ଦିଲ୍ଲୀରେ ପାକିସ୍ତାନ ହାଇ କମିଶନ ବାହାରେ ବୁଲଡୋଜର, ଇସଲାମାବାଦ ପରେ ଭାରତର ‘ଯେସାକୁ ତେସା’ କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଚାଣକ୍ୟପୁରୀରେ ଥିବା ପାକିସ୍ତାନ ହାଇ କମିଶନ ବାହାରେ ବୁଲଡୋଜର ଚାଲିଛି। ଅନୁମୋଦିତ ସୀମା ବାହାରେ ନିର୍ମାଣ ହୋଇଥିବା ବ୍ୟାରିକେଡ୍ ଓ ଅନ୍ୟାନ୍ୟ ଅସ୍ଥାୟୀ ନିର୍ମାଣକୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ଲୁହା ରେଲିଂ, ଗେଟ୍, ଛାତ ଓ କ୍ୟୁ-ମ୍ୟାନେଜମେଣ୍ଟ ପାଇଁ ନିର୍ମିତ ଢାଞ୍ଚାକୁ ମଧ୍ୟ ଭଙ୍ଗାଯାଇଛି।
କିଛି ଦିନ ପୂର୍ବରୁ ଇସଲାମାବାଦସ୍ଥିତ ଭାରତୀୟ ହାଇ କମିଶନ ବାହାରେ ଥିବା ସୁରକ୍ଷା ବ୍ୟାରିକେଡ୍ ଓ ପାର୍କିଂ ପୋଲ୍କୁ ପାକିସ୍ତାନ ପକ୍ଷରୁ ହଟାଯାଇଥିଲା। ଏହାର ଜବାବରେ ଦିଲ୍ଲୀରେ ଭାରତର ଏହି ପଦକ୍ଷେପକୁ ‘ଯେସାକୁ ତେସା’ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ସମ୍ପର୍କ ଅତ୍ୟନ୍ତ ତିକ୍ତ ରହିଛି। ଏହାପରେ ଭାରତ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଢାଞ୍ଚାକୁ ଟାର୍ଗେଟ କରିଥିଲା। ପରବର୍ତ୍ତୀ ସମୟରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ, ଭିସା, ସୀମା ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ କଠୋର ପଦକ୍ଷେପ ନିଆଯାଇଛି। ଏଭଳି ସ୍ଥିତିରେ ପାକିସ୍ତାନ ହାଇ କମିଶନ ବାହାରେ ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନ କେବଳ ଅବୈଧ କିମ୍ବା ଅନୁମୋଦନ ବାହାରେ ଥିବା ନିର୍ମାଣ ହଟାଇବାରେ ସୀମିତ ନୁହେଁ। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଜାରି ଥିବା ଗଭୀର କୂଟନୈତିକ ତିକ୍ତତାର ଏହା ଆଉ ଏକ ପ୍ରତୀକ ବୋଲି ଚର୍ଚ୍ଚା ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
