ସ୍ପେନ୍‌ର ୧୬,୦୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

Jul 20, 2026 - 08:05
ସ୍ପେନ୍‌ର ୧୬,୦୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ

ସ୍ପେନ, ୨୦।୭: ସ୍ପେନ୍‌ ଇତିହାସର ସବୁଠାରୁ ବଡ଼ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୬,୦୦୦ ହେକ୍ଟର ଜଙ୍ଗଲ ଅଞ୍ଚଳ ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ନିଆଁ ଏବେ ମଧ୍ୟ ପ୍ରବଳ ବେଗରେ ମାଡ଼ିଚାଲିଛି। ସ୍ପେନ୍‌ର ପବ୍ଲିକ ବ୍ରଡକାଷ୍ଟର ଆରଟିଭିଇ ଅନୁଯାୟୀ ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଥିବାବେଳେ ଏପଯର୍‌ୟନ୍ତ ୧୧୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସିଙ୍କୋ ଭିଲାଜ ଅଞ୍ଚଳରେ ବୁଧବାର ଆରମ୍ଭ ହୋଇଥିବା ଏହି ନିଆଁ ପ୍ରାୟ ୬୦ କିଲୋମିଟର ପରିଧି ଯାଏଁ ବ୍ୟାପିସାରିଛି। ତେବେ ଅତ୍ୟଧିକ ପବନ ବେଗକୁ ନେଇ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡର ମୁକାବିଲା ପାଇଁ ପ୍ରାୟ ୪୦୦ ସ୍ଥଳସେନା ଅଧିକାରୀ ଏବଂ ୧୯ ସ୍ବତନ୍ତ୍ର ବିମାନକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବାହିନୀ ଉଙ୍କାଷ୍ଟିଲୋରେ ଘରଗୁଡ଼ିକର ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍‌ ସେବା ସ୍ବାଭାବିକ କରାଯାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ପ୍ରମୁଖ ସଡ଼କପଥ ବନ୍ଦ ରଖାଯାଇଛି।
ସ୍ପେନ୍‌ର ଅନ୍ୟାନ୍ୟ ଅଂଶ ମଧ୍ୟ ଏବେ ନିଆଁର କରାଳ ଗ୍ରାସରେ। ଉତ୍ତର ଭାଗରେ ଥିବା ଗୁଆଡାଲାଜାରାରେ ପ୍ରାୟ ୯୦୦ ହେକ୍ଟର ଜଙ୍ଗଲ ଜଳୁଥିବାବେଳେ ସେଠାରେ ସେନା ମୁତୟନ କରାଯାଇଛି। ସେହିଭଳି ମାଡ୍ରିଡ ନିକଟସ୍ଥ ଲୋଜୋୟୁଏଲାରେ ୭୦ ହେକ୍ଟର ଜମି ଜଳି ନଷ୍ଟ ହୋଇଛି, ଯେଉଁଠାରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।
ଉଚ୍ଚ ତାପମାତ୍ରା, ଶକ୍ତିଶାଳୀ ପବନ, ନିମ୍ନ ଆର୍ଦ୍ରତା, ପ୍ରଚୁର ଉଦ୍ଭିଦରାଜି ଯୋଗୁ ନିଆଁ ଶୀଘ୍ର ବ୍ୟାପିବାରେ ଲାଗିଛି। ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନ ଏବଂ ପରିତ୍ୟକ୍ତ ଗ୍ରାମାଞ୍ଚଳଗୁଡ଼ିକୁ ମଧ୍ୟ ଜଙ୍ଗଲ ନିଆଁର କାରଣ ଦର୍ଶାଇଛନ୍ତି। ମାନବଚାଳିତ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାରମ୍ଭିକ ଗ୍ରୀଷ୍ମ ପ୍ରବାହ ଫଳରେ ସମଗ୍ର ଇଉରୋପରେ ତାପମାତ୍ରା ଉଚ୍ଚ ସ୍ତରରେ ପହଞ୍ଚିଛି, ଯାହା ଜଳ ଅଭାବ, ଫସଲହାନି, ଜଙ୍ଗଲନିଆଁ ଏବଂ ସାଧାରଣ ଅପେକ୍ଷା ହଜାର ହଜାର ମୃତ୍ୟୁର କାରଣ ପାଲଟିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।