ମନମୋହୁଛନ୍ତି ଶରବରୀ

ଭାରତ-ପାକିସ୍ତାନ ବିଭାଜନର ପୃଷ୍ଠଭୂମି ଉପରେ ଆଧାରିତ ଏବଂ ନିର୍ଦ୍ଦେଶକ ଇମତିଆଜ୍ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ମୈଁ ୱାପସ ଆଉଙ୍ଗା'କୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ତେବେ ନିକଟରେ ଏହାର ମୁଖ୍ୟ କଳାକାର ଶରଭରୀ ଓ ବେଦାଙ୍ଗ ରାଇନା ଏକ ସ୍ପେଶାଲ ସ୍କ୍ରିନିଂ ଅବସରରେ ହଲରେ ପହଞ୍ଚି ଦର୍ଶକଙ୍କ ସହ ସମୟ ବିତାଇଛନ୍ତି । ଫିଲ୍ମକୁ ମିଳୁଥିବା ଏହି ଭଲପାଇବା ଓ ବକ୍ସ ଅଫିସରେ ବଢ଼ୁଥିବା ଆୟକୁ ଦେଖି ଅଭିନେତ୍ରୀ ଶରବରୀ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖିଛନ୍ତି । ଏଥିରେ ସେ ପ୍ରଶଂସକଙ୍କ ଟ୍ରେଣ୍ଡକୁ ରିକ୍ରିଏଟ୍ କରି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ କିଛି କାହାଣୀ ପରଦା ପଛରେ ଶେଷ ହୁଏନାହିଁ ବରଂ ଦର୍ଶକଙ୍କ ଭାବନା ଓ ରିଲ୍ସ ମାଧ୍ୟମରେ ଜୀବନ୍ତ ରହିଥାଏ । ଦର୍ଶକ ଚଳଚ୍ଚିତ୍ରର ଦୁଇ ଚରିତ୍ର ଜିଆ ଓ କିନୁଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି ତେଣୁ ସେ ଖୁବ ଖୁସି । ପାକିସ୍ତାନରୁ ଭାରତ ଆସିଥିବା ଏକ ଶିଖ୍ ପରିବାରର ତିନି ପିଢ଼ିର ଅଧୁରା ପ୍ରେମ ଏବଂ ବିଭାଜନର ଯନ୍ତ୍ରଣାକୁ ଦେଖାଉଥିବା ଏହି ସିନେମାରେ ୯୫ ବର୍ଷର ବୃଦ୍ଧ କିନୁ (ନସୀରୁଦ୍ଦିନ ଶାହା) ନିଜ ଶେଷ ସମୟରେ ନିଜ ପ୍ରେମିକା ଆଫସାନା (ଶରବରୀ)ଙ୍କୁ ମନେ ପକାଇ ପୁଣିଥରେ ପାକିସ୍ତାନର ସରଗୋଧା ଫେରିବାକୁ ଚାହୁଁଛନ୍ତି । ଯେଉଁଥିରେ ତାଙ୍କ ନାତି ନିରଭୈର (ଦିଲଜିତ ଦୋସାଞ୍ଜ) ସାହାଯ୍ୟ କରୁଛନ୍ତି । ଏହି ମର୍ମସ୍ପର୍ଶୀ ପ୍ରେମ କାହାଣୀକୁ କେବଳ ସାଧାରଣ ଜନତା ନୁହଁନ୍ତି, ବରଂ ପାକିସ୍ତାନୀ ଚଳଚ୍ଚିତ୍ର ନିର୍ମାତା ଉମର ନାସିର ଅଲୀଙ୍କ ସମେତ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଜୋୟା ଅଖତର, ଅନୁରାଗ କଶ୍ୟପ ଏବଂ ଅନୁଭବ ସିହ୍ନା ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ବିଶେଷଭାବେ ଶରବରୀଙ୍କ ଅଭିନୟ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି ।