ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ଏନଏଚଆରସି ରେ ମାମଲା

ଭୁବନେଶ୍ୱର : ତାମିଲନାଡୁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିଷାକ୍ତ ଆମୋନିଆ ଗ୍ୟାସ ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧା ଓଡିଶାରୁ ୧୧ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବତୀଙ୍କ ମଧ୍ୟରୁ ଅନେକଙ୍କ ବୟସ ୧୪ରୁ ୧୮ ବର୍ଷ। ଏତେ କମ୍ ବୟସରେ ସେମାନଙ୍କୁ କିପରି ରାଜ୍ୟ ବାହାରକୁ ନିଆଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ବର୍ତ୍ତମାନ ଜାତୀୟ ମାନବାଧିକାର କମିଶନରେ ମାମଲା ପହଁଚିଛି । କୋରାପୁଟ ଜିଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।
ଅଭିଯୋଗରେ ତେଲକୋଇର ଅଂଚଳର ରୀତା ଜୁଆଙ୍ଗଙ୍କ ସମେତ ଅନ୍ୟମାନଙ୍କର ମୃତ୍ୟୁକୁ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟି ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରମିକଙ୍କୁ ଅସୁରକ୍ଷିତ ପରିବେଶ ଏବଂ ବିପଦପୂର୍ଣ୍ଣ କାମରେ ନାବାଳିକାଙ୍କୁ ନିଯୁକ୍ତ କରାଯାଇଥିବାରୁ ତାମିଲନାଡ଼ୁ ତିରୁଭଲ୍ଲୁର ଜିଲା ଅନ୍ତର୍ଗତ ପେରିୟାପାଲାୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନା ‘ମେସର୍ସ ସେଣ୍ଟ ପିଟର ଆଣ୍ଡ ସି ଫୁଡ ଏକ୍ସପୋର୍ଟ ପ୍ରାଇଭେଟ ଲିଃ’ର ପରିଚାଳନା କମିଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟୋଗ ଆଦେଶ ଦେବାକୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ତାମିଲନାଡ଼ୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ ଦେଇ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଆହତଙ୍କୁ ଚିକିତ୍ସା ଖର୍ଚ୍ଚ ପ୍ରଦାନ ଓ ତାମିଲନାଡ଼ୁର ୬୬୬୯ ବିପଦପୂର୍ଣ୍ଣ ଶିଳ୍ପର ସୁରକ୍ଷା ଅଡିଟ କରିବାକୁ ଆୟୋଗ ଆଦେଶ ଦେବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।