ପୋଡପିଠା

Jul 21, 2026 - 16:19
ପୋଡପିଠା

 

 

ସାମଗ୍ରୀ

ଅରୁଆ ଚାଉଳ ଗୁଣ୍ଡ : ୨ କପ, ଛେନା : ୧ କପ (ହାତରେ ଭଲଭାବେ ଚକଟା ହୋଇଥିବା), ଗୁଡ଼: ୧.୫ କପ, ଶୁଦ୍ଧ ଗାଈ ଘିଅ : ୩-୪ ଚାମଚ, କୋରା ନଡ଼ିଆ: ୧ କପ,ନଡ଼ିଆ ଖଣ୍ଡ (ଛୋଟ ଛୋଟ କଟା ହୋଇଥିବା) : ଅଧ କପ,  ଗୁଜୁରାତି ଗୁଣ୍ଡ: ୧ ଛୋଟ ଚାମଚ, ମରିଚ ଗୁଣ୍ଡ : ୧/୨ ଛୋଟ ଚାମଚ, ହେଙ୍ଗୁ , କାଜୁ ଓ କିସମିସ୍: ଆବଶ୍ୟକ ଅନୁସାରେ, କଦଳୀ ପତ୍ର ।

ପ୍ରସ୍ତୁତି

ପୋଡ଼ ପିଠା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କଡ଼େଇରେ ୩ କପ୍ ପାଣି ଗରମ କରି ସେଥିରେ ଗୁଡ଼କୁ ଭଲଭାବେ ମିଳେଇବାକୁ ଦିଅନ୍ତୁ । ଗୁଡ଼ ପାଣି ଫୁଟି ଆସିଲେ ସେଥିରେ କୋରା ନଡ଼ିଆ, କଟା ନଡ଼ିଆ ଖଣ୍ଡ, ହାତରେ ଚକଟା ହୋଇଥିବା ଛେନା, କାଜୁ, କିସମିସ୍, ଗୁଜୁରାତି ଗୁଣ୍ଡ, ମରିଚ ଗୁଣ୍ଡ, ହେଙ୍ଗୁ ଏବଂ ୨ ଚାମଚ ଗାଈ ଘିଅ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଆଞ୍ଚକୁ ଧିମା କରି ସେହି ଫୁଟୁଥିବା ମିଶ୍ରଣରେ ଅଳ୍ପ ଅଳ୍ପ କରି ଚାଉଳ ଗୁଣ୍ଡ ପକାଇ ଚାଟୁ ସାହାଯ୍ୟରେ କ୍ରମାଗତ ଭାବେ ଗୋଳାନ୍ତୁ, ଯେପରି କୌଣସି ମୁଣ୍ଡା ବାନ୍ଧିବ ନାହିଁ ଏବଂ ମିଶ୍ରଣଟି ଶକ୍ତ ହୋଇ କଡ଼େଇ ଛାଡ଼ିବା ପର୍ଯ୍ୟନ୍ତ ଏହି ଜନ୍ତଣୀକୁ ରାନ୍ଧି ସାମାନ୍ୟ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଏବେ ଏକ ମୋଟା ସସପ୍ୟାନ୍ କିମ୍ବା ବେକିଙ୍ଗ୍ ପାତ୍ରରେ ଘିଅ ଲଗାଇ ତାର ତଳ ଓ ଚାରିପାଖରେ କଦଳୀ ପତ୍ର ବିଛାଇ ଦିଅନ୍ତୁ। ପତ୍ର ଉପରେ ସାମାନ୍ୟ ଘିଅ ଲଗାଇ ପ୍ରସ୍ତୁତ ଜନ୍ତଣୀକୁ ସେଥିରେ ଢାଳି ହାତରେ ସମାନ ଭାବେ ଦବାଇ ସେଟ୍ କରିଦିଅନ୍ତୁ। ଉପରୁ କିଛି କଟା ନଡ଼ିଆ ଓ କାଜୁ ସଜାଇ ଆଉ ଏକ କଦଳୀ ପତ୍ର ଘୋଡ଼ାଇ ଦିଅନ୍ତୁ । ଶେଷରେ, ଗ୍ୟାସ୍ଉପରେ ଏକ ମୋଟା ତାୱା ରଖି ତା' ଉପରେ ଏହି ପିଠା ପାତ୍ରଟିକୁ ରଖନ୍ତୁ ଏବଂ ଏକ ଭାରି ଢାଙ୍କୁଣୀ ଘୋଡ଼ାଇ ସମ୍ପୂର୍ଣ୍ଣ ଧିମା ଆଞ୍ଚରେ ୪୫ ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ପିଠା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଏହାକୁ କାଟି ନିଅନ୍ତୁ । ଏହାକୁ ପାରମ୍ପରିକ ଉପାୟରେ ଚୁଲିରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।