କର୍ତ୍ତବ୍ୟ ପଥରେ ସର୍ବୋଚ୍ଚ ବଳିଦାନ
ରାୟଗଡ଼ା : କର୍ତ୍ତବ୍ୟ ପଥରେ ସର୍ବୋଚ୍ଚ ବଳିଦାନ। ଦେଶ ସେବା କରୁ କରୁ ନାଗାଲାଣ୍ଡରେ ଶହୀଦ ହୋଇଛନ୍ତି ରାୟଗଡ଼ାର ଯୁବ ଯବାନ ଭି. ତେଜା। ଆସାମ ରାଇଫଲ୍ସରେ କାର୍ଯ୍ୟରତ ତେଜା ଡ୍ୟୁଟି ସମୟରେ ଗୁଳି ବାଜିବା ପରେ ଶହୀଦ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ରାୟଗଡ଼ାରେ ପହଞ୍ଚିଥିଲା। ସହର ଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ହଜାର ହଜାର ଯୁବକ ଏକତ୍ରିତ ହୋଇ ଏକ ବିଶାଳ ବାଇକ୍ ରାଲି ମାଧ୍ୟମରେ ମରଶରୀରକୁ ପାଛୋଟି ଆଣିଥିଲେ । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଓ ଏସପି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲା । ବିଡ଼ମ୍ବନାର ବିଷୟ, ଆଜି ତେଜାଙ୍କ ୩୧ତମ ଜନ୍ମଦିନ। ଜନ୍ମଦିନରେ ଖୁସି ପାଳନ ହେବା ବଦଳରେ ଆଜି ହେବ ତାଙ୍କ ଶେଷଯାତ୍ରା। ଆସନ୍ତା ଡିସେମ୍ବର ୧୦ରେ ତାଙ୍କ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଘରେ ଚାଲିଥିଲା ବିବାହ ପ୍ରସ୍ତୁତି। ନଭେମ୍ବରରେ ଘରକୁ ଫେରିବା ପାଇଁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇଥିଲା। ହେଲେ ତା’ପୂର୍ବରୁ ଦେଶ ପାଇଁ ଜୀବନ ଦେଇଦେଲେ ଏହି ଯୁବ ଯବାନ। ତେଜା ଦୁଇ ବର୍ଷ ତଳେ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ତାଙ୍କ ଉପଯୋଗୀ ଅଙ୍ଗ ସଂରକ୍ଷଣ କରାଯାଇଛି। ଭାଇଙ୍କୁ ହରାଇ ଦୁଃଖ ଥିଲେ ମଧ୍ୟ ତାଙ୍କ ତ୍ୟାଗ ପାଇଁ ପରିବାର ଗର୍ବିତ ବୋଲି କହିଛନ୍ତି ସାନ ଭାଇ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
