ପୁରୀ ସ୍ବର୍ଗଦ୍ବାରରେ ଏକାଠି ଜଳିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ମୃତ ଗୋଟିଏ ପରିବାରର ୭ ଜଣଙ୍କ ଜୁଇ
ପୁରୀ ସ୍ବର୍ଗଦ୍ବାରରେ ଏକାଠି ଜଳିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ମୃତ ଗୋଟିଏ ପରିବାରର ୭ ଜଣଙ୍କ ଜୁଇ
ନନ୍ଦିଘୋଷ ବ୍ୟୁର: ପୁରୀ ସ୍ବର୍ଗଦ୍ବାରରେ ଶୋକାକୂଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ନିରବୀ ଯାଇଥିବା ସ୍ବର୍ଗଦ୍ବାର ଅଞ୍ଚଳ । ଏକା ସାଙ୍ଗରେ ଜଳିଥିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୋଟିଏ ପରିବାରର ୭ ଜଣଙ୍କ ଜୁଇ ।
ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି । ମୃତ ଭଉଣୀ ରୀତାରାଣୀ, ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଏବଂ ତାଙ୍କ ପୁଅ ସମେତ ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା । ଶିବ ପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ ।
ରାଜ୍ୟ ସରାକରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ପହଞ୍ଚିଥିଲା ମରଶରୀର । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀର ପହଞ୍ଚିବା ପରେ ଭୁବନେଶ୍ବର ଜୟଦେବ ବିହାରରେ ଦେଖିବାକୁ ମିଳିଥିଲା ଶୋକର ଛାୟା । ଗତ ବୁଧବାର ଉଜ୍ଜୟିନୀରେ ଏକ କାର ଯୋଗେ ସମସ୍ତେ ଯାଇଥିଲେ ବଗଳାମୁଖି ମନ୍ଦିର । ମାଆଙ୍କ ମନ୍ଦିରରୁ ଫେରିବା ବେଳେ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭରଙ୍କ ଦୁଃସାହାସ ଓ ଅବହେଳା କାରଣରୁ ନାଳରେ ଭାସି ଯାଇଥିଲା କାର । ଫଳରେ ଡାଇଭରଙ୍କ ସମେତ ୮ ଜଣଙ୍କ ଅକାଳରେ ଚାଲି ଯାଇଥିଲା ଜୀବନ । ବାନାମ୍ବରଙ୍କ ପୁଅ, ଝିଅ, ଜ୍ବାଇଁଙ୍କ ସମେତ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ଥିଲେ ।
ଗତକାଲି ମୃତଦେହ ଭୁବନେଶ୍ବର ପହଞ୍ଚିବା ସମୟରେ ଆଇନମନ୍ତ୍ରୀ, ଭୁବନେଶ୍ବର ବିଧାୟକ ଉପସ୍ଥିତ ଥିଲେ । ଭୁବନେଶ୍ବର ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଗାଡ଼କଣକୁ ଯାଇଥିଲା ମୃତଦେହ । ଏହାପରେ ମୃତଦେହ ପୁରୀ ସ୍ବର୍ଗଦ୍ବାର ନେଇ ସେଠାରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
