ଜ୍ୟାକେଟ୍ ପ୍ରସ୍ତୁତ କରୁଛି ପାନୀୟଜଳ

Jun 15, 2026 - 17:18
ଜ୍ୟାକେଟ୍ ପ୍ରସ୍ତୁତ କରୁଛି ପାନୀୟଜଳ

 

ବିଶ୍ୱବ୍ୟାପୀ ଦେଖାଦେଉଥିବା ଜଳ ସଙ୍କଟର ସମାଧାନ ଦିଗରେ ଏକ ବଡ଼ ସଫଳତା ହାସଲ କରିଛି ଆମେରିକାର 'ୟୁନିଭର୍ସିଟି ଅଫ୍ ଟେକ୍ସାସ ଏଟ୍ ଅଷ୍ଟିନ୍'ର ଗବେଷକମାନେ । ବାୟୁମଣ୍ଡଳର ଆଦ୍ରତା ବା ଜଳୀୟବାଷ୍ପରୁ ସିଧାସଳଖ ପିଇବା ପାଣି ପ୍ରସ୍ତୁତ କରିପାରୁଥିବା ଏକ ବିଶେଷ ପ୍ରକାରର ଜ୍ୟାକେଟ୍ ସେମାନେ ବିକଶିତ କରିଛନ୍ତି । ସମ୍ପୂର୍ଣ୍ଣ ନୂତନ ଜ୍ଞାନକୌଶଳରେ ନିର୍ମିତ ଏହି ପୋଷାକରେ ଏଭଳି ଏକ ସ୍ୱତନ୍ତ୍ର କପଡ଼ା ବ୍ୟବହାର କରାଯାଇଛି । ଯାହା ବାୟୁରୁ ଜଳୀୟବାଷ୍ପକୁ ସଂଗ୍ରହ କରି ଜ୍ୟାକେଟ୍ରେ ଲାଗିଥିବା ପୃଥକୀକରଣ ୟୁନିଟ୍କୁ ପଠାଇଥାଏ ଏବଂ ପରେ ତାହା ଗରମ ଓ ଘନୀଭୂତ ହୋଇ ପିଇବା ଉପଯୋଗୀ ପାଣିରେ ପରିଣତ ହୁଏ । ପ୍ରସିଦ୍ଧ ବିଜ୍ଞାନ ପତ୍ରିକା 'ନେଚର ୱାଟର'ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ବାୟୁମଣ୍ଡଳର ଆଦ୍ରତା ଆଧାରରେ ଏହି ଜ୍ୟାକେଟ୍ ଦୈନିକ ୪୦୦ ରୁ ୯୦୦ ମିଲିଲିଟର ପର୍ଯ୍ୟନ୍ତ ପାଣି ପ୍ରସ୍ତୁତ କରିପାରୁଛି ।  ଏହାର ସ୍ୱତନ୍ତ୍ର ଫାଇବର ପାରମ୍ପରିକ ସାମଗ୍ରୀ ତୁଳନାରେ ୩ ରୁ ୧୦ ଗୁଣ ଅଧିକ ଦକ୍ଷତାର ସହ କାମ କରିଥାଏ । ବୈଜ୍ଞାନିକମାନଙ୍କ ମତରେ, ପାନୀୟ ଜଳର ଅଭାବ ଥିବା ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ହାଇକର୍ସ, କ୍ୟାମ୍ପର୍ସ, ସେନା କର୍ମଚାରୀ, ଜରୁରୀକାଳୀନ ସେବା ପ୍ରଦାନକାରୀ ଏବଂ କୃଷି ଶ୍ରମିକମାନଙ୍କ ପାଇଁ ଏହି ପୋର୍ଟେବଲ୍ ଟେକ୍ନୋଲୋଜି ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ । ଏହା ସହିତ ଗବେଷକ ଦଳ ଏକ ସୌରଶକ୍ତି ଚାଳିତ ଜଳ ସଂଗ୍ରହ ଉପକରଣର ମଧ୍ୟ ସଫଳ ପରୀକ୍ଷଣ କରିଛନ୍ତି । ଯାହା ମରୁଭୂମି ଓ ଶୁଷ୍କ ଅଞ୍ଚଳରେ ପ୍ରତି କିଲୋଗ୍ରାମ ସାମଗ୍ରୀରୁ ଦୈନିକ ରେକର୍ଡ ସଂଖ୍ୟକ ୪.୩ ଲିଟର ଏବଂ ସାମଗ୍ରିକ ଭାବେ ୧.୩ ଲିଟର ସ୍ୱଚ୍ଛ ପାଣି ବାହାର କରିପାରୁଛି । ଆଗାମୀ ଦିନରେ ଏହି ସାମଗ୍ରୀକୁ ବ୍ୟାକପ୍ୟାକ୍, ତମ୍ବୁ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀରେ ବ୍ୟବହାର କରି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳ ସଙ୍କଟ ସମୟରେ ବିଶ୍ୱର ସବୁଠାରୁ ପ୍ରଭାବିତ ଓ ଶୁଷ୍କ ଅଞ୍ଚଳରେ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ସୃଷ୍ଟି କରାଯାଇପାରିବ ବୋଲି ଆଶା ପ୍ରକାଶ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।