ନର୍ସିଂ ସେମିଷ୍ଟାର ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର : ବିଏସ୍ସି ନର୍ସିଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବିବାଦର ଅନ୍ତ ଘଟିଛି । ବାଲେଶ୍ୱର ଫକୀର ମୋହନ (ଏଫଏମ୍) ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଫଳରେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୯ଟି କଲେଜର ଶତାଧିକ ବିଏସ୍ସି ନର୍ସିଂ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଆଜି ଅପରାହ୍ନ ୪ଟା ୩୦ ସୁଦ୍ଧା ଫର୍ମ ଫିଲପ୍ ଶେଷ କରିବାକୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ ୪ ବର୍ଷର ନର୍ସିଂ କୋର୍ସ ପାଇଁ ୬ ବର୍ଷ ମଧ୍ୟ ଆଉ ୨ଟି ସେମିଷ୍ଟାର ପରୀକ୍ଷା ବାକି ରହିଥିଲା । ପରୀକ୍ଷା କେବେ ହେବ ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କୌଣସି ନିର୍ଦିଷ୍ଟ ତାରିଖ ବାହାର କରୁ ନଥିବାରୁ ଗତ ୨ଦିନ ଧରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କଲେଜର ଭୁଲ ବୋଲି କହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟର ଭୁଲ ବୋଲି କହୁଥିଲେ ।
ଗତକାଲି ଆନ୍ଦୋଳନରତ ଛାତ୍ରୀମାନେ ନିରୁପାୟ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି କାନ୍ଦି ନେହୁରା ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ ରୁ ୨୦୫ ଶିକ୍ଷାବର୍ଷର ଏହି ୪ ବର୍ଷିଆ ବିଏସ୍ସି ନର୍ସିଂ କୋର୍ସ ପାଇଁ କଲେଜଗୁଡ଼ିକ ୬ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋର୍ସ ଫି’ ନିର୍ଦ୍ଧାରଣ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ପ୍ରାୟ ୯୦ ପ୍ରତିଶତ ଅର୍ଥ ଆଦାୟ କରି ସାରିଥିଲେ ମଧ୍ୟ ସେମାନଙ୍କର ଅବହେଳା ଯୋଗୁଁ ୬ ବର୍ଷ ବିତିଯାଇଥିଲେ ବି ପାଠପଢ଼ା ଶେଷ ହେଉ ନଥିଲା କି ପରୀକ୍ଷା କରାଯାଉ ନଥିଲା ।
ସେପଟେ, ଏହି ଘଟଣା ପରେ ବାଲେଶ୍ୱର ଜିଲ୍ଲାର ୧୬ଟି ନର୍ସିଂ କଲେଜକୁ ନୋଟିସ୍ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା କାହିଁକି ହେଲା ନାହିଁ, ତାର ରିପୋର୍ଟ ଦେବାକୁ ନୋଟିସ୍ ଜାରି କରିଛି ଓଡ଼ିଶା ନର୍ସେସ୍ ଓ ମିଡ୍ ଓ୍ୱାଇଭସ୍ ରେଜିଷ୍ଟ୍ରେସନ୍ କାଉନସିଲ୍ । ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିବା ପାଇଁ OSSSC ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।