କର ମୁକ୍ତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଆଫା'

ଭୁବନେଶ୍ୱର : ଓଡିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି । ଅଙ୍ଗଦାନ ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ରଟିକୁ ପ୍ରୀତିରାଜ ଶତପଥୀ ନିର୍ଦେଶନା ଦେଇଥିବାବେଳେ ନୈନା ଦାଶ ତିୱାରୀ ଦ୍ୱାରା ପ୍ରଯୋଜିତ ହୋଇଛି ।
ସୂଚନାନୁସାରେ, ମାନବିକତାକୁ ପ୍ରେରଣା ଦେବା ଏବଂ ଯୁବସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଚଳଚ୍ଚିତ୍ରର କାହାଣୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଏକ ୧୬ବର୍ଷର ଝିଅ ନିଜ ଅଙ୍ଗଦାନ କରିବା ପାଇଁ ନିଷ୍ପତିକୁ ଖୁବ ଭାବପୂର୍ଣ୍ଣ ଭାବେ ଚିତ୍ରଣ କରାଯାଇଛି । ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅସୀମ ସାହସର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ଏକ ସାମାଜିକ ଆଦର୍ଶ ସୃଷ୍ଟି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।