ବୋଲେରୋକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଆଈ-ନାତୁଣୀ ମୃତ
ବୋଲେରୋକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଆଈ-ନାତୁଣୀ ମୃତ
ନନ୍ଦିଘୋଷ ବ୍ୟୁରୋ: ଝିଅର ଚିକିତ୍ସା ପାଇଁ ଆସିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ମୃତକମାନେ ସମ୍ପର୍କରେ ଆଈ ଓ ନାତୁଣୀ । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ତ୍ରିସଲପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ । ପଶ୍ଚିମବଙ୍ଗ ଖଡକପୁର ଅଞ୍ଚଳରୁ କଟକକୁ ଚିକିତ୍ସା ପାଇଁ ଝିଅକୁ ଆଣୁଥିବା ବେଳେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବୋଲେରୋକୁ ଧକ୍କା ଦେଇଥିଲା ।
ସୂଚନାଯୋଗ୍ୟ, ଖଡ଼ଗପୁର ଅଞ୍ଚଳର ଶିବନାଥ ଗୁରୁ ଏବଂ ବରୁଣା ଗୁରୁ ନିଜ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ମେଡିକାଲ ଆସୁଥିଲେ । ତ୍ରିସଳପୁର ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେବା ପରେ ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରେ ଫସି ରହିଥିବା ଗୁରୁତରଙ୍କୁ ଉଦ୍ଧାର କରିଥିଲା । ବାପା, ମାଆ, ଝିଅ ସହ ଆଈଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମାଆ ଗୁରୁତର ଅଛନ୍ତି । ମୃତକ ଆଈ ହେଲେ ମାଳତୀ ଦଣ୍ଡପାଟ ଓ ନାତୁଣୀ ଖୁସି । ଅନ୍ୟପଟେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା କରାଇବା ସହ ପୋଲିସ ତାଙ୍କୁ ଅଟକ ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
