ଜୟପୁରରେ ରୋଡୱେଜ୍ ବସର ତାଣ୍ଡବ: ଏକାଧିକ ଗାଡ଼ିକୁ ଧକ୍କା, ମହିଳା ମୃତ; ଡ୍ରାଇଭର ଗିରଫ

Oct 15, 2026 - 16:05
ଜୟପୁରରେ ରୋଡୱେଜ୍ ବସର ତାଣ୍ଡବ: ଏକାଧିକ ଗାଡ଼ିକୁ ଧକ୍କା, ମହିଳା ମୃତ; ଡ୍ରାଇଭର ଗିରଫ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍‌ ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେବାରୁ ଜଣେ ୪୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ପୁଅଙ୍କ ସମେତ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

ଦୁଇ କାର୍‌, ସ୍କୁଟର ଓ ବାଇକ୍‌କୁ ଧକ୍କା

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଜୟପୁରର ମୁରଲୀପୁରା ଅଞ୍ଚଳର ସିକର ରୋଡ୍‌ସ୍ଥିତ ଖେତାନ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍‌ ରାସ୍ତାରେ ଯାଉଥିବା ଦୁଇଟି କାର୍‌, ଗୋଟିଏ ସ୍କୁଟର ଓ ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମୟରେ ବାଇକ୍‌ରେ ଜଣେ ମହିଳା ତାଙ୍କ ପୁଅଙ୍କ ସହ ଯାଉଥିଲେ। ବସ୍‌ର ଧକ୍କାରେ ଉଭୟ ଆହତ ହୋଇଥିଲେ। ଗୁରୁତର ଆହତ ମହିଳାଙ୍କୁ ହସ୍ପିଟାଲ ନିଆଯାଉଥିବା ବାଟରେ ମୃତ୍ୟୁ ହୋଇଥିଲା। ମୃତ ମହିଳା ହେଉଛନ୍ତି ଭଗତ କି ଧନୀ ଅଞ୍ଚଳର ତୁଳସୀ ଦେବୀ (୪୯)। ତାଙ୍କ ପୁଅଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପଟେ, ସ୍କୁଟର ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ପରେ ଉତ୍ତେଜନା, ଡ୍ରାଇଭର ଗିରଫ

ତୁଳସୀ ଦେବୀ ତାଙ୍କ ବଡ଼ ପୁଅଙ୍କ ସହ ବିଦ୍ୟାଧର ନଗରରୁ ଭଗତ କି ଧନୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସ୍‌ ଡ୍ରାଇଭରଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଖବର ପାଇ ମୁରଲୀପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେଇଥିଲା। ଗିରଫ ଡ୍ରାଇଭରଙ୍କ ନାମ ରାକେଶ କୁମାର ବୋଲି ଜଣାପଡ଼ିଛି।

ବସ୍‌ ନାଁରେ ୧୩ଟି ଟ୍ରାଫିକ୍‌ ଚାଲାଣ ବକେୟା

ପୋଲିସର ପ୍ରାଥମିକ ତଦନ୍ତରୁ ବସ୍‌ଟି ନାଁରେ ୧୩ଟି ଟ୍ରାଫିକ୍‌ ଉଲ୍ଲଂଘନ ଚାଲାଣ ବକେୟା ଥିବା ଜଣାପଡ଼ିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା ବେଳେ ଗିରଫ ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଟି ଏକାଧିକ ଗାଡ଼ିକୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)