ଘାତକ ହୋଇପାରେ ଆଲର୍ଜି

'ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍'ର ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ ୨୦-୩୦% ଲୋକ କୌଣସି ନା କୌଣସି ଆଲର୍ଜି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାର ସାଧାରଣ ଲକ୍ଷଣ ଯେପରିକି ଛିଙ୍କ, କାଛୁକୁଣ୍ଡିଆ କିମ୍ବା ଆଖିରୁ ପାଣି ବାହାରିବା ହୋଇଥାଏ । ତେବେ କିଛି ଲୋକଙ୍କ କ୍ଷେତ୍ରରେ ହଠାତ୍ 'ଏନାଫିଲାକ୍ସିସ୍' ଭଳି ଏକ ସଂଘାତିକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଆଲର୍ଜିକ ପ୍ରତିକ୍ରିୟାର ରୂପ ମଧ୍ୟ ନେଇଥାଏ । ଯେଉଁଥିରେ ରକ୍ତଚାପ ହ୍ରାସ ପାଇବା ସହ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବାର ଆଶଙ୍କା ଥାଏ। ବିଶେଷଜ୍ଞଙ୍କ ଅନୁସାରେ ଏହା ଏକ ମେଡିକାଲ ଏମରଜେନ୍ସି ଏବଂ ସାଧାରଣ ଆଲର୍ଜି ପରି ଏହା ଶରୀରର ଗୋଟିଏ ଅଂଶରେ ସୀମିତ ନ ରହି ମାତ୍ର ୫ ରୁ ୩୦ ମିନିଟ୍ ମଧ୍ୟରେ ସମଗ୍ର ଶରୀରରେ ବ୍ୟାପିଥାଏ । ଯେପରି ଶ୍ୱାସକ୍ରିୟାରେ ପ୍ରତିବନ୍ଧକ, ବେକ ଓ ଜିଭ ସିଝିଯିବା ଏବଂ ଚେତାଶୂନ୍ୟ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। କ୍ଷୀର, ଅଣ୍ଡା, ଚିନାବାଦାମ ଭଳି ଖାଦ୍ୟ ପଦାର୍ଥ, କେତେକ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ବା ପେନ୍ କିଲର ଔଷଧ କିମ୍ବା ବିଷାକ୍ତ କୀଟପତଙ୍ଗର ଦଂଶନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅତ୍ୟଧିକ ସକ୍ରିୟ ହୋଇ 'ହିଷ୍ଟାମିନ' ନାମକ କେମିକାଲ୍ ନିର୍ଗତ କରିବା ଫଳରେ ଏହି ସ୍ଥିତି ଉପୁଜିଥାଏ। ତେବେ ଏହା ଘାତକ ହୋଇଥିବାରୁ ଏହାର ତୁରନ୍ତ ଚିକିତ୍ସା ଆବଶ୍ୟକତା ହୋଇଥାଏ । ଏହାର କୌଣସି ଲକ୍ଷଣ ଦେଖାଯିବାମାତ୍ରେ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଦେଖେଇବାକୁ ହୋଇଥାଏ । ତେଣୁ ଯଦି ଆଲର୍ଜି ହେଉଛି ତେବେ ସବୁବେଳେ ସତର୍କ ରୁହନ୍ତୁ । ।