ଯନ୍ତ୍ରଣା ଦେଇଛି ‘ମାଣିକ’: ସ୍ୱପ୍ନ ପାଇଁ ସର୍ବସ୍ୱ ହରାଇଛନ୍ତି ରଘୁ ପିଲ୍ଲାଇ, ଆର୍ଥିକ ଅନଟନରେ କଟୁଛି ଦିନ
"ସୁବ୍ରତ ସ୍ବାଇଁ କେନ୍ଦୁଝର: ଜୀବନରେ ଏମିତି କିଛି ସ୍ୱପ୍ନ ଥାଏ ଯାହା ପୂରଣ ହେବା ପରେ ମଣିଷକୁ ତା"ର ପରିଚୟ ମିଳିଥାଏ।
ଆଉ କିଛି ସ୍ୱପ୍ନ ପୂରଣ କରିବାକୁ ଯାଇ କେବଳ ଯନ୍ତ୍ରଣା ପାଏ।
ଓଡ଼ିଆ ଚଳଚ୍ଚିତ୍ର "ମାଣିକ" ପାଇଁ ଦେଖିଥିବା ସ୍ୱପ୍ନ ଆଜି ପ୍ରବୀଣ ଚିତ୍ରଶିଳ୍ପୀ ତଥା ଚଳଚ୍ଚିତ୍ର ନିର୍ମାତା ରଘୁ ପିଲ୍ଲାଇଙ୍କ ଜୀବନର ସବୁଠାରୁ ବଡ଼ ଯନ୍ତ୍ରଣାଦାୟକ ଅଧ୍ୟାୟ ହୋଇ ରହିଯାଇଛି।
ଯେଉଁ ସିନେମା ପାଇଁ ସେ ନିଜର ସଞ୍ଚିତ ସମ୍ପତ୍ତି, ଶ୍ରମକୁ ବାଜିରେ ଲଗାଇଥିଲେ ତାହା ତାଙ୍କୁ ସର୍ବହରା କରିଦେଇଛି।
୯୭ବର୍ଷ ବୟସରେ ପହଞ୍ଚିଥିବା ରଘୁ ପିଲ୍ଲାଇ ଆଜି କେନ୍ଦୁଝରର ଏକ ଭଡ଼ାଘରେ ନିଃସଙ୍ଗ ଜୀବନ ବିତାଉଛନ୍ତି।
ଅସୁସ୍ଥତା, ଆର୍ଥିକ ଅନଟନ ଓ ବୟସାଧିକ୍ୟ ସତ୍ତ୍ୱେ ତାଙ୍କ ହାତରୁ ତୂଳୀ ଖସିନାହିଁ।
କାନଭାସ୍, ରଙ୍ଗ, ତୂଳୀ ତାଙ୍କ ଜୀବନର ଶେଷସାଥୀ ପାଲଟିଛନ୍ତି।
Advertisment Congress: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ କର୍ଣ୍ଣାଟକ ସ୍ଥାନାନ୍ତର କଲା ମଧ୍ୟପ୍ରଦେଶ କଂଗ୍ରେସ କେରଳରେ ଜନ୍ମିତ ରଘୁ ଓଡ଼ିଶାର ମାଟି, ପବନ, ଐତିହ୍ୟକୁ ଭଲ ପାଉଥିବା ଜଣେ ମଣିଷ।
ଦାରିଦ୍ର୍ୟତା କାରଣରୁ ମାଟ୍ରିକ୍ ପର୍ଯ୍ୟନ୍ତ ପାଠପଢ଼ିବାର ସୁଯୋଗ ପାଇଥିଲେ।
ପରେ କେରଳରେ ଏକ ଆର୍ଟ ସ୍କୁଲରେ ଦୁଇବର୍ଷ ଶିକ୍ଷା ଗ୍ରହଣ କରିଥିଲେ।
୨୬ବର୍ଷ ବୟସରରେ ସେ କେରଳ ଛାଡ଼ି ଚେନ୍ନାଇ ପଳାଇଥିଲେ।
ସେଠାରେ କିଛିଦିନ ରହି ବିଭିନ୍ନ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବେ କାମ କଲେ।
ଅଭିଜ୍ଞତା ସାଉଁଟିବା ସତ୍ତ୍ବେ ଚଳଚ୍ଚିତ୍ର ଜଗତ ତାଙ୍କୁ ବାନ୍ଧି ରଖିପାରି ନଥିଲା।
୧୯୫୮ରେ ଷଢ଼େଇକଳା ଆସି ଏକ ଷ୍ଟୁଡିଓରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ।
କ୍ୟାମେରାର ଫଟୋ ମଧ୍ୟ ତାଙ୍କ ରଙ୍ଗତୂଳୀ ଆଗରେ ହାର ମାନିଯିବ।
କେନ୍ଦୁଝରର ଇଞ୍ଜିନିୟର ପ୍ରଫୁଲ୍ଲ କୁମାର ମିଶ୍ର ଗାଡ଼ି ମରାମତି କରିବାକୁ ଯାଇଥିବା ବେଳେ ରଘୁଙ୍କୁ ଭେଟିଥିଲେ।
୧୯୬୨ରେ ତାଙ୍କୁ କେନ୍ଦୁଝର ଡାକି ଆଣି ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ ଚିତ୍ର ଏବଂ ରାସ୍ତାର ଦୂରତା ସୂଚନାଫଳକରେ ଲେଖିବା ଦାୟିତ୍ୱ ଦେଇଥିଲେ।
ସେବେଠାରୁ ସେ କେନ୍ଦୁଝରିଆ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ବାଧୀନତା ସଂଗ୍ରାମୀ ଧରଣୀଧରଙ୍କ କୌଣସି ଫଟୋଚିତ୍ର ନଥିଲା।
ରାଜଉଆସରେ ଥିବା ଧରଣୀଧରଙ୍କ ଫଟୋ ମାତ୍ର କେଇ ମୁହୂର୍ତ୍ତ ଦେଖିବା ପରେ ସେ ନିଜ ରଙ୍ଗ, ତୂଳୀରେ ତାହାକୁ ବାସ୍ତବ ରୂପ ଦେଇଥିଲେ।
Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ ୧୯୮୦ରେ ରଘୁ ଓଡ଼ିଆ ଚଳଚ୍ଚିତ୍ର "ମାଣିକ" ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ।
ନିଜ ଝିଅଙ୍କ ନାମରେ ଗଠିତ ରୂପା ଇଣ୍ଟରନ୍ୟାସନାଲ୍ ବ୍ୟାନରରେ ସେ ଏହି ସିନେମା ନିର୍ମାଣ ଆରମ୍ଭ କରିଥିଲେ।
ଏଥିପାଇଁ ବ୍ୟାଙ୍କରୁ ସେ ପ୍ରାୟ ୧୦ଲକ୍ଷ ଟଙ୍କା ଋଣ ନେଇଥିଲେ।
ଏହାଛଡ଼ା ବହୁ ବର୍ଷର ସଞ୍ଚୟ ଅର୍ଥ ମଧ୍ୟ ଏହି ସିନେମାରେ ଖର୍ଚ୍ଚ କରିଥିଲେ।
ସିନେମା ସୁଟିଂ ଶେଷ ହେଲା, କିନ୍ତୁ ଆର୍ଥିକ ସଂକଟ ରଘୁଙ୍କୁ ଘେରିଥିଲା।
ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ସିନେମାର ଅଧିକାର ଅନ୍ୟ ହାତକୁ ଛାଡ଼ିବାକୁ ପଡ଼ିଲା।
ଯେଉଁ ସିନେମାକୁ ସେ ନିଜ ପ୍ରସ୍ତୁତ କରିଥିଲେ, ସେହି ସିନେମାରେ ତାଙ୍କର ପରିଚୟ କେବଳ କଳା ନିର୍ଦ୍ଦେଶକ ଓ ସ୍କ୍ରିନ୍ ରାଇଟ୍ରେ ସୀମିତ ରହିଲା।
ଏହି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା।
ପତ୍ନୀଙ୍କ ମୃତ୍ୟୁ ପରେ ରଘୁଙ୍କ ଜୀବନ ନିଃସଙ୍ଗ ହୋଇପଡ଼ିଛି।
ଦୁଇଝିଅଙ୍କ ବିବାହ ପରେ ସେ ଏବେ ଏକାକୀ ରହୁଛନ୍ତି।
ମାସକୁ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭତ୍ତା ମିଳୁଛି ମାତ୍ର ୧୨୦୦ ଟଙ୍କା।
ଚିକିତ୍ସା, ଘରଭଡ଼ା ଓ ଦୈନନ୍ଦିନ ଖର୍ଚ୍ଚ ଭରଣା କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି।
ଏହାସତ୍ତ୍ବେ ରଘୁଙ୍କ ମଧ୍ୟରେ ଆଜି ବି କଳା ପ୍ରତି ସେହି ନିଷ୍ଠା ରହିଛି।
ରଘୁଙ୍କ କହିବା ହେଲା, ବାର୍ଦ୍ଧକ୍ୟର ଯନ୍ତ୍ରଣାଠାରୁ "ମାଣିକ" ଦେଇଥିବା ଆର୍ଥିକ କ୍ଷତି ଏବଂ ଅଧୁରା ସ୍ୱପ୍ନ ତାଙ୍କୁ ଅଧିକ କଷ୍ଟ ଦେଉଛି।
ଓଡ଼ିଶାର କଳା, ସଂସ୍କୃତି ଓ ଚଳଚ୍ଚିତ୍ର କ୍ଷେତ୍ରକୁ ଅବଦାନ ଦେଇଥିବା ଏହି ପ୍ରବୀଣ କଳାକାରଙ୍କ ଅବସ୍ଥା ଆଜି ଅତ୍ୟନ୍ତ ଶୋଚନୀୟ।
ଜୀବନସାରା କଳା ପାଇଁ ନିଜକୁ ସମର୍ପିତ କରିଥିବା ରଘୁ ପିଲ୍ଲାଇଙ୍କ ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।