୫ ବର୍ଷରୁ ଅଧିକ ସେବା କରିଥିବା ଜିଆରଏସଙ୍କ ତଥ୍ୟ ମାଗିଲେ ସରକାର
ଭୁବନେଶ୍ୱର : ଜିଆରଏସଙ୍କର ସମ୍ପୂର୍ଣ୍ଣ ତଥ୍ୟ ମାଗିଲେ ରାଜ୍ୟ ସରକାର । ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । "୫ ବର୍ଷ କିମ୍ବା ତା’ଠାରୁ ଅଧିକ ନିରବଚ୍ଛିନ୍ନ ସେବା ପୂରଣ କରିଥିବା ଜିଆରଏସ ମାନଙ୍କ ସମସ୍ତ ସୂଚନା ମାଗିଛନ୍ତି ସରକାର । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ୧୫ ଦିନ ମଧ୍ୟରେ ସବିଶେଷ ତଥ୍ୟ ପଠାଇବାକୁ କୁହାଯାଇଛି । ‘ଅତ୍ୟନ୍ତ ଜରୁରୀ’ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଉପ ସଚିବ ନମିତା ସାହୁଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଜାରି ହୋଇଥିବା ଚିଠିରେ କୁହାଯାଇଛି, ଏହି ତଥ୍ୟ ଆଧାରରେ ଏକ କେନ୍ଦ୍ରୀକୃତ ଡେଟାବେସ ପ୍ରସ୍ତୁତ କରିବେ ସରକାର । ପୂର୍ବରୁ ଯୋଗ୍ୟ ଗ୍ରାମ ରୋଜଗାର ସେବକଙ୍କୁ ଆକାଉଣ୍ଟାଣ୍ଟ-ତଥା-ଡାଟା ଏଣ୍ଟ୍ରି ଅପରେଟର ବା ଏଡିଇଓ ପଦରେ ସାମିଲ କରିବା ସମ୍ପର୍କିତ ପ୍ରସ୍ତାବ ବେଳେ ମଧ୍ୟ ଏଭଳି ତଥ୍ୟର ଆବଶ୍ୟକତା ପଡ଼ିଥିବାରୁ ଏହାକୁ ସ୍ଥାୟୀ ଭାବେ ସଂରକ୍ଷଣ କରିବାକୁ ବିଭାଗ ଉଦ୍ୟମ କରିଛି ।"
ଜିଆରଏସ୍ମାନଙ୍କର ସମ୍ପୂର୍ଣ୍ଣ ସେବାକାଳର ଇତିହାସ ଜାଣିବା ପାଇଁ ସରକାର ଏକ ବିସ୍ତୃତ ଫର୍ମାଟ୍ ପ୍ରସ୍ତୁତ କରାଯାଉଛି । ଏଥିରେ ମୁଖ୍ୟତଃ ନିମ୍ନଲିଖିତ ତଥ୍ୟଗୁଡ଼ିକ ରହିଛି : ଜିଆରଏସ୍ଙ୍କ ନାମ ଓ ସାମାଜିକ ବର୍ଗ । ଶିକ୍ଷାଗତ ଯୋଗ୍ୟତା । ପ୍ରଥମ ନିଯୁକ୍ତି ତାରିଖ ଓ ମୋଟ ସେବାକାଳ। ବର୍ତ୍ତମାନ କାର୍ଯ୍ୟରତ ବ୍ଲକ ଓ ଗ୍ରାମ ପଞ୍ଚାୟତର ନାମ। କାର୍ଯ୍ୟସ୍ଥିତି (କାର୍ଯ୍ୟରତ, ନିଲମ୍ବିତ କିମ୍ବା ଅବ୍ୟାହତ)। ସେବାରେ ନିରବଚ୍ଛିନ୍ନତା ସମ୍ପର୍କିତ ସୂଚନା ଓ ଆବଶ୍ୟକ ମନ୍ତବ୍ୟ ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପରେ ରାଜ୍ୟର ଜିଆରଏସ୍ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଯୋଗ୍ୟ ଜିଆରଏସ୍ଙ୍କୁ ଆକାଉଣ୍ଟାଣ୍ଟ-ତଥା-ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଭାବେ ନିୟୋଜିତ କରିବା ପ୍ରସଙ୍ଗରେ ଏଭଳି ତଥ୍ୟର ଆବଶ୍ୟକତା ପଡ଼ିଥିଲା। ଏବେ ଏହାକୁ ଏକ ସ୍ଥାୟୀ ଡାଟାବେସ୍ରେ ସଂରକ୍ଷଣ କରିବାକୁ ପ୍ରୟାସ କରାଯାଉଥିବାରୁ, ଆଗାମୀ ଦିନରେ ସରକାର ସେମାନଙ୍କ ସ୍ଥାୟୀକରଣ କିମ୍ବା ପଦୋନ୍ନତି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।