ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ଶ୍ମଶାନ ମନା

Jul 03, 2026 - 11:50
ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ଶ୍ମଶାନ ମନା

ରାୟଗଡା : ମରିଗଲାଣି ମାନବିକତା । ଧର୍ମ ପରିବର୍ତ୍ତନ କରିଥିବାରୁ ଶବ ହେଲା ଅଛୁଆଁ । ଶବକୁ ଚାରି କାନ୍ଧ ମିଳିବା ତ ଦୂରର କଥା ଗାଁ ଶ୍ମଶାନରେ ମଧ୍ୟ ଜାଗା ମିଳିଲା ନାହିଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ । ଧର୍ମ ପରିବର୍ତ୍ତନ କରିଥିବାରୁ ଜଣେ ଆଦିବାସୀ ବୃଦ୍ଧଙ୍କ ଶବ ସଂସ୍କାର ହୋଇ ନପାରି ୨୪ ଘଣ୍ଟା ଧରି ଘରେ ପଡି ରହିଛି ।

ସୂଚନାନୁସାରେ, ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ ୫ବର୍ଷ ପୂର୍ବରୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ତେବେ କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାବେଳେ ଗତକାଲି  ସକାଳ ୭ଟା ସମୟରେ ସେ ମୃତ୍ୟୁବରଣ କରିଥିଲେ । ଦାମଙ୍କୁ ସ୍ଥାନୀୟ ଶ୍ମଶାନରେ କବର ଦେବା ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ସେଠାରେ  ମୃତଦେହ ପୋଡ଼ା ଯାଉଥିବାରୁ କବର ଦେଇ ପାରିବେ ନାହିଁ ବୋଲି ଦମଙ୍କ ସମ୍ପର୍କୀୟଙ୍କୁ ଗ୍ରାମବାସୀ ବାରଣ କରିଥିଲେ । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ  ମୃତଦେହର ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି ।  ସ୍ଥାନୀୟ ପରମ୍ପରା ଅନୁଯାୟୀ ଗ୍ରାମରେ କେହି ମୃତ୍ୟୁବରଣ କଲେ ରୋଷେଇ ହୁଏ ନାହିଁ । ଗୋଟିଏ ପଟେ ଗ୍ରାମରେ ରୋଷେଇ ବନ୍ଦ ରହିବା ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା ଗ୍ରାମସଭା ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ ।