ନୂଆ ଅନ୍ଦାଜ

ସମୟ ଅନୁସାରେ ଦର୍ଶକଙ୍କର ରୁଚି ଓ ଚାହିଦା ବଦଳୁଛି । ହେଲେ ଓଟିଟି ପ୍ଲାଟଫର୍ମ ବର୍ତ୍ତମାନ ନବେଦଶକର ଷ୍ଟାରଙ୍କ ସହିତ ନୂଆ କାହାଣୀ ଯୋଡିବାର ଅଭିନବ ଧାରା ଆରମ୍ଭ କରିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦର୍ଶକ ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଏହି ଟ୍ରେଣ୍ଡ ଏବେ ଖୁବ ଅଧିକମାତ୍ରାରେ ଗ୍ରହଣୀୟ ହେବାରେ ଲାଗିଛି, ଯାହା ଦର୍ଶକଙ୍କ ପାଖରେ ତାଙ୍କର ପସନ୍ଦର ପୁରୁଣା ଅଭିନେତାଙ୍କୁ ନୂଆ ରୂପରେ ଲଞ୍ଚ କରୁଛି ।
ଭାରତୀୟ ମନୋରଞ୍ଜନ ଜଗତରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁଠାରେ ସିନେମାହଲ ଗୁଡ଼ିକରେ ନୂଆ ପିଢ଼ିର କଳାକାର ଏବଂ ଫ୍ରାଞ୍ଚାଇଜ୍ ଚଳଚ୍ଚିତ୍ରଗୁଡ଼ିକର ଦବଦବା ବଢ଼ୁଛି । ତେବେ ଓଟିଟି ପ୍ଲାଟଫର୍ମଗୁଡ଼ିକର ଭୂମିକା ଏହି କ୍ରମରେ ଖୁବ ଗୁରୁତ୍ବପୂର୍ଣ୍ଣ ହେବାରେ ଲାଗିଛି । ୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭିକ ସମୟର କଳାକାରମାନଙ୍କର ଦ୍ୱିତୀୟ ଇନିଂସ ଏହି ଓଟିଟି କାରଣରୁ ଅଧିକ ମଜବୁତ ହେବାରେ ଲାଗିଛି । ସନି ଦେଓଲ, ବବି ଦେଓଲ, ମାଧୁରୀ ଦୀକ୍ଷିତ, ଜୁହି ଚାୱଲା, କାଜୋଲ, ରବିନା ଟଣ୍ଡନ, କରିସ୍ମା କପୁର, ଅକ୍ଷୟ ଖନ୍ନା ଏବଂ ରାଜୀବ ଖଣ୍ଡେଲୱାଲଙ୍କ ଭଳି ନାମ ଏବେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି । ନିକଟରେ ଘୋଷଣା କରାଯାଇଥିବା ‘ଇକ୍କା’ ଚଳଚ୍ଚିତ୍ରରେ ସନି ଏବଂ ଅକ୍ଷୟଙ୍କ ଯୋଡ଼ି ହେଉ, ଆର୍ୟନ ଖାନଙ୍କ ପ୍ରୋଜେକ୍ଟରେ ବବିଙ୍କ ଉପସ୍ଥିତି ହେଉ କିମ୍ବା ‘ଦି ରେଲୱେ ମ୍ୟାନ୍’ରେ କେ.କେ. ମେନନ ଓ ଆର୍. ମାଧବନଙ୍କ ଭଳି କଳାକାର ହେଉନ୍ତୁ, ଏହି ସବୁ ପ୍ରୋଜେକ୍ଟ ଏବେ ବେଶ୍ ଚର୍ଚ୍ଚିତ । ଏହା ପଛରେ ଓଟିଟି କମ୍ପାନୀଗୁଡ଼ିକର ପୁରୁଣା ଚେହେରାମାନଙ୍କ ସହ ନୂଆ କାହାଣୀ ନେଇ କୋଟି କୋଟି ଟଙ୍କାର ବାଜି ଲଗାଇବାର ଏକ ସ୍ପଷ୍ଟ ରଣନୀତି ଦେଖାଯାଉଛି ।