ଆମୋନିଆ ଗ୍ୟାସ ଟ୍ରାଜେଡି, ୭ ଓଡ଼ିଆଙ୍କ ମୃତ୍ୟୁ

Jun 24, 2026 - 06:27
ଆମୋନିଆ ଗ୍ୟାସ ଟ୍ରାଜେଡି, ୭ ଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର : ତାମିଲନାଡ଼ୁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଆମୋନିଆ ଗ୍ୟାସ ଟ୍ରାଜେଡି ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ।ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ୨ଜଣ ହେଲେ କେନ୍ଦୁଝରର ଜାମୁନି ଜୁଆଙ୍ଗ ଏବଂ କେନ୍ଦୁଝର ସଦର କୋଡ଼ିପଶା ଅଞ୍ଚଳର ସଜନୀ ଜୁଆଙ୍ଗ । ପୂର୍ବରୁ କେନ୍ଦୁଝରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏବେବି ୪ଜଣ ଓଡ଼ିଆ ଶ୍ରମିକ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ରବିବାର ସନ୍ଧ୍ୟାରେ ତାମିଲନାଡୁର ତିରୁଭାଲୁର ଜିଲ୍ଲା ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେୟାରଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ରସେସିଂ କାରଖାନା, ‘‘ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ସ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍’’ ରେ ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଥିଲା ।

ଏହି ଦାରୁଣ ଘଟଣାରେ ଗତକାଲି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିରଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ତେବେ ଆଜି ସହାୟତା ରାଶି ୧୦ଲକ୍ଷ ଟଙ୍କାକୁ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଅସୁସ୍ଥ ଓଡ଼ିଆ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ CMRFରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁର ତିରୁଭଲ୍ଲୁରେ ପହଞ୍ଚି ତାମିଲନାଡୁ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷାକରି ଅସୁସ୍ଥ ଶ୍ରମିକମାନଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା କରୁଛନ୍ତି । 

ଅନ୍ୟପଟେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଆଜି (ମଙ୍ଗଳବାର) ଓଡ଼ିଶାରେ ପହଞ୍ଚିବ । ସ୍ୱତନ୍ତ୍ର ବିମାନ ଯୋଗେ ଚେନ୍ନାଇରୁ ଭୁବନେଶ୍ୱରକୁ ଅଣାଯିବ ସମସ୍ତ ମୃତଦେହ । ସେଠାରୁ ପ୍ରଶାସନିକ ତତ୍ତ୍ୱାବଧାନରେ ସେଗୁଡ଼ିକୁ କେନ୍ଦୁଝର ପଠାଯିବ । ଏନେଇ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରମ ବିଭାଗର ଅଧିକାରୀମାନେ ସମସ୍ତ ପ୍ରକ୍ରିୟାର ତଦାରଖ କରିବେ । କେନ୍ଦୁଝରର ଅତିରିକ୍ତ ଶ୍ରମ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳଙ୍କ ଉପସ୍ଥିତିରେ ପାର୍ଥିବ ଶରୀରଗୁଡ଼ିକୁ ଗ୍ରହଣ କରାଯିବ । ଏହାପରେ ସରକାରୀ ତତ୍ତ୍ୱାବଧାନରେ ପାର୍ଥିବ ଶରୀରକୁ କେନ୍ଦୁଝର ନିଆଯିବ, ଯେଉଁଠାରେ ଶୋକସନ୍ତପ୍ତ ପରିବାରଙ୍କୁ ହସ୍ତାନ୍ତର କରାଯିବ ।

କେନ୍ଦୁଝର ଜିଲ୍ଲାର ୫ଜଣ ଶ୍ରମିକଙ୍କ ମୃତଦେହ ସ୍ଥାନାନ୍ତର ପାଇଁ ଶ୍ରମ ଓ ଇଏସ୍‌ଆଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।