ଦୀପାବଳି ପୂର୍ବରୁ ବାଣ ବଜାରରେ ଚଢ଼ାଉ, ବେଆଇନ ବାଣ ଗଚ୍ଛିତ ରଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବିୁରୋ: ଆସନ୍ତା ୮ ତାରିଖରେ ଆଲୋକର ପର୍ବ ଦୀପାବଳି । ଧୁମଧାମରେ ପର୍ବ ପାଳିବା ସହ ବାଣ କିଣିବାକୁ ଲୋକଙ୍କ ଭିତରେ ଦେଖାଯାଇଛି ଉତ୍ସାହ । ଆଉ ଉତ୍କଣ୍ଠାକୁ ଦ୍ବିଗୁଣିତ କରିବାକୁ ଅଣ୍ଟା ଭିଡିଛନ୍ତି ବାଣ ବେପାରୀ । ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲା ଅଧୀନରେ ଆଜି ସୁଦ୍ଧା ୫୨୫ ଜଣ ବ୍ୟବସାୟୀ ବାଣ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଜିଏ, ଅଗ୍ନିଶମ ବିଭାଗର ନିୟମ ମୁତାବକ ଏବେ ମଧ୍ୟ ଲାଇସେନ୍ସ ପାଇଁ ଜାରି ରହିଛି ଯାଞ୍ଚ। ନଦୀ ପଠା, ଖାଲି ପଡିଆରେ ଦୋକାନ ପାଇଁ କ୍ଲଷ୍ଟର ଖୋଲାଯାଉଥିବା ବେଳେ ଫାୟାର ପୃଫ ଟେଣ୍ଟ, ଅଗ୍ନି ନିର୍ବାପକ ଆସବାବପତ୍ର ଓ ଅନ୍ୟାନ୍ୟ ସୁରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି।
ଦୀପାବଳୀ ପୂର୍ବରୁ ସହର ଉପକଣ୍ଠର କିଛି ସ୍ଥାନରେ ବେଆଇନ ବାଣ ଗଚ୍ଛିତ ହୋଇ ରହିଥିବା ବେଳେ ଧରିଛି ପୋଲିସ । ଆଗାମୀ ଦିନରେ ବେଆଇନ ବାଣ ରଖିଲେ ବା ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ଥାନା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଯଦି କୌଣସି ଲୋକ ଚୋରା ବାଣ ସମ୍ପର୍କରେ ସୂଚନା ଦିଏ, ତାର ମଧ୍ୟ ଗୋପନ ରଖାଯିବ । ସେପଟେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ୧୦ ଟା ପର୍ଯ୍ୟନ୍ତ ଗ୍ରୀନ କ୍ରାକର ଫୁଟାଇବା ପାଇଁ ନିବେଦନ କରାଯାଇଛି । ସାଇଲେନ୍ସ ଜୋନ୍ ଘୋଷିତ ଏରିଆ ଯେପରିକି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ ଠାରୁ ଦୂରେଇ ବାଣ ଫୁଟାଇବା ପାଇଁ କୁହାଯାଇଛି । ଶିଶୁ ତଥା ବୟସ୍କ ସତର୍କତା ଅବଲମ୍ବନ କରିବା ସହ ଦୀପାବଳି ଦିନ ଅଗ୍ନିକାଣ୍ଡରୁ ବର୍ତ୍ତିବା ପାଇଁ ସୂତା କପଡା ପିନ୍ଧିବାକୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
