ବଲୁଚିସ୍ତାନରେ ବିଏଲଏର ଆତ୍ମଘାତୀ ବିସ୍ପୋରଣ: ୩୦ ପାକିସ୍ତାନୀ ସୈନିକ ନିହତ

Jul 04, 2026 - 13:43
ବଲୁଚିସ୍ତାନରେ ବିଏଲଏର ଆତ୍ମଘାତୀ ବିସ୍ପୋରଣ: ୩୦ ପାକିସ୍ତାନୀ ସୈନିକ ନିହତ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଦ୍ବାରା ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦ ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ବହୁ ଲୋକ ଗୁରୁତର ଆହତ ହୋଇଥିବାବେଳେ ଭଙ୍ଗା କୋଠା ତଳେ ଅନେକ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସଂଗଠନ ଦାବି କରିଛି। ବିଏଲଏ ଏକ ବିବୃତିରେ କହିଛି, ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ଜିୱାନିର ପାନୱାନ୍ ତଟରକ୍ଷୀ ଘାଟିକୁ ସୁଚିନ୍ତିତ ଅଭିଯାନ ଅନ୍ତର୍ଗତ ଟାର୍ଗେଟ କରିଥିଲା। ବିଏଲଏର ଖାସ୍ ମାଜିଦ୍ ବ୍ରିଗେଡ୍ ଦ୍ୱାରା ଶୁକ୍ରବାର ସନ୍ଧ୍ୟାରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଥିଲା। ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକକୁ ତଟରକ୍ଷୀ ଶିବିର ଭିତରରେ ଧସାଇ ପଶି ବିସ୍ଫୋରଣ ଘଟାଇଥିଲେ ବୋଲି ବିଏଲଏ ମୁଖପାତ୍ର ଜିଆନ୍ଦ୍ ବଲୁଚ୍ କହିଛନ୍ତି।