ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳନିଷ୍କାସନ
ସମ୍ବଲପୁର: ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳନିଷ୍କାସନ ଯୋଗୁଁ ସମ୍ବଲପୁର ସହର ସର୍ବାଧିକ ଅସୁରକ୍ଷିତ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା। ମାତ୍ର ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଦ୍ବିତୀୟ ସ୍ପିଲ୍ୱେ ମଧ୍ୟ ଅନିଶ୍ଚିତତାରେ ରହିଛି। ହୀରାକୁଦ ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି ୫ ଲକ୍ଷ ଘନଫୁଟ୍ରୁ ଅଧିକ ବନ୍ୟାପାଣି ବିଭିନ୍ନ ବର୍ଷ ଗୁଡ଼ିକରେ ଅନେକ ଥର ନିଷ୍କାସିତ ହୋଇଛି । ସେହି ଅନୁସାରେ ସମ୍ବଲପୁର ସହର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି।
ଇଂ ପଣ୍ଡାଙ୍କ ଅନୁସାରେ, ହୀରାକୁଦର ମୂଳ ପ୍ରୋଜେକ୍ଟ ୧୯୪୭ ଅନୁସାରେ ମହାନଦୀର ସମ୍ଭାବ୍ୟ ସର୍ବାଧିକ ବନ୍ୟାଜଳ ସେକେଣ୍ଡ ପ୍ରତି ୧୫ ଲକ୍ଷ କ୍ୟୁସେକ୍ ହୀରାକୁଦ ବନ୍ଧକୁ ପ୍ରବେଶର ଆକଳନ ଥିଲା ଓ ସେହି ଅନୁଯାୟୀ ହୀରାକୁଦରୁ ସେତିକି ପରିମାଣର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରା ଯାଇଥିଲା । ତେବେ ୧୫ ଲକ୍ଷ କ୍ୟୁସେକ୍ ତ ଦୂରର କଥା ଯେଉଁ କେତେଥର୮ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ା ଯାଇଛି, ବନ୍ଧଠାରୁ ମାତ୍ର ୧୫ କିମି ତଳେ ଥିବା ସମ୍ବଲପୁର ସହର ଧନଜୀବନ ଅସୁରକ୍ଷିତ ହୋଇପଡ଼ିଛି। ଯେବେ ହୀରାକୁଦ ଜଳଭଣ୍ଡାରରୁ ସେକେଣ୍ଡ ୪ ଲକ୍ଷ ଘନ ଫୁଟ୍ରୁ ଅଧିକ ପାଣି ମହାନଦୀକୁ ନିଷ୍କାସନ ହୁଏ, ସେତେବେଳେ ସମ୍ବଲପୁର ସହରର ବ୍ୟାପକ ତଳି ଅଂଚଳରେ ବନ୍ୟାଜଳ ପ୍ରବେଶ କରେ ସହର ମଧ୍ୟରେ ପ୍ରବାହିତ ଧୋବିଜୋର ଓ ଟାଙ୍ଗନାନାଳାର ପାଣି ମହାନଦୀକୁ ନିଷ୍କାସିତ ହୋଇ ନପାରି କୁତ୍ରିମ ବନ୍ୟା ସୃଷ୍ଟିହୁଏ। ସୁଇସ୍ ଗେଟ୍ ଗୁଡିକୁ ବନ୍ଦ କରି ସହର ପାର୍ଶ୍ଵ ନାଳ ଏବଂ ବର୍ଷା ପାଣିକୁ ମୋଟର୍ ପମ୍ପ ସହାୟତାରେ ମହାନଦୀକୁ ନିଷ୍କାସନ କରାଯାଏ। ଏଭଳି ସ୍ଥିତିରେ ଯଦି ସହର ଭିତରେ ବର୍ଷା ଲାଗିରହେ ତେବେ ସବୁପାଣି ପମ୍ପ୍ ଗୁଡିକ ଦ୍ବାରା ନିଷ୍କାସନ ସମ୍ଭବ ହୁଏ ନାହିଁ ଓ କୃତ୍ରିମ ବନ୍ୟା ସୃଷ୍ଟି ହୁଏ। ୨୦୧୫ ମସିହାରୁ ଆବଶ୍ୟକତା ଅନୁସାରେ ପମ୍ପସେଟ୍ ସହ ପମ୍ପିଙ୍ଗ ଷ୍ଟେସନ ନିର୍ମାଣ କରାଯାଇଛି। ଏହି ସମସ୍ୟା ପ୍ରାୟ ସବୁ ମୌସୁମୀ ଋତୁରେ ସମ୍ବଲପୁରଏବଂ ହୀରାକୁଦରେ ଦେଖାଯାଏ।
୧୯୮୦ ମସିହା ସେପ୍ଟେମ୍ବର ୨୦ ତାରିଖରେ ହୀରାକୁଦ ବନ୍ଧରୁ ସେକେଣ୍ଡ ପ୍ରତି ପାଖାପାଖି ୧୧.୭୯ ଲକ୍ଷ ଘନଫୁଟ୍ ବନ୍ୟାଜଳ ମହାନଦୀକୁ ଛଡ଼ା ଯାଇଥିଲା, ଯାହାକି ହୀରାକୁଦ ବନ୍ଧରୁ ଏ ପର୍ଯ୍ୟନ୍ତର ସର୍ବାଧିକ ବନ୍ୟାଜଳ ନିଷ୍କାସନ ସେହି ନିଷ୍କାସିତ ବନ୍ୟାଜଳ ପରିମାଣ ଏତେ ଅଧିକ ଥିଲା ତାହା ଲକ୍ଷ୍ମୀଡୁଙ୍ଗୁରି ନିକଟ ମହାନଦୀର ସେତୁର ସ୍ଲାବ୍ର ନିମ୍ନ ଅଂଶକୁ ସ୍ପର୍ଶ କରିଥିଲା | ସେ ସମୟରେ ସମ୍ବଲପୁର ସହର ଭୟଙ୍କର ବନ୍ୟାର ସାମ୍ନା କରିଥିଲା ଓ ଅନେକ କ୍ଷୟକ୍ଷତି ହୋଇଥିଲା। ଏହାପରେ ୧୯୯୫ରେ ସମ୍ବଲପୁର ସହର ପାର୍ଶ୍ଵରେ ମହାନଦୀରେ ରିଂରୋଡ୍ ନିର୍ମାଣ ହୋଇ ୧୯୯୯ ମସିହାରେ ସରିଥିଲା। ୨୦୧୧ମସିହା ସେପ୍ଟେମ୍ବର ୧୦ ତାରିଖରେ ହୀରାକୁଦ ବନ୍ଧରୁ ସେକେଣ୍ଡ ପ୍ରତି ପାଖାପାଖି ୯.୮୧ ଲକ୍ଷ ଘନଫୁଟ୍ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେତେବେଳେ ମହାନଦୀର ବନ୍ୟାଜଳ ବିଭିନ୍ନ ସ୍ଥାନରେ ରିଂ ରୋଡ୍ ଉପରସ୍ତରକୁ ସ୍ପର୍ଶ କରିଥିଲା।ସେ ବର୍ଷ ମଧ୍ୟ ସମ୍ବଲପୁରବାସୀ ଭୟଙ୍କର ବନ୍ୟା ଦେଖିଥିଲେ ଓ ଅନେକ କ୍ଷୟକ୍ଷତି ହୋଇଥିଲା |
ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ଜରୁରୀ
ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯଶୋବନ୍ତ ପରିଡ଼ାଙ୍କ କହିବା ଅନୁସାରେ, ୧୯୯୭ମସିହାରେ କେନ୍ଦ୍ରୀୟ ଜଳ ଆୟୋଗ ଓ ଓଡ଼ିଶା ସରକାରଙ୍କ ମିଳିତ ଆକଳନ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ସମ୍ଭାବ୍ୟ ସର୍ବାଧିକ ବନ୍ୟାଜଳ ପ୍ରବେଶ ହାର ୨୪.୩୦ ଲକ୍ଷ ଘନଫୁଟ୍ ପର୍ଯ୍ୟନ୍ତ ହୋଇପାରେ ତେଣୁ ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିରୁ ଏହାର ବନ୍ୟାଜଳ ନିଷ୍କାସନ କ୍ଷମତା ୧୫ ଲକ୍ଷ କ୍ୟୁସେକ୍ରୁ ୨୪.୩୦ ଲକ୍ଷ କ୍ୟୁସେକ୍କୁ ବୃଦ୍ଧି କରିବା ନିହାତି ଜରୁରୀ। ଏଥିପାଇଁ ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ ଜରୁରୀ। ସେହିପରି ଇଂ ପରିଡ଼ା ସତର୍କ କରାଇଛନ୍ତି ଯେ ଯଦି ୧୯୮୦ ମସିହା ଭଳି ଆଜିର ତାରଖରେ ହୀରାକୁଦରୁ ୧୧-୧୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯାଏ ତାହେଲେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ଓ ସମ୍ବଲପୁର ସହରରେ ବ୍ୟାପକ କ୍ଷୟକ୍ଷତି ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।