ୟୁକାଲିପଟାସ୍ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍ଓଙ୍କୁ ତଦନ୍ତ ନିର୍ଦ୍ଦେଶ
କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ ତୁରନ୍ତ ରୋକୋ ଲଗାଇବା ଦାବିରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୋରାପୁଟ ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାନବାଧିକାର ଓ ଆର୍ଟିଆଇ କର୍ମୀ ଆଡ୍ଭୋକେଟ୍ ଅନୁପ କୁମାର ପାତ୍ର ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହାକୁ ଗୁରୁତ୍ୱର ସହ ବିଚାର କରି ବିଭାଗର ଅଣ୍ଡର ସେକ୍ରେଟାରୀ ବିଜୟ କିଶୋର ଭୁଜବଳା କୋରାପୁଟ ଡିଏଫ୍ଓଙ୍କୁ ପତ୍ର ଲେଖି ଘଟଣାର ଅନୁସନ୍ଧାନ କରିବା ସହ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗ ଓ ଅଭିଯୋଗକାରୀଙ୍କୁ ଅବଗତ କରିବାକୁ କହିଛନ୍ତି। ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ମାମଲାକୁ ‘ଟପ୍ ପ୍ରାଥମିକତା’ ଭାବେ ବିଚାର କରିବାକୁ ଉଲ୍ଲେଖ ରହିଛି। ସେହିପରି ପିସିସିଏଫ୍ ଓ ହେଡ୍ ଅଫ୍ ଫରେଷ୍ଟ୍ ଫୋର୍ସ (HoFF)ଙ୍କୁ ମଧ୍ୟ ଏହାର ନକଲ ପଠାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଅଭିଯୋଗରେ କୁହାଯାଇଛି ଯେ, କୋରାପୁଟ ଜିଲାରେ ବ୍ୟାପକ ହାରରେ ହେଉଥିବା ଯୁକାଲିପଟାସ୍ ଚାଷ ଭୂତଳ ଜଳସ୍ତର ହ୍ରାସ, ପରିବେଶ ଅବକ୍ଷୟ ଓ ଆଦିବାସୀ ଜମି ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହା ସହ ନୂତନ ବଗିଚା ସୃଷ୍ଟି ପାଇଁ ଜମି ପୋଡ଼ିବା, ଜୈବ ବିବିଧତାର କ୍ଷୟ ଏବଂ ସ୍ଥାନୀୟ ଉଦ୍ଭିଦ ପ୍ରଜାତି ପ୍ରତି ବିପଦ ସୃଷ୍ଟି ହେଉଥିବା ଦାବି କରାଯାଇଛି।
ଆବେଦନରେ ପରିବେଶ ସୁରକ୍ଷା ଆଇନ-୧୯୮୬ର ଧାରା ୩ ଓ ୫ ଏବଂ ସମ୍ବିଧାନର ଧାରା ୨୧ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ବାହାର ରାଜ୍ୟର କିଛି ଗୋଷ୍ଠୀ ଆଦିବାସୀ ଚାଷୀଙ୍କୁ ପ୍ରଲୋଭିତ କରି ଜମି ଲିଜ ନେଉଥିବା ଏବଂ ପେସା ଓ ବନାଧିକାର ଆଇନର ମୂଳ ଉଦ୍ଦେଶ୍ୟକୁ କ୍ଷୁଣ୍ଣ କରୁଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲାକୁ ଯୁକାଲିଟାସ୍ ଚାଷ ପାଇଁ ‘ପ୍ରତିବନ୍ଧିତ ଅଞ୍ଚଳ’ ଘୋଷଣା କରିବା, ଜମି ପୋଡ଼ିବା କାର୍ଯ୍ୟ ତୁରନ୍ତ ବନ୍ଦ କରିବା ଏବଂ ଆଦିବାସୀ ଜମି ଅଧିକାର ଉପରେ ପ୍ରଭାବ ନେଇ ଉଚ୍ଚସ୍ତରୀୟ ସ୍ବାଧୀନ ତଦନ୍ତ କମିଟି ଗଠନ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ବନ ବିଭାଗର ତଦନ୍ତ ରିପୋର୍ଟ ପରେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।