ଟେଟାନସ

Jul 05, 2026 - 11:28
ଟେଟାନସ

 

ଦୈନନ୍ଦିନ ଜୀବନରେ ଛୋଟମୋଟ ଆଘାତ ଲାଗିବା ଏକ ସ୍ୱାଭାବିକ କଥା, କିନ୍ତୁ ଅଧିକାଂଶ ଲୋକ କ୍ଷତ ସ୍ଥାନର ପଟି ତ କରିଦିଅନ୍ତି ହେଲେ ଟେଟାନସ ଇଞ୍ଜେକସନ ନେବାକୁ ଅଣଦେଖା କରିଥାନ୍ତି । 'ୟୁରୋପିଆନ୍ ସେଣ୍ଟର ଫର୍ ଡିଜିଜ୍ ପ୍ରିଭେନସନ୍ ଆଣ୍ଡ କଣ୍ଟ୍ରୋଲ୍' ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ଏହା ଅଣଦେଖା କାରଣରୁ ପ୍ରାୟ ୨ ରୁ ୩ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୧ ରିପୋର୍ଟ ମୁତାବକ, କେବଳ ଭାରତରେ ଏହାର ୧୨୪୦ଟି ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ୮୧ଟି ନବଜାତ ଶିଶୁ ଏବଂ ୧୧୫୯ଟି ଅନ୍ୟମାନଙ୍କ ସହ ଜଡ଼ିତ ଥିଲା । ସାଧାରଣତଃ ଲୋକଙ୍କ ମଧ୍ୟରେ ଏକ ଭ୍ରମ ଧାରଣା ରହିଛି ଯେ ଟେଟାନସ କେବଳ କଳଙ୍କି ଲାଗିଥିବା ଲୁହାରେ କଟିଲେ ହୁଏ, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହା 'କ୍ଲୋଷ୍ଟ୍ରିଡିୟମ୍ ଟେଟାନି'  ନାମକ ଏକ ଗମ୍ଭୀର ବ୍ୟାକ୍ଟେରିଆ ସଂକ୍ରମଣରେ ହୋଇଥାଏ । ଏହି ବ୍ୟାକ୍ଟେରିଆ  ମାଟି, ଧୂଳି, ଗୋବର କିମ୍ବା ଆବର୍ଜନାରେ ଥାଏ ଏବଂ ଶରୀରର ଯେକୌଣସି କ୍ଷତ, କଟା ଚିହ୍ନ ବା ସାମାନ୍ୟ ସ୍କ୍ରାଚ୍ ଦେଇ ଭିତରକୁ ପ୍ରବେଶ କରି ଏକ ବିଷାକ୍ତ ଟକ୍ସିନ ତିଆରି କରେ । ଯାହା ଶରୀରର ସ୍ନାୟୁ ଓ ମାଂସପେଶୀକୁ ନଷ୍ଟ କରି ଅତ୍ୟଧିକ ଯନ୍ତ୍ରଣାଦାୟକ ଆକ୍ରାନ୍ତ ସୃଷ୍ଟି କରିଥାଏ । ସଂକ୍ରମଣର ପ୍ରାୟ ୩ ରୁ ୨୧ ଦିନ ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ  । ଯେଉଁଥିରେ ବେକରେ ଯନ୍ତ୍ରଣା, ପାଟି ଖୋଲିବାରେ ଅସୁବିଧା, ଖାଦ୍ୟ ଢୋକିବାରେ କଷ୍ଟ ହେବା ଏବଂ ମାଂସପେଶୀରେ ତୀବ୍ର ଯନ୍ତ୍ରଣା ହେବା ଆଦି ଅନ୍ତର୍ଭୁକ୍ତ । ଏହି ରୋଗକୁ ଚିହ୍ନଟ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲ୍ୟାବ୍ ଟେଷ୍ଟ ନଥିବାରୁ ଡାକ୍ତରମାନେ ରୋଗୀର ଲକ୍ଷଣ ଓ ଟୀକାକରଣ ଇତିହାସ ଆଧାରରେ ହିଁ ଏହାର ଚିହ୍ନଟ କରନ୍ତି ।  ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସବୁଠାରୁ ଜରୁରୀ ହେଉଛି ସମୟ ଅନୁସାରେ ଏହାର ପ୍ରତିଷେଧକ ଟୀକା ନେବା ଏବଂ ଆଘାତ ଲାଗିବା ମାତ୍ରେ ତୁରନ୍ତ କ୍ଷତ ସ୍ଥାନକୁ ସଫା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ।