ବିବାହ ପରେ ପ୍ରେମ ସମ୍ପର୍କକୁ ଲୁଚାଇବା ଗୋପନୀୟତା ଅଧିକାର ନୁହେଁ: ସୁପ୍ରିମକୋର୍ଟ

Jul 04, 2026 - 13:43
ବିବାହ ପରେ ପ୍ରେମ ସମ୍ପର୍କକୁ ଲୁଚାଇବା ଗୋପନୀୟତା ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀ କିମ୍ବା ସ୍ତ୍ରୀଙ୍କଠାରୁ ସମ୍ପର୍କର ପ୍ରମାଣ ଲୁଚାଇବା ପାଇଁ ସମ୍ବିଧାନର ଧାରା ୨୧କୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରାଯାଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଛାଡପତ୍ର ମାମଲାରେ ଯଦି ବ୍ୟଭିଚାର ପ୍ରମାଣ କରିବା ପାଇଁ ମୋବାଇଲ୍ କଲ୍ ରେକର୍ଡ କିମ୍ବା ହୋଟେଲ ରହଣି ରେକର୍ଡ ଆବଶ୍ୟକ ପଡ଼େ ତେବେ ଗୋପନୀୟତା ଅଧିକାରର ଆଳ ଦେଖାଇ ଏହି ପ୍ରମାଣଗୁଡ଼ିକୁ କୋର୍ଟରେ ଉପସ୍ଥାପନ କରିବାରୁ ରୋକାଯାଇପାରିବ ନାହିଁ। ବିଚାରପତି ମନମୋହନ ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ କାଏମ୍ ରଖି ସ୍ୱାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଏକ ଦମ୍ପତି ୧୯୯୮ ମସିହାରେ ବିବାହ କରିଥିଲେ ଏବଂ ୨୦୦୦ ମସିହାରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କର ବିବାହ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରହିଛି ଏବଂ ସ୍ବାମୀ ଉକ୍ତ ମହିଳାଙ୍କ ସହିତ ଜୟପୁରର ଏକ ହୋଟେଲରେ ରହିଥିଲେ। ଅଭିଯୋଗ ପରେ, ପତ୍ନୀ ଛାଡପତ୍ର ଆବେଦନ ଦାଖଲ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ହୋଟେଲ ବୁକିଂ ରେକର୍ଡ ଏବଂ ମୋବାଇଲ୍ କଲ୍ ବିବରଣୀ ଦାଖଲ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। ପରିବାର କୋର୍ଟ ଏହି ଅନୁରୋଧକୁ ମଞ୍ଜୁର କରିଥିଲେ। ଏହି ରାୟକୁ ପରେ ଦିଲ୍ଲୀ ହାଇକୋର୍ଟ ଏବଂ ବର୍ତ୍ତମାନ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି।
ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଜନସ୍ୱାର୍ଥ ଏବଂ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ଲଗାଯାଇପାରିବ। ହିନ୍ଦୁ ବିବାହ ଆଇନ ବିଶ୍ୱାସଘାତକତାକୁ ଛାଡପତ୍ର ପାଇଁ ଏକ ଆଇନଗତ କାରଣ ଭାବରେ ମାନ୍ୟତା ଦିଏ। ତେଣୁ, ବିବାହ କରି ଅନ୍ୟ ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିବାର ଅଭିଯୋଗରେ ଅଭିଯୁକ୍ତ ଜଣେ ବିବାହିତ ପୁରୁଷଙ୍କୁ ସହାୟତା କରିବା ପାଇଁ ଗୋପନୀୟତାର ଅଧିକାରକୁ କୋର୍ଟ ଏକ ଢାଲ ଭାବେ ବ୍ୟବହାର କରିବା ଜନସ୍ୱାର୍ଥ ଉପଯୋଗୀ ହେବ ନାହିଁ। ସ୍ବାମୀଙ୍କ ହୋଟେଲ୍ ରିଜର୍ଭେସନ୍ ଏବଂ କଲ୍ ଡିଟେଲ୍ ରେକର୍ଡର ବିବରଣୀ ପ୍ରଦାନ କରିବାକୁ ପରିବାର କୋର୍ଟଙ୍କର ରାୟକୁ କାଏମ୍ ରଖି ହାଇକୋର୍ଟ ରାୟ ପ୍ରଦାନ କରିଥିଲେ। ଏହି ରାୟ ବିରୋଧରେ ଆବେଦନକାରୀ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ସେଠାରେ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖାଯାଇଛି।