗ୍ରେସ ପକ୍ଷରୁ ପୋଷ୍ଟ୍ କରାଯାଇ ଲେଖାଯାଇଛି ଯେ, ପ୍ରିୟ ସୂର୍ୟକାନ୍ତ, ଯଦି ଆଇନ-ଶୃଙ୍ଖଳା ସମ୍ଭାଳିବା ଆପଣଙ୍କ କାମ ନୁହେଁ, ତେବେ ବର୍ତ୍ତମାନ ହିଁ ନିଜ ପଦରୁ ଇସ୍ତଫା ଦେଇ ଦିଅନ୍ତୁ। ଆମେ ଆପଣଙ୍କ ସ୍ଥାନରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଖୋଜି ନେବୁ, ଯିଏ ଏହାକୁ ସଫଳତାର ସହ ସମ୍ଭାଳି ପାରିବେ। ତେବେ କଂଗ୍ରେସର ଏହି ଦାବି ପରେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି ।
ରାଜଧାନୀ ଦିଲ୍ଲୀରେ ନିର୍ବାଚନ ପ୍ରକ୍ରିୟା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ଦିଲ୍ଲୀର ପ୍ରଦର୍ଶନ ଓ କଟକଣା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ CJI ଜଷ୍ଟିସ ସୂର୍ୟକାନ୍ତ ମନ୍ତବ୍ୟ ଦେଇଥିଲେ ଯେ, ଏହା ସିଧାସଳଖ ତାଙ୍କର ବା ମାନ୍ୟବର କୋର୍ଟର ମୂଳ ବିଷୟବସ୍ତୁ ନୁହେଁ। ଏହି ମନ୍ତବ୍ୟ ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଏହାପୂର୍ବରୁ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଦର୍ଶନକାରୀଙ୍କୁ ଅଟକ ରଖିବାକୁ ନେଇ ସୁପ୍ରିମକୋର୍ଟ କେତେକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଆୟୋଗ ଏବଂ ସରକାରୀ ନୀତି ବିରୋଧରେ କ୍ରମାଗତ ଭାବେ ଆନ୍ଦୋଳନକୁ ଜୋରଦାର କରୁଥିବାବେଳେ, ବର୍ତ୍ତମାନ କେରଳ କଂଗ୍ରେସର ଏହି ପୋଷ୍ଟ୍ ମାମଲାକୁ ଆହୁରି ଜଟିଳ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
