ପାଠ୍ୟ ପୁସ୍ତକରେ ତ୍ରୁଟି , ସରିଲା ତଦନ୍ତ

ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି ତାହା ଅନୁଧ୍ୟାନ କରିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ଯାଂଚ କରିବା ପରେ ଏକାଧିକ ଫାଇଲ ନେଇଛନ୍ତି । ମୁଖ୍ୟତଃ କଣ୍ଟେଣ୍ଟ ପ୍ରସ୍ତୁତି ଓ ବିକଶିତ କରାଯାଇଥିବା ଦସ୍ତାବିଜର ତନ୍ନ ତନ୍ନ କରି ଯାଂଚ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି କମିଟି ରିପୋର୍ଟ ଦାଖଲ କରିପାରେ । ଏନେଇ କେଉଁ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପାୱାର କରିଡରରେ ଚର୍ଚ୍ଚା ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତରେଶହଶହ ତ୍ରୁଟି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । SCERT ନିର୍ଦ୍ଦେଶିକା, ଉପ-ନିର୍ଦ୍ଦେଶକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏହି ତ୍ରୁଟି ସମ୍ପର୍କରେ କରିଛନ୍ତି ପଚରାଉଚରା ।
ପାଠ୍ୟପୁସ୍ତକ ରଚନା ସମୟରେ ବିଭିନ୍ନ ବିଷୟ ପାଇଁ ବିଭିନ୍ନ ସମ୍ପାଦନାମଣ୍ଡଳୀ ଗଠନ ହୋଇଥିଲା । ଏଥିରେ ସାମିଲ ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ପାଠ୍ୟପୁସ୍ତକ ତ୍ରୁଟି ଜଣାପଡ଼ିବା ପରେ ବିଷୟ ବିଶେଷଜ୍ଞ, ସମ୍ପାଦନା ମଣ୍ଡଳୀକୁ ଖୋଜାପଡୁ଼ଛି । ଚଳିତବର୍ଷ ପାଇଁ ଆଉ ପାଠ୍ୟପୁସ୍ତକ ନ ଛାପି ତାର ସମାଧାନ କରିବା ପାଇଁ ଲାଗିଛି ବିଭାଗ । କିନ୍ତୁ ଆସନ୍ତା ଶିକ୍ଷାବର୍ଷ (୨୦୨୭-୨୮) ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା ୨ ମାସ ମଧ୍ୟରେ ଆରମ୍ଭ ହେବ । ଏହି ବହି ଯେପରି ନିର୍ଭୁଲ ହେବ ସେଥିପ୍ରତି ଯୋଜନା ପ୍ରସ୍ତୁତି କରାଯାଉଛି । ଆଗୁଆ ସୁସ୍ଥ ଭାବେ ସମୀକ୍ଷା କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ଏସ୍ସିଇଆର୍ଟି ପକ୍ଷରୁ ସୂଚନା ମିଳିଛି ।