ପୋଖରୀ ଭିତରକୁ ବରଯାତ୍ରୀ ଗାଡି ଖସି ୫ ମୃତ
ଢେଙ୍କାନାଳ : ବରଯାତ୍ରୀରେ ଯୋଗ ଦେବା ନୋହିଲା । ବରଯାତ୍ରୀ ଯାତ୍ରା ହେଲା ଶେଷ ଯାତ୍ରା । ବାହାଘର ଖୁସିରେ ସାମିଲ ହେବା ପୂର୍ବରୁ ଅଧା ରାସ୍ତାରୁ ୫ ଜଣଙ୍କୁ ଟାଣି ନେଲା ଯମ । ବରଯାତ୍ରୀରେ ସାମିଲ ହେବାକୁ ଯାଉଥିବାବେଳେ ପୋଖରୀରେ ଗାଡ଼ି ବୁଡ଼ି ୫ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ୨ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଗତ ବିଳମ୍ବିତ ରାତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଇନ୍ଦିପୁର-ଛାଟିଆ ଗାଁ ନିକଟରେ । ବାହାଘରର ଖୁସିରେ ସାମିଲ ହେବାକୁ ଗୋଟିଏ ଗାଡ଼ିରେ ବାହାରିଥିଲେ ସାତ ଜଣ ଯାଉଥିବା ସୂଚନା ମିଳିଛି ।
ସୂଚନାନୁସାରେ,ଗତକାଲି ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁ ରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା । ଏଥିରେ ଯୋଗଦେବାକୁ ବାଙ୍ଗୁର ସିଂହ ଗାଁରୁ ଇନ୍ଦୁପୁର ଛାଟିଆ ଗାଁକୁ ଏକ ଏକସୟୁଭି ଗାଡ଼ିରେ ୭ ଜଣ ଆସୁଥିଲେ । ତେବେ ଛତିଆ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ଫଳରେ କାର ଭିତରର ଥିବା ସାତ ଜଣଙ୍କ ମଧ୍ୟରୁ ୫ଜଣ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା । ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତକ ହେଲେ ବାଙ୍ଗୁରସିଂହ ଗାଁର ରାମ ସାହ, ଅବିନାଶ ସାହୁ , ରାକେଶ କୁମାର ସାହୁ , ଚନ୍ଦ୍ରକାନ୍ତ ସ୍ବାଇଁ ଓ ଅନ୍ୟ ଜଣେ ବରର ମାଉସି ପୁଅ ଭାଇ । ମୃତଦେହକୁ ବ୍ୟବଛେଦ ପାଇଁ ଢେଙ୍କାନାଳ ଡାକ୍ତରଖାନା ପଠାଯାଇଛି । ଏହି ଦୁଃଖଦ ଖବର ବାଙ୍ଗୁରସିଂହ ଓ ଇନ୍ଦିପୁର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।