ଥାନାରେ ପୋଲିସ ବାବୁଙ୍କୁ ଥାନାରେ ଇଭି ଚାର୍ଜିଙ୍ଗ ମନା

Aug 04, 2026 - 13:27
ଥାନାରେ ପୋଲିସ ବାବୁଙ୍କୁ ଥାନାରେ ଇଭି ଚାର୍ଜିଙ୍ଗ ମନା

ଭୁବନେଶ୍ୱର : ଏଣିକି ଥାନାରେ ହୋଇପାରିବ ନାହିଁ 'ଇଭି' ଚାର୍ଜିଙ୍ଗ । ଓଡିଶା ପୋଲିସ ପକ୍ଷରୁ ଥାନା ପରିସର ମଧ୍ୟରେ ବିଦ୍ୟୁତ ବ୍ୟବହାରକୁ ନେଇ କଡା ନିର୍ଦେଶ ଜାରି କରାଯାଇଛି । ପୋଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନ ମୁଖ୍ୟମାନଙ୍କୁ ଏକ ସତର୍କ କରାଇଲା ଭଳି ଚିଠି ପଠାଯାଇଛି । ଏପରିକି ଅଫିସ ଭବନରୁ କ୍ୱାଟର୍ସ ଏବଂ ବ୍ୟାରାକ କୁ ବେଆଇନ ବିଦ୍ୟୁତ ସଂଯୋଗ ହୋଇ ପାରିବ ନାହିଁ ବୋଲି ମଧ୍ୟ ଚିଠିରେ କୁହାଯାଇଛି ।

ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ମୁଖ୍ୟମାନେ ନିଜ ଅଧୀନସ୍ଥ ଅଞ୍ଚଳରେ ତୁରନ୍ତ ଏକ ଯାଞ୍ଚ ଅଭିଯାନ ଆରମ୍ଭ କରିବେ। ଯଦି କୌଣସି ସ୍ଥାନରେ ଅଫିସ୍ ଲାଇନରୁ କ୍ୱାର୍ଟରକୁ ବେଆଇନ ସଂଯୋଗ କିମ୍ବା ଅନଧିକୃତ ଭାବେ ବିଦ୍ୟୁତ ଦୁରୁପଯୋଗ ହେଉଥିବା ନଜରକୁ ଆସେ, ତେବେ ତୁରନ୍ତ ସେହି ସଂଯୋଗକୁ ବିଚ୍ଛିନ୍ନ କରାଯିବ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେତେକ ଥାନା ଓ ପୋଲିସ ପ୍ରତିଷ୍ଠାନରେ ଅଫିସ୍ ପାଇଁ ଆସୁଥିବା ମୁଖ୍ୟ ବିଦ୍ୟୁତ ଲାଇନରୁ ବେଆଇନ ଭାବେ ଆବାସିକ କ୍ୱାର୍ଟର ଏବଂ ବ୍ୟାରାକକୁ ସଂଯୋଗ ଦିଆଯାଉଥିବା ଅଭିଯୋଗ ହୋଇଥିଲା।

ଏହାବ୍ୟତୀତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ମଧ୍ୟ ଏହି ନିର୍ଦ୍ଦେଶ ପଛରେ ରହିଛି। ଅଧିକାଂଶ କର୍ମଚାରୀ ଅଫିସ୍ ବିଦ୍ୟୁତ ବ୍ୟବହାର କରି ନିଜର ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ସ୍କୁଟର କିମ୍ବା କାର୍ ଚାର୍ଜ କରୁଛନ୍ତି, ଯାହାଫଳରେ ସରକାରୀ ରାଜକୋଷ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଛି। ସେହିପରି ବ୍ୟାରାକଗୁଡ଼ିକରେ ରୋଷେଇ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କର୍ମଚାରୀମାନେ ଇଲେକ୍ଟ୍ରିକ୍ ହିଟର ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ବିଦ୍ୟୁତ ବିଲ୍ ଅତ୍ୟଧିକ ବୃଦ୍ଧି ପାଇବା ସହ ସର୍ଟ ସର୍କିଟ୍ ଭଳି ବଡ଼ଧରଣର ସୁରକ୍ଷା ଜନିତ ବିପଦ ମଧ୍ୟ ସୃଷ୍ଟି ହେଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।