ରାଜ୍ୟରେ ୭୧ଟି ହାଇସ୍କୁଲ ରେ ଖୋଲିବା +୨
ଭୁବନେଶ୍ୱର : ଓଡ଼ିଶାରେ ଯୁକ୍ତ ଦୁଇ ଶିକ୍ଷାର ସୁବିଧାକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢ଼ା । ସମଗ୍ର ଶିକ୍ଷା ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ ବା ପି.ଏବି ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି । ଏଥିପାଇଁ ମୋଟ ୧୪୦ କୋଟି ୭୩ ଲକ୍ଷ ୮୦ ହଜାର ଟଙ୍କାର ବ୍ୟୟ ମଧ୍ୟ ମଞ୍ଜୁର କରାଯାଇଛି । ଏହି ନୂଆ ବ୍ୟବସ୍ଥାରେ ୬୦ଟି ବିଦ୍ୟାଳୟରେ କଳା ବିଭାଗ ଏବଂ ୧୧ଟି ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେବ । ଫଳରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଉ ଦୂର ସହରକୁ ଯାଇ ଉଚ୍ଚମାଧ୍ୟମିକ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ ନାହିଁ ।
ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ଅବଗତ କରାଇଛନ୍ତି । ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧ୍ୟକ୍ଷମାନଙ୍କ ସୁପାରିସକୁ ଆଧାର କରି ଏହି ବିଦ୍ୟାଳୟଗୁଡ଼ିକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବା ପ୍ରସ୍ତାବକୁ ପିଏବି ଚୂଡ଼ାନ୍ତ ମଞ୍ଜୁରି ଦେଇଛି । ଏହି ନିଷ୍ପତ୍ତି ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷାର ପହଞ୍ଚ ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।