‘ଅପରାଧୀ, ହତ୍ୟାକାରୀ’ କହିଥିବା ବିଦ୍ରୋହୀ ନେତାଙ୍କୁ ଅଭିଷେକ ବାନାର୍ଜୀଙ୍କ ଆଇନଗତ ନୋଟିସ୍
କୋଲକାତା : ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ମଙ୍ଗଳବାର ଦଳର ବିଦ୍ରୋହୀ ବିଧାୟକ ମଦନ ମିତ୍ରଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। କିଛି ଦିନ ପୂର୍ବରୁ ମଦନ ମିତ୍ର ଋତବ୍ରତ ବନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଶିବିରରେ ଯୋଗ ଦେଇଥିଲେ। ଅଭିଷେକ ବନାର୍ଜୀଙ୍କ ଅଭିଯୋଗ ହେଉଛି ଯେ, ମଦନ ମିତ୍ର ତାଙ୍କ ବିରୋଧରେ ମିଥ୍ୟା, ବେପରୁଆ ଏବଂ ମାନହାନିକର ମନ୍ତବ୍ୟ ଦେଇଛନ୍ତି। ଏଆଇଟିସି ପକ୍ଷରୁ ସେୟାର କରାଯାଇଥିବା ଆଇନଗତ ନୋଟିସ୍ ଅନୁଯାୟୀ, ମଦନ ମିତ୍ର ଅଭିଷେକ ବନାର୍ଜୀଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ ବୋଲି ଅଭିଯୋଗ କରିଥିଲେ। ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଏବଂ ଟଙ୍କା ଦେଇ ସୁପାରି କିଲର୍ (ଭଡ଼ାଟିଆ ହତ୍ୟାକାରୀ) ନିଯୁକ୍ତ କରୁଥିବା ଭଳି ଅଭିଯୋଗ ମଧ୍ୟ କରିଥିଲେ। ନୋଟିସ୍ରେ କୁହାଯାଇଛି- ଆପଣ ମୋ ମହକିଲ (ଅଭିଷେକ ବନାର୍ଜୀ)ଙ୍କ ବିରୋଧରେ ଅନେକ ମିଥ୍ୟା, ବେପରୁଆ, ଦୁର୍ଭାବନାପୂର୍ଣ୍ଣ ଏବଂ ଅତ୍ୟନ୍ତ ମାନହାନିକର ମନ୍ତବ୍ୟ ଦେଇଛନ୍ତି। ଆପଣ ତାଙ୍କୁ ‘ଅପରାଧୀ’ ଏବଂ ‘ହତ୍ୟାକାରୀ’ ବୋଲି କହିଛନ୍ତି। ଟଙ୍କା ଦେଇ କିମ୍ବା ସୁପାରି କିଲର୍ ମାଧ୍ୟମରେ ସେ ଲୋକଙ୍କୁ ହତ୍ୟା କରାନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଏବଂ ତାଙ୍କର ଅପରାଧିକ ପ୍ରବୃତ୍ତି ରହିଛି ବୋଲି କହିଛନ୍ତି। ଏହି ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ମନଘଡ଼ା, ଦୁର୍ଭାବନାପୂର୍ଣ୍ଣ ଏବଂ କୌଣସି ତଥ୍ୟଗତ ଆଧାର ନାହିଁ। ଆପଣ ମଧ୍ୟ ଭଲ ଭାବେ ଜାଣିଛନ୍ତି ଯେ ଏହି ସମସ୍ତ ମନ୍ତବ୍ୟ ସଂପୂର୍ଣ୍ଣ ଭୁଲ। ଏହି ଆଇନଗତ ନୋଟିସ୍ ସେତେବେଳେ ଆସିଛି, ଯେତେବେଳେ ବରିଷ୍ଠ ଟିଏମ୍ସି ନେତା ଓ ବିଧାୟକ ମଦନ ମିତ୍ର କିଛି ଦିନ ପୂର୍ବରୁ ଋତବ୍ରତ ବନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଶିବିରରେ ଯୋଗ ଦେଇଥିଲେ। ନୋଟିସରେ କୁହାଯାଇଛି ଯେ ମଦନ ମିତ୍ରଙ୍କ ମନ୍ତବ୍ୟ ଅଭିଷେକଙ୍କ ମାନହାନି କରିଛି ଏବଂ ବାନାର୍ଜୀଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗର କୌଣସି ତଥ୍ୟଗତ ଆଧାର ନାହିଁ। ଏହାପୂର୍ବରୁ ମଦନ ମିତ୍ର ଋତବ୍ରତ ବାନାର୍ଜୀଙ୍କ ବିଦ୍ରୋହୀ ଶିବିରରେ ଯୋଗ ଦେଇ ତାଙ୍କ ଦଳ ଛାଡ଼ିବା ପାଇଁ ଟିଏମ୍ସିର ସାଧାରଣ ସମ୍ପାଦକ ଅଭିଷେକ ବନାର୍ଜୀଙ୍କୁ ଦାୟୀ କରିଥିଲେ। ଏହି ଘଟଣା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ ସେ ଦଳକୁ ପୁଣି ଥରେ ନୂଆ କରି ଗଢ଼ିପାରିବେ। ଉଲ୍ଲେଖଯୋଗ୍ୟ ମଦନ ମିତ୍ର କହିଥିଲେ, ମୁଁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଆଉ ପ୍ରଭାବଶାଳୀ ଭାବେ କାମ କରିପାରୁନଥିଲି। ସେଥିପାଇଁ ମୁଁ ଦଳ ଛାଡ଼ିଛି। ମୁଁ ଯେଉଁ ସବୁ କମିଟିର ସଦସ୍ୟ ଥିଲି, ସେଗୁଡ଼ିକରୁ ମଧ୍ୟ ଇସ୍ତଫା ଦେଇଛି। ମୋ ମତରେ, ଦଳର ନେତୃତ୍ୱ ସଂଗଠନକୁ ମଜବୁତ କରିବା ପରିବର୍ତ୍ତେ ଅଭିଷେକ ବନାର୍ଜୀଙ୍କୁ ଆଗକୁ ଆଣିବାରେ ଅଧିକ ଧ୍ୟାନ ଦେଉଛି। ଟିଏମ୍ସି କେବଳ ଜଣେ ବ୍ୟକ୍ତିଙ୍କ ଦଳ ନୁହେଁ । ମୁଁ ଏହି ସବୁ ପ୍ରସଙ୍ଗ ଅନେକ ଥର ମମତା ବାନାର୍ଜୀଙ୍କ ନିକଟରେ ଉଠାଇଥିଲି, କିନ୍ତୁ ମୋ କଥାକୁ ଗୁରୁତ୍ୱ ଦିଆଯାଇନଥିଲା। ମୋ ମତରେ ଅଭିଷେକ ବନାର୍ଜୀ ଚାହୁଛନ୍ତି ଯେ ସବୁ ନିଷ୍ପତ୍ତି କେବଳ ତାଙ୍କ ଇଚ୍ଛା ଅନୁଯାୟୀ ହେଉ। ସେ ଅନ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଦିଅନ୍ତି ନାହିଁ। ଫଳରେ ଦଳର ସ୍ଥିତି ଦୁର୍ବଳ ହେଉଛି ବୋଲି ମୁଁ ଭାବୁଛି ବୋଲି ମଦନ ମିତ୍ର କହିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।