ଯାତ୍ରା ଅନୁସାରେ ଭୋଗ

Jul 16, 2026 - 12:29
ଯାତ୍ରା ଅନୁସାରେ ଭୋଗ

 

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଭିନ୍ନ ରୀତିନୀତି ଭଳି ବିଭିନ୍ନ ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ । ଠାକୁରଙ୍କର ବିଭିନ୍ନ ସମୟରେ ଭିନ୍ନଭିନ୍ନ ଭୋଗ ଲାଗି କରାଯାଇଥାଏ । ଆସନ୍ତୁ ବିଭିନ୍ନ ଅବସର ଅନୁସାରେ ଭିନ୍ନଭିନ୍ନ ଭୋଗ ସମ୍ପର୍କରେ ଜାଣିବା ..

ଅଣସର ଘର ଭୋଗ

 ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରାତ୍ରରେ ଚତୁର୍ଦ୍ଧା ବିଗ୍ରହ ଅଣସର ଗୃହକୁ ବିଜେ କରିବା ପରେ ମହାପ୍ରଭୁମାନଙ୍କର ଅଣସର ନୀତି ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଅଣସର ତାଟି ସମ୍ମୁଖରେ ବିରାଜିତ ପଟ୍ଟିଦିଅଁ, ଦଶାବତାର ଠାକୁରଙ୍କ ମଧ୍ୟାହ୍ନ ଧୂପ ନୀତି ସମାପନ ପରେ ଅଣସର ଘର ତାଟି ଖୋଲାଯାଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମେ ଚକଟା ଭୋଗ କରାଯାଏ । ଏହି ଚକଟା ଭୋଗ ଦିନକୁ ଦୁଇଥର ହୋଇଥାଏ । ମଠମାନଙ୍କ ପକ୍ଷରୁ ମଧ୍ୟ ଏହି ଭୋଗ କରାଯାଇଥାଏ । ଚକଟା ଭୋଗ ମଧ୍ୟରେ ଧୁଆ ମୁଗ, ନଡ଼ିଆ, ପଣସ, ଆମ୍ବ, କଦଳୀ ଇତ୍ୟାଦି ନୈବେଦ୍ୟ ହୋଇଥାଏ । ପତି ମହାପାତ୍ର ସେବକ ଏହି ଭୋଗ ପୂଜା କରିଥାନ୍ତି । ଚକଟା ଭୋଗ ପରେ ଦୁଇ ଥର ପଣା ଭୋଗ କରାଯାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଠ ଭୋଗ ବ୍ୟବସ୍ଥା ଅନୁଯାୟୀ ୧୪ ପଞ୍ଚାଳ ଓଳି ଓ ୧୪ ଅଜବାସ ଓଳି ପଣା ଭୋଗ ଯୋଗାଯାଇଥାଏ । ଏହାଛଡା ରାଘବ ଦାସ, ଏମାର, ବଡ଼ ଓଡ଼ିଆ ମଠ ଓ ଦଇତାପତିମାନେ ମଧ୍ୟ ପଣା ଭୋଗ କରିଥାନ୍ତି । ଅଣସର ପ୍ରଥମ ଦିନଠାରୁ ପଞ୍ଚମୀ ପର୍ଯ୍ୟନ୍ତ ସାଧାରଣ ଭାବେ କେବଳ ମଠମାନଙ୍କର ଚକଟା ମଇଲମ ଭୋଗ  ହୋଇଥାଏ । ଏଥୁରେ ପାପୁଡ଼ି, ସର, ଛେନା ଇତ୍ୟାଦି ଅନ୍ତର୍ଭୁକ୍ତ ।  ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ବଳଭଦ୍ରପତି ଓ ଭଗ୍ନୀମାନଙ୍କ ପକ୍ଷରୁ କଦଳୀ, ସପୁରୀ, ପଣସ, ଆମ୍ବ ଛେନା, ରାବିଡ଼ି, ସର, ଛେନାକଟା, ଛେନା ଖଇ, ଖୁଆପେଡ଼ା, ଖୁଆ ବରଫି, ଲିଆହଡ଼ୁ, ସୁଜି ଖଇ, ଲିଆ ଇତ୍ୟାଦି ଅଣସର ଘରେ ଭୋଗ ହୋଇଥାଏ । ପତି ମହାପାତ୍ର ଉକ୍ତ ଭୋଗକୁ ସର୍ପାମଣୋହି କରିଥାନ୍ତି । ଏକାଦଶୀ ଦିନ ଘଣ୍ଟ, ଶଙ୍ଖ ପୂଜାଠାରେ ଚକଟା ଭୋଗ ତୁଳସୀ ପଡ଼ି ହୋଇଥାଏ । ଏକାଦଶୀ ଦିନଠାରୁ ଠାକୁରଙ୍କ ଭୋଗ ରୂପେ ବିଭିନ୍ନ ସୁସ୍ୱାଦୁ ଫଳ, କିସମିସ, ଖୁଆ ପେଡ଼ା, ଖୁଆ ମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳ ମୋଦକ ଭୋଗ ହୋଇଥାଏ ।

ନେତ୍ର ଉତ୍ସବ

 ନେତ୍ର ଉତ୍ସବ ଦିନ  ପ୍ରାୟ ୩୦ ପ୍ରକାରର ଭୋଗ ଠାକୁରମାନଙ୍କୁ ଅର୍ପିତ ହୋଇଥାଏ । ଏହି ଭୋଗମାନଙ୍କ ମଧ୍ୟରେ ନାଡ଼ି, ଧଉଳା, ଖଇରଚୂଳ, ମନୋହର ଆରିସା, ପୁଲି ପିଠା, ବଡ଼ ପିଠା, କାନ୍ତି, ମାଠପୁଲି, ହଂସକେଳି, କାକରା, ବଡ଼ା, ଗଜା, ପଣସୁଆ, ଡାଳିମ୍ବ, କାନିକା, ମୁଗ, ଖିରି, ଶାକରା, ମରିଚିପାଣି, ପଣା, ଓରିଆ ଆଦି ଅନ୍ତର୍ଭୁକ୍ତ ।

 

 ରାଜଭୋଗ

ଶ୍ରୀଗୁଣ୍ଡିଚା ଦିନ ଏକାନ୍ତି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡ଼ି ଭୋଗ) ଅଣସର ପିଣ୍ଡିଠାରେ ଭୋଗ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପର୍ବାଣି ଭୋଗରେ ଖେଚେଡ଼ି, ଶାଗ, ଭଜା, ପିଠା, କାନ୍ତି , ଚନ୍ଦ୍ରମାଠପୁଲି , ଟାକୁଆ ସମେତ ବଲ୍ଲଭରେ ଖଇ, କୋରା, ଖୁଆପେଡ଼ା, ବିଭିନ୍ନ ଫଳ ସମେତ କେତେକ ସୂପକାର ଓ ଅନ୍ୟାନ୍ୟ ସେବକମାନଙ୍କ ତରଫରୁ ପାପୁଡ଼ି, ସର, ରାବିଡ଼ି, କ୍ଷୀରା ଇତ୍ୟାଦି ପନ୍ତିରେ ବଢ଼ା ଯାଇ ଭୋଗ ନୈବେଦ୍ୟ ହୋଇଥାଏ ।

 

ପହଣ୍ଡି ବିଜେ

ଶ୍ରୀଗୁଣ୍ଡିଚା ଦିନ ଠାକୁରମାନଙ୍କ ପହଣ୍ଡି ବିଜେ ଓ ରଥଟଣା ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କ ଉଦ୍ଦେଶ୍ୟରେ ପଡ଼ି ଭୋଗ ଅର୍ପଣ ହୋଇଥାଏ । ପଡ଼ି ଭୋଗରେ  ଧୁଆମୁଗ, ଆମ୍ବ, ପାଚିଲା ଦେଶୀକଦଳୀ, ଗଜାମୁଗ, ପଣସ, ସେପେଟା, ପିଜୁଳି, ନଡ଼ିଆ ପାତି, କମଳା, ଅଙ୍ଗୁର, ସେଓ, ଖୁଆପେଡ଼ା, ସର, ରାବିଡ଼ି, ମହନଭୋଗ, ପୁରୀ, ଫାଳ ସୋଲା, ଜଗନ୍ନାଥବଲ୍ଲଭ, ଖଜା, ଲୁଣି ଖୁରୁମା, ଗୋଟା ସୋଲା, ଖୁଆ ମଣ୍ଡା, କ୍ଷୀର, ପଣା, ପଇଡ଼, ଛେନା ମାଣ୍ଡୁଅ, ମାଲପୁଆ, ଚୂଡ଼ା ଘଷା, କୋରା ଇତ୍ୟାଦି ।

ରଥରେ ଭୋଗ

ତିନି ରଥ ଉପରେ ପୂର୍ବରୁ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟାଧୂପମାନଙ୍କରେ ନିସଙ୍କୁଡ଼ି ପିଷ୍ଟକମାନ ନୈବେଦ୍ୟ ହେଉଥିଲା । ଭୋଗ ସାମଗ୍ରୀଗୁଡ଼ିକ ମଧ୍ୟରେ ପାରିଜାତକ, ମାଣ୍ଡୁଅ, ଛେନା, କେଳି, ଅମାଲୁ, କାକରା, ନାଡ଼ି, ଗଜା, ଟାକୁଆ, ପେଣି, ଡାଳିମ୍ବ, ସୁଆର ନଡ଼ୁ ଭୋଗ ହେବା ସମେତ ଶ୍ରୀଗୁଣ୍ଡିଚା ଦିନ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା , ଖଇ , ବଡ଼ କାକରା , ଉଦା କାକରା , ମହାପ୍ରଶସ୍ତ୍ର ମନୋହର ମୂର୍ତ୍ତି, ଝଡ଼େଇନେଦା , ମାଣ୍ଡୁଅ , ଟାକୁଆ,  ରଥ ମନୋହର , ମରିଚିନଡ଼ୁ  ଭୋଗ ହେଉଥିଲା । କିନ୍ତୁ ଏହି ଭୋଗ ସବୁ ବର୍ତ୍ତମାନ ବନ୍ଦ ହୋଇଯାଇଛି । ବର୍ତ୍ତମାନ ରଥ ଉପରେ ଦୁଇ ପ୍ରକାର ବୃହତ୍ ଆକାରର କୋରା, ଯାହାକି ନଡ଼ିଆ, ଖଣ୍ଡ ଅଳେଇଚ, ଖଣ୍ଡ(ଚିନି) ଲବଙ୍ଗ ଗୁଣ୍ଡ ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ। ଅନ୍ୟାନ୍ୟ ଭୋଗ ସାମଗ୍ରୀ ମଧ୍ୟରେ ଧୁଆ ମୁଗ, ପିଜୁଳି, ସପେଟା, ଆମ୍ବ କାକୁଡ଼ି, ଅଙ୍ଗୁର, ସେଓ, ପଣସ ଇତ୍ୟାଦି ମଣୋହି ହେଉଅଛି। ସୂଚନା ଅନୁଯାୟୀ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ସକାଳ ଧୂପରେ ମୋଟ୍  କୋରା ଓ  ଖଇ ନୈବେଦ୍ୟ ହୋଇଥାଏ । ସେଥିରୁ ତାଳଧ୍ବ ରଥରେ କୋରା,  ଖଇ, ଭଲଭିଅ, ଗଜାମୁଗ, ନଡ଼ିଆ ପାତି, ସୁସ୍ବାଦୁ ଫଳ, ନନ୍ଦିଘୋଷରଥରେ  କୋରା,  ଖଇ, ଗଜାମୁଗ, ନଡ଼ିଆ ପାତି, ଫଳ ମଧ୍ୟରେ ସେଓ, କମଳା, ଆମ୍ବ, କଦଳୀ, କାକୁଡ଼ି, ତାଉଳିଆ, ପଣସ ଇତ୍ୟାଦି ଭୋଗ ହୁଏ । ସେହିଭଳି ଦେବଦଳନ ରଥରେ  କୋରା, ଖଇ, ଗଜାମୁଗ, ନଡ଼ିଆ ପାତି, ସୁସ୍ବାଦୁ ଫଳ ଭୋଗ ହୋଇଥାଏ । ସକାଳ ଧୂପ ପରେ ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପମାନଙ୍କରେ ଏହି ସବୁ ଭୋଗ ସାମଗ୍ରୀ ହେଉଥିବା ବେଳେ ବଡ଼ ସିଂହାର ଭୋଗରେ ତିନି ରଥ ଉପରେ ସାନ ନଡ଼ିଆ କୋରା ଓ  ଖଇ ଭୋଗ ହୋଇଥାଏ ।  ଏହାଛଡା ରଥ ଉପରେ ଗୋପାଳବଲ୍ଲଭରେ ଖଇ, ଖୁଆମଣ୍ଡା, ଦହି, ନଡ଼ିଆ ପାତି, କୋରା, ପାଚିଲା କଦଳୀ ଇତ୍ୟାଦି ସର୍ପାମଣୋହି ହୋଇଥାଏ ।

ସ୍ବତନ୍ତ୍ର ଭୋଗ

 ଆଡ଼ପ ମଣ୍ଡପରେ  ମୁଖ୍ୟତଃ କାନ୍ତି, ହଂସକେଳି, କାକରା, ପୁଲି ପିଠା, ଥଳପୂଜା ପିଠା, ଟାକୁଆ, ସରବଡ଼ା ପିଠା, କଦଳୀ ତରିଆ, ଅମାଲୁ, ମାଠପୁଲି, ଲଡ଼ୁ ମନୋହର, ପଖାଳ, ଖିରିସା, ମୁଗ, ସାକେରା, ଖିରି, ପଣା, ଓରିଆ, ମରିଚିପାଣି ଇତ୍ୟାଦି ମଣୋହି ହୋଇଥାଏ । ସାଧାରଣତଃ ଏହି ପର୍ବାଣି ଭୋଗରେ ପ୍ରାୟ ୩୦ ପ୍ରକାରରୁ ଊର୍ଦ୍ଧ୍ୱ ଭୋଗ ଦ୍ରବ୍ୟାଦି ମଣୋହି ହୋଇଥାଏ ।  ଏହି ଭୋଗରେ ୧) ବଡ଼ ପିଠା- ୪ସରା, ୨) ପୁଲି- ୪ ସରା, ୩) ବଡ଼କାନ୍ତି- ୪ ସରା, ୪) ସାନ କାନ୍ତି ୫ସରା, ୫) ସାନ ପିଠା-୧୦ସରା, ୬) ମାଠପୁଲି- ୨୦ମୂର୍ତ୍ତି, ୭) ବଡ଼ ହଂସକେଳି୪ ସରା,୮) ସାନ ହଂସକେଳି- ୫ ସରା, ୯) ସରବଡ଼ା ପିଠା- ୨୬ମୂର୍ତ୍ତି, ୧୦) ଝଢେଇ ନେଦା- ୨୨ଶୁଲା, ୧୧) ଟାକୁଆ-୨ସରା, ୧୨) ଧ୍ବଜ ପୂଜା ପିଠା-୫ସରା, ୧୩) ପଣସୁଆ (ନଡୁ)-୪, ୧୪) ବଡ଼ ସାନ ନାଡ଼ି ୧୬, ୧୫) ଓରିଆ-୧୦, ୧୬) ଖିରି- ୪ ଓଳି, ୧୭) ବଡ଼ କାକରା୪ ସରା, ୧୮) ସାନ କାକରା୨୦ମୂର୍ତ୍ତି, ୧୯) ବଡ଼ ବଡ଼ା-୨୦ ମୂର୍ତ୍ତି, ୨୦) ସାନ ବଡ଼ା୧୬ ମୂର୍ତ୍ତି, ୨୧) ବଡ଼ ନାଡ଼ି ୮ମୂର୍ତ୍ତି, ୨୨) ଘି ନାଡ଼ି୮ ମୂର୍ତ୍ତି, ୨୩) ତିପୁରୀ- ୩ ମୂର୍ତ୍ତି, ୨୪) ବଡ଼ ଆରିସା୮ ମୂର୍ତ୍ତି, ୨୫) ସାନ ଆରିସା-୧୬ ମୂର୍ତ୍ତି, ୨୬) ବଡ଼ ଅମାଲୁ- ୨୨ ମୂର୍ତ୍ତି, ୨୭) ସାନ ଅମାଲୁ ୫୦ ମୂର୍ତ୍ତି, ୨୮) ଗଜା-୫ ମୂର୍ତ୍ତି, ୨୯) କଦଳୀ ଓରିଆ ୨୦ମୂର୍ତ୍ତି, ୩୦) କାନିକା ୨୨, ୩୧) ପଖାଳ ୧୮, ୩୨) ମୁଗ-୪, ୩୩) ସାକେରା-୪ ଆଦି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।