ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

Jun 03, 2026 - 21:08
ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 
ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ଟି ମହାରାଜା ସିଂ ପିସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପରେ ତୁରନ୍ତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ ଆରମ୍ଭ ହେବ । ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଦିନିକିଆ ଖେଳାଳିମାନଙ୍କୁ ଅଭ୍ୟାସ ଶିବିର ପାଇଁ ନିମନ୍ତ୍ରଣ ପଠାଯାଇଛି ।
ସୂଚନା ଅନୁଯାୟୀ, ଦିନିକିଆ ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କୁ ଜୁନ ୯ ତାରିଖ ସୁଦ୍ଧା ନୂଆ ଚଣ୍ଡୀଗଡ଼ ଡକାଯାଇଛି । ସେଠାରେ ଜୁନ ୯ ରୁ ୧୧ ପର୍ଯ୍ୟନ୍ତ ଏକ ସୱତନ୍ତ୍ର ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ଏବଂ ଏହା ପରେ ଦଳ ପ୍ରଥମ ଦିନିକିଆ ପାଇଁ ଧର୍ମଶାଳା ଯାତ୍ରା କରିବ ।
ମଜାଦାର କଥା ହେଉଛି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଜୁନ ୬ ରୁ ୧୦ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ଅନ୍ୟପଟେ ଦିନିକିଆ ଖେଳାଳିଙ୍କ ପ୍ରସ୍ତୁତି ଜୁନ ୯ ରୁ ଆରମ୍ଭ ହୋଇଯିବ । ଏଥିପାଇଁ ଭାରତୀୟ ସପୋର୍ଟ ଷ୍ଟାଫ ଏକ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଯେଉଁ ଖେଳାଳିମାନେ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ଅଛନ୍ତି, ସେମାନଙ୍କ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି।
ତେବେ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ପାଲଟିଛି ଚଣ୍ଡୀଗଡ଼ର ପ୍ରବଳ ଗରମ। ସେଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାରୁ, ଆଇପିଏଲ୍‌ ପରେ ଏତେ ଗରମରେ ଖେଳିବା ବିଶେଷ କରି ବୋଲରମାନଙ୍କ ପାଇଁ କଷ୍ଟକର ହେବ । ଏହି କାରଣରୁ ଦଳ ସହ ୫ ରୁ ୬ ଜଣ ନେଟ ବୋଲରଙ୍କୁ ଯୋଡ଼ାଯାଇଛି । ଆକିବ ନବୀ, ଜୀଶାନ ଅନସାରୀ, ସାରାଂଶ ଜୈନ, ଶିବାଙ୍ଗ କୁମାର ଏବଂ ମୟଙ୍କ ଯାଦବ ପ୍ରମୁଖ ଭାରତୀୟ ବ୍ୟାଟରମାନଙ୍କୁ ନେଟ୍ସରେ ଅଭ୍ୟାସ କରାଇବେ ।
ଏହି ସିରିଜ୍‌ରେ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ନ ଥିବାରୁ ସେ ବେଙ୍ଗାଲୁରୁର ‘ସେଣ୍ଟର ଅଫ ଏକ୍ସଲେନ୍ସ’ (CoE)ରେ ଅଛନ୍ତି । ସେ ଫିଟ୍‌ନେସ ଟେଷ୍ଟ ପାସ କରିବା ପରେ ହିଁ ଦିନିକିଆ ସିରିଜ ଖେଳିବେ।
ଅନ୍ୟପଟେ, ରନ-ମେଶିନ ବିରାଟ କୋହଲି ଚମତ୍କାର ଫର୍ମରେ ଅଛନ୍ତି । ଆଇପିଏଲ୍‌ ୨୦୨୬ରେ ସେ ୧୬ ଇନିଂସରୁ ୬୭୫ ରନ ସଂଗ୍ରହ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ କରାଇଛନ୍ତି । ଯଦି ଦିନିକିଆ ସିରିଜ୍‌ରେ ମଧ୍ୟ ତାଙ୍କ ବ୍ୟାଟ ଏମିତି ଚାଲେ, ତେବେ ୨୦୨୭ ବିଶ୍ୱକପ ପାଇଁ ତାଙ୍କର ଦାବିଦାରୀ ଆହୁରି ମଜବୁତ ହେବ ।
ମ୍ୟାଚ୍ ତାରିଖ ସ୍ଥାନ ସମୟ (IST)
ଏକମାତ୍ର ଟେଷ୍ଟ ଜୁନ୍ ୦୬ – ୧୦ ନୂଆ ଚଣ୍ଡୀଗଡ଼ ସକାଳ ୦୯:୩୦
୧ମ ଦିନିକିଆ (ODI) ଜୁନ୍ ୧୩ ଧର୍ମଶାଳା ଅପରାହ୍ନ ୦୧:୩୦
୨ୟ ଦିନିକିଆ (ODI) ଜୁନ୍ ୧୭ ଲକ୍ଷ୍ନୌ ଅପରାହ୍ନ ୦୧:୩୦
୩ୟ ଦିନିକିଆ (ODI) ଜୁନ୍ ୨୦ ଚେନ୍ନାଇ ଅପରାହ୍ନ ୦୧:୩୦
ଭାରତର ଦିନିକିଆ (ODI)ସ୍କ୍ବାର୍ଡ:
ଶୁବମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ସହ-ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, କେ.ଏଲ୍‌. ରାହୁଲ (ଉଇକେଟକିପର), ଈଶାନ କିଷାନ (ଉଇକେଟକିପର), ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ହର୍ଷ ଦୁବେ
Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।