ମୃତ୍ୟୁକୁ ଭୟ କରୁନି, ଚଳିତ ବର୍ଷ ହିଁ ବାଂଲାଦେଶ ଫେରିବି : ହାସିନା

Jun 28, 2026 - 23:29
ମୃତ୍ୟୁକୁ ଭୟ କରୁନି, ଚଳିତ ବର୍ଷ ହିଁ ବାଂଲାଦେଶ ଫେରିବି : ହାସିନା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ମୃତ୍ୟୁକୁ ଭୟ କରୁନାହାନ୍ତି। ସମସ୍ତ ବାଧା ଓ ଷଡ୍‌ଯନ୍ତ୍ରକୁ ଅତିକ୍ରମ କରି ସେ ଚଳିତ ବର୍ଷ ହିଁ ନିଜ ଦେଶକୁ ଫେରିବେ। ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ସେ ଏହି ଘୋଷଣା କରିବା ସହ ବର୍ତ୍ତମାନର ବାଂଲାଦେଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବାଂଲାଦେଶରେ ତାଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଘୋଷଣା ହୋଇଥିଲେ ମଧ୍ୟ ସେ ଭୟଭୀତ ନୁହନ୍ତି ବୋଲି କହିଛନ୍ତି। ହସିନାଙ୍କ ମତରେ, ସେ ପାଞ୍ଚ ଥର ଜନମତ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ନିଜ ଜୀବନର ଅଧିକାଂଶ ସମୟ ବାଂଲାଦେଶ, ଆୱାମୀ ଲିଗ୍ ଓ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଉତ୍ସର୍ଗ କରିଛନ୍ତି। ସେଥିପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଦେଶକୁ ଫେରିବାକୁ ଦୃଢ଼ ସଙ୍କଳ୍ପବଦ୍ଧ। ଆୱାମୀ ଲିଗ୍‌ର ସାଂଗଠନିକ ଶକ୍ତି ସମ୍ପର୍କରେ ସେ କହିଛନ୍ତି, ଏହି ଦଳ କେବଳ ଏକ ରାଜନୈତିକ ସଂଗଠନ ନୁହେଁ, ବରଂ ବାଂଲାଦେଶର ଲୋକଙ୍କ ସହ ଜଡ଼ିତ ଏକ ଶକ୍ତି। ଇତିହାସରେ ଦଳ ଅନେକଥର ଆକ୍ରମଣ, ନିଷେଧାଦେଶ ଓ ଦମନର ସମ୍ମୁଖୀନ ହୋଇଥିଲେ ମଧ୍ୟ ପ୍ରତିଥର ଜନସମର୍ଥନ ବଳରେ ପୁଣି ଏହା ଫେରିଛି । ବର୍ତ୍ତମାନର ସରକାର ଅଧୀନରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଓ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅର୍ଥନୀତି ଦୁର୍ବଳ ହୋଇଛି, ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବଢ଼ିଛି ଏବଂ ଉଗ୍ରବାଦ ମୁଣ୍ଡ ଟେକୁଛି ବୋଲି ହସିନା କହିଛନ୍ତି। ମନ୍ଦିର ଓ ଉପାସନାସ୍ଥଳ ଉପରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆୱାମୀ ଲିଗ୍‌ ଉପରେ ଲାଗିଥିବା ନିଷେଧାଦେଶ ହଟାଯିବା, ଦଳୀୟ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବା ଏବଂ ସ୍ୱାଭାବିକ ରାଜନୈତିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବା ଆବଶ୍ୟକ।