ଆନ୍ଦୋଳନ ସ୍ଥଳକୁ ଆଉ ଖାଦ୍ୟ ପଠାନ୍ତୁ ନାହିଁ: ସମର୍ଥକଙ୍କୁ ସିଜେପିର ନିବେଦନ
ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର ମନ୍ତରରେ ଆନ୍ଦୋଳନ କରୁଥିବା କକ୍ରାଚ ଜନତା ପାର୍ଟି (ସିଜେପି) ସମର୍ଥନରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ପରିମାଣରେ ଖାଦ୍ୟ ପହଞ୍ଚିବା ପରେ ସଂଗଠନ ପକ୍ଷରୁ ସମର୍ଥକମାନଙ୍କୁ ଆଉ ଖାଦ୍ୟ ନ ପଠାଇବାକୁ ଅନୁରୋଧ କରାଯାଇଛି। ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ବିରୋଧରେ ହଜାର ହଜାର ଲୋକ ଜନ୍ତର ମନ୍ତରରେ ଏକତ୍ରିତ ହୋଇଥିବା ବେଳେ, ଦେଶର ବିଭିନ୍ନ ପ୍ରାନ୍ତର ଅନେକ ଅଜଣା ଲୋକ ଅନଲାଇନ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରି ଆନ୍ଦୋଳନ ସ୍ଥଳକୁ ପଠାଇଥିଲେ। ଏତେ ପରିମାଣର ଖାଦ୍ୟ ଆସିଥିଲା ଯେ ଆୟୋଜକମାନଙ୍କୁ ଶେଷରେ ଆଉ ଖାଦ୍ୟ ନ ପଠାଇବାକୁ ଅନୁରୋଧ କରିବାକୁ ପଡ଼ିଥିଲା। ଗତ କିଛି ଦିନ ଧରି ଏକ୍ସ ଓ ଇନଷ୍ଟାଗ୍ରାମରେ ଭାଇରାଲ୍ ହୋଇଥିବା ଭିଡିଓଗୁଡ଼ିକରେ ଦେଖାଯାଇଥିଲା ଯେ ଫୁଡ୍ ଡେଲିଭରି କର୍ମଚାରୀମାନେ ଆନ୍ଦୋଳନ ସ୍ଥଳରେ ଲଗାତାର ଖାଦ୍ୟ ପହଞ୍ଚାଉଛନ୍ତି। ଏହି ଖାଦ୍ୟଗୁଡ଼ିକ ସେହି ସମର୍ଥକମାନେ ପଠାଇଥିଲେ, ଯେଉଁମାନେ ଆନ୍ଦୋଳନକାରୀଙ୍କୁ କେବେ ଦେଖିନଥିଲେ, କିନ୍ତୁ ସେମାନେ ନିଜ ଉପାୟରେ ଆନ୍ଦୋଳନକୁ ସମର୍ଥନ କରିବାକୁ ଚାହୁଥିଲେ। ଏହା ସହିତ ଅନେକ ଲୋକ ନିଜେ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟ, ଜଳଖିଆ, ଚା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନେଇ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ। ଏହା ଫଳରେ ପ୍ରତିବାଦ କେବଳ ସ୍ଲୋଗାନ୍ ଓ ଭାଷଣରେ ସୀମିତ ନରହି, ପରସ୍ପର ସହଯୋଗ ଓ ଏକତାର ଏକ ଉଦାହରଣରେ ପରିଣତ ହୋଇଥିଲା। ସମୟ ବିତିବା ସହିତ ଖାଦ୍ୟର ପରିମାଣ ଏତେ ବଢ଼ିଗଲା ଯେ ସ୍ୱେଚ୍ଛାସେବକମାନଙ୍କ ପାଇଁ ସେଗୁଡ଼ିକୁ ସଜାଇବା ଓ ବଣ୍ଟନ କରିବା କଷ୍ଟକର ହୋଇପଡ଼ିଥିଲା। ରାତି ପ୍ରାୟ ୧୦ଟା ସୁଦ୍ଧା ପ୍ରତିବାଦ ସ୍ଥଳରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ପହଞ୍ଚିଯାଇଥିଲା। ଜନସାଧାରଣଙ୍କ ବ୍ୟାପକ ସମର୍ଥନକୁ ଦେଖି ସିଜେପି ଏକ୍ସରେ ଏକ ଅସାଧାରଣ ଆହ୍ୱାନ କରିଥିଲା। ଅଧିକ ସହଯୋଗ ନୁହେଁ, ବରଂ ସଂଯମ ରଖିବାକୁ ଅନୁରୋଧ କରିଥିଲା। ସିଜେପି ଏହାର ପୋଷ୍ଟ୍ରେ ଲେଖିଛି, ‘ ଭାରତ ଏକ ସୁନ୍ଦର ଦେଶ ଏବଂ ଏଠାକାର ଲୋକମାନେ ମଧ୍ୟ ବହୁତ ସୁନ୍ଦର। ଆନ୍ଦୋଳନକାରୀଙ୍କ ପାଇଁ ଖାଦ୍ୟ ପଠାଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆମେ ଆପଣମାନଙ୍କ ଭଲପାଇବାରେ ଅଭିଭୂତ। କିନ୍ତୁ ଆଜି ପାଇଁ ଆମକୁ ପର୍ଯ୍ୟାପ୍ତଠାରୁ ଅଧିକ ଖାଦ୍ୟ ମିଳିଯାଇଛି। ଦୟାକରି ଆଉ ଖାଦ୍ୟ ପଠାନ୍ତୁ ନାହିଁ। ମଙ୍ଗଳବାର ରାତି ୧୦:୫୫ରେ ସେୟାର ହୋଇଥିବା ଏହି ପୋଷ୍ଟ ସୋସିଆଲ୍ ମିଡିଆରେ ଖୁବ ପ୍ରଶଂସା ସାଉଁଟିଥିଲା। ଅନେକ ବ୍ୟବହାରକାରୀ ଏହାକୁ ଏମିତି ଏକ ଦୁର୍ଲଭ ଘଟଣା ବୋଲି କହିଥିଲେ, ଯେଉଁଠାରେ ଲୋକଙ୍କ ଉଦାରତା ଆବଶ୍ୟକତାକୁ ମଧ୍ୟ ଅତିକ୍ରମ କରିଥିଲା।
ଏହି ପ୍ରତିବାଦ ଅଭିଜିତ ଦିପକେଙ୍କ ଦ୍ୱାରା ସ୍ଥାପିତ ବ୍ୟଙ୍ଗାତ୍ମକ ନାଗରିକ ଆନ୍ଦୋଳନ କକ୍ରୋଚ ଜନତା ପାର୍ଟିର ଏକ ବ୍ୟାପକ ଅଭିଯାନର ଅଂଶ। ସଂଗଠନ ଜୁଲାଇ ୨୦ରେ ଜନ୍ତର ମନ୍ତରରୁ ସଂସଦ ପର୍ଯ୍ୟନ୍ତ ପଦଯାତ୍ରାର ଆହ୍ୱାନ କରିଥିଲା। ସେମାନଙ୍କ ଦାବି ଥିଲା ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିବା ସହ ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଜୁନ୍ ୨୮ରୁ ଅନିର୍ଦ୍ଦିଷ୍ଟକାଳୀନ ଅନସନ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପରେ ଏହି ଆନ୍ଦୋଳନ ନୂଆ ଗତି ପାଇଥିଲା। ପ୍ରାରମ୍ଭରେ ଆନ୍ଦୋଳନ ସ୍ଥଳରେ ଅଧିକ ଭିଡ଼ ହେଉନଥିଲେ ମଧ୍ୟ, ଏହି ମାସର ଆରମ୍ଭରେ ପୁଲିସ ୱାଙ୍ଗଚୁକଙ୍କୁ ଅଟକ ରଖି ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ଜନସାଧାରଣଙ୍କ ସମର୍ଥନ ଓ ଆଗ୍ରହ ଦ୍ରୁତ ଭାବେ ବଢ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।