ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

May 18, 2026 - 13:31

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆରଡି ୪୧୪୫ରୁ ଆରଡି ୫୧୪୦ ପର୍ଯ୍ୟନ୍ତ ୫୦କୋଟି ଟଙ୍କାରେ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ।

ଏହି ଅବସରରେ ହଜାର ହଜାର ମହିଳା, ଯୁବକଙ୍କ ଦ୍ୱାରା ସ୍ଥାନୀୟ ନିଶାମଣି ପଡ଼ିଆରୁ ବିରାଟ ଶୋଭାଯାତ୍ରା ବାହାରି, ସରକାରୀ ବସଷ୍ଟାଣ୍ଡ, ଗାନ୍ଧୀଛକ ଦେଇ କେନାଲ ଛକକୁ ପହଞ୍ଚତ୍ଥିଲା। ପରେ ପୂଜାର୍ଚ୍ଚନା କରାଯାଇ ବିଧାୟକ ଷଡ଼ଙ୍ଗୀ ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭାରମ୍ଭ କରିଥିଲେ।

ଧନୁଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରକଳ୍ପ ପାଇଁ ଅନୁରୋଧ କରାଯାଇଥିଲା ଓ ମଞ୍ଚ ଉପରେ ହିଁ ମୁଖ୍ୟମନ୍ତ୍ରୀ ଘୋଷଣା କରି ଏହି ପ୍ରକଳ୍ପ ବରଗଡ଼ ବାସୀଙ୍କୁ ଭେଟି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦କୋଟି ଟଙ୍କା ମଞ୍ଜୁର କରାଯାଇଛି ଓ ଟେଣ୍ଡର ମଧ୍ୟ ଶେଷ ହୋଇଛି। ଶୀଘ୍ର କାମ ଆରମ୍ଭ ହେବ ଏବଂ ବରଗଡ଼ବାସୀଙ୍କ ପାଇଁ ବେଶ ଲାଭ ଦାୟକ ହେବ ବୋଲି ବିଧାୟକ କହିଥିଲେ।

କେନାଲ ଭେନ୍ୟୁ ପାଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦେଇ ଥିବାବେଳେ ମୁଖ୍ୟଯନ୍ତ୍ରୀ ଏବଂ ଅବବାହିକା ପରିଚାଳକ ସୁଶୀଲ କୁମାର ବେହେରା, ବରଗଡ଼ ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠି, ଜିଲା ଠିକାଦାର ସଂଘ ସଭାପତି ସୁଧାଂଶୁ ଗଡ଼ତିଆ, ସମ୍ପାଦକ ବିଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସଞ୍ଜୀବ ମହାପାତ୍ର ମଞ୍ଚ ପରିଚାଲନା କରିଥିଲେ।

 

The post ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।