କଲ୍ୟାଣସିଂପୁର ଭିଡ଼ ହିଂସା, ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ପାଇଁ ଡିଜିପିଙ୍କ ନିର୍ଦେଶ

ରାୟଗଡା : ପିଲାଚୋରି ସନ୍ଦେହରେ ରାୟଗଡ଼ା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଘଟଣାକୁ ନେଇ ଡିଜିପିଙ୍କ ଉଦବେଗ । ଏହି ବର୍ବର ଘଟଣାକୁ ରେଡ୍ ଫ୍ଲାଗରେ ଅନ୍ତର୍ଭୁକ୍ତ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଡିଜିପି ୱାଇ. ବି ଖୁରାନିଆ । ଏଥିସହ ଏହାର ମନିଟରିଂ ଦାୟିତ୍ୱ 'କ୍ରାଇମ୍ ଏଗେନ୍ଷ୍ଟ୍ ଉଇମେନ୍' (CAW) ଶାଖାକୁ ପ୍ରଦାନ କରିଛନ୍ତି । ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିବାକୁ CAW ଏଡିଜି ଏସ. ସାଇନିଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କ ନେତୃତ୍ୱରେ ଆଜି ଏକ ସ୍ୱତନ୍ତ୍ର ଟିମ୍ ରାୟଗଡ଼ା ଗସ୍ତ କରିବେ ।
ସୂଚନାନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ କଲ୍ୟାଣସିଂପୁର ଥାନାଠାରୁ ମାତ୍ର ଅଳ୍ପ କି.ମି. ଦୂରରେ ଘଟିଥିଲା ଲଜ୍ଜାକର ଭିଡ଼ ହିଂସା । ପିଲାଚୋର ସନ୍ଦେହରେ ଦିଲ୍ଲୀରୁ ଆସିଥିବା ଦୁଇ ଯୁବକ ଯୁବତୀ ସ୍ବେଚ୍ଛାସେବୀଙ୍କୁ ବର୍ବର ଆକ୍ରମଣ କରାଯାଇଥିଲା । ସର୍ବସମ୍ମୁଖରେ ସେମାନଙ୍କୁ ଵିଵସ୍ତ୍ର କରି ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ମାତ୍ର ୧୦ ମିନିଟ ମଧ୍ୟରେ ପୋଲିସ ସେଠାରେ ପହଞ୍ଚିଥିଲା । ତେବେ ଭୟଙ୍କର ଭିଡ଼କୁ ଦେଖି ପୋଲିସ ମଧ୍ୟ ଘାବରେଇ ଯିବା ବେଳେ ଜଣେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତୁରନ୍ତ ଯୁବତୀଙ୍କୁ ଉଦ୍ଧାର କରି ପିସିଆର ଗାଡ଼ିରେ ଭର୍ତି କରିଥିଲା । ରାୟଗଡା ପୋଲିସର ତୁରନ୍ତ ପଦକ୍ଷେପ ଯୋଗୁଁ ଆଉ ଏକ ବାଲିଅନ୍ତା ଘଟଣାରୁ ପୂର୍ଣ୍ଣଛେଦ ପଡ଼ିଥିଲା । ଏଥିପାଇଁ ରାୟଗଡ଼ା ପୋଲିସ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି ।
ଏହି ନାରକୀୟ କାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୨୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଉଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବ। ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି, ସେମାନଙ୍କ ବିରୋଧରେ ଆଇଟି ଆକ୍ଟ ବଳରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜି (DIG) ଅଖିଳେଶ୍ୱର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି । ଏହି ଘଟଣାକୁ ନେଇ ଚାରିଆଡୁ ଉଦବେଗ ପ୍ରକାଶ ପାଇଥିଲା ।
ସେପଟେ, ଘଟଣାପରେ ଦିଲ୍ଲୀ ପଳାଇଛନ୍ତି ପୀଡିତା । ମାମଲା ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ପରେ ପୀଡିତାଙ୍କୁ ଭିଡିଓ କନଫରେନ୍ସରେ ପଚରାଉଚରା କରିବ CAW ଟିମ୍ । ଆବଶ୍ୟକ ପଡ଼ିଲେ ତଦନ୍ତ ପାଇଁ ଏହି ଟିମ୍ ଦିଲ୍ଲୀ ମଧ୍ୟ ଯାଇପାରେ। ଏନେଇ ପୀଡ଼ିତା ଓ ତାଙ୍କ ସାଙ୍ଗ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୋଲିସ ।