ଇଞ୍ଜିନିଅରିଂ ଛାତ୍ରୀ ଆତ୍ମହତ୍ୟା ମାମଲାରେ ପୁଋଷବନ୍ଧୁ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରେ ଇଂଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ପୁରୁଷବନ୍ଧୁ ବିଶ୍ବଜିତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋଳନ୍ଥରା ଥାନା ପୋଲିସ । ବିଶ୍ବଜିତ ଜେନା ହେଉଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି । ଗତ ୨୦ ତାରିଖ ଦିନ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲ୍ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତ ଛାତ୍ରୀ ହେଉଛନ୍ତି ବୁଗୁଡ଼ା ଅଞ୍ଚଳର ସ୍ମୃତି ଭୋଳ । ମୃତ୍ୟୁ ହୋଇଥିବା ହଷ୍ଟେଲ ରୁମରେ ବ୍ରହ୍ମପୁର ଏସପିଙ୍କ ସମେତ ପୋଲିସ ଟିମ ଓ ସାଇଣ୍ଟିଫିକ ଟିମ ତଦନ୍ତ କରିଥିଲା ।
ସୂଚନାନୁସାରେ, ସ୍ମୃତି ଭୋଳ ଉଭଣୀ ଓ ଅନ୍ୟ ତିନି ରୁମମେଟଙ୍କ ସହ ଇଂଜିନିୟରିଂ କଲେଜ ଗାର୍ଲସ ହଷ୍ଟେଲରେ ରହୁଥିଲେ । ବିଶ୍ବଜିତ ମଧ୍ୟ ସେହି କଲେଜରେ ବିସିଏ ଶେଷ ବର୍ଷରେ ପାଠ ପଢୁଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ୪ବର୍ଷ ହେବ ସମ୍ପର୍କ ରହିଥିଲା । ତେବେ ଅଚାନକ ସ୍ମୃତିଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକ । ଝିଅର ମୃତ୍ୟୁ ପାଇଁ ତାର ପୁରୁଷ ବନ୍ଧୁ ବିଶ୍ୱଜିତ ଜେନାକୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ l ଏହି ମାମଲାରେ ଛାତ୍ରୀଙ୍କ ଲାପଟପ୍, ମୋବାଇଲ ଫୋନ, ହଷ୍ଟେଲ ସିସିଟିଭି କ୍ୟାମେରାର ଫୁଟେଜକୁ ଜବତ କରିଛି ପୋଲିସ ।