ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପକ୍ଷାଘାତରେ ପୀଡ଼ିତ ବାପା- ମା'ଙ୍କ ଆଖିରୁ ଶୁଖୁନି ଲୁହ, ପତ୍ନୀ ପାଇଁ ଦେଢ଼ କୋଟିର ଜାଗା କିଣିଥିଲେ ରଶ୍ମି
ବାଲିକୁଦା,୧୯/୦୭: ପତ୍ନୀଙ୍କ ଜନ୍ମଦିନରେ ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ଖେଳାଇଛି । ପତ୍ନୀଙ୍କ ଜନ୍ମଦିନ ପାଳିବାକୁ ଭୁବନେଶ୍ୱରରୁ ବାଲେଶ୍ୱର ଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ଅଁଳା ପଞ୍ଚାୟତ କବୀରପାଟଣାର ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଥିଲା । ରଶ୍ମିଙ୍କୁ ଏବେ ପୂରା ଗାଁ ଝୁରୁଛି ।
ରଶ୍ମିଙ୍କ ବାପା-ମା’ଙ୍କ କହିବା ଅନୁସାରେ ପତ୍ନୀଙ୍କୁ ଅଧିକ ଭଲ ପାଉଥିଲେ ସେ । ପତ୍ନୀଙ୍କୁ ଖୁସିରେ ରଖିବା ସକାଶେ ତାଙ୍କ ନାମରେ ଭୁବନେଶ୍ୱରରେ କୋଟିଏ ଟଙ୍କାର ଜମି କିଣିଥିଲେ । କିଛି ଦିନ ତଳେ ଜଗତସିଂହପୁର ଚାରିପୋଲିଆଠାରେ ଜାତୀୟ ରାଜପଥ ପାର୍ଶ୍ବରେ ୬୦ ଲକ୍ଷ ଟଙ୍କାର ଏକ ଜାଗା ବି କିଣିଥିଲେ । କେବଳ ସେତିକି ନୁହେଁ ସେ ତାଙ୍କ ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ ତାଙ୍କୁ ଭାରତର ବିଭିନ୍ନ ସ୍ଥାନ ବୁଲାଇ ନେଇଛନ୍ତି । ଯାହା ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡିର ଫଟୋରୁ ସ୍ପଷ୍ଟ ହେଉଛି । ହେଲେ ପତ୍ନୀଙ୍କ ଜନ୍ମଦିନ ପାଳିବାକୁ ଯାଇ ଆଉ ଫେରିନଥିଲେ ।
ଅଧିକ ପଢ଼ନ୍ତୁ :- Love Affair: ସ୍ତ୍ରୀଙ୍କ ଜନ୍ମଦିନରେ ସ୍ୱାମୀଙ୍କୁ ହତ୍ୟା! ଡାକ୍ତରଖାନାରେ ଶବ ଛାଡ଼ି ପତ୍ନୀ ଓ ପୁରୁଷ ବନ୍ଧୁ ଫେରାର
ପକ୍ଷାଘାତରେ ପୀଡ଼ିତ ରଶ୍ମିଙ୍କ ବୃଦ୍ଧ ବାପା ରାମଚନ୍ଦ୍ର ସେଠୀ ଓ ବୃଦ୍ଧା ମା' ସଂଯୁକ୍ତା ସେଠୀ ଝୁରି ହେଉଛନ୍ତି ପୁଅକୁ । ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ସେମାନେ ମୂକ ପାଲଟି ଯାଇଛନ୍ତି । ଅନ୍ୟପଟରେ ପୁଅର ମରଶରୀର ଗାଁ ମଶାଣିରେ ଶୋକାକୁଳ ପରିବେଶରେ ଦାହ କରାଯାଇଛି । ପୁଅର ହତ୍ୟାକାରୀକୁ ଉଚିତ୍ ଶାସ୍ତି ମିଳୁ ବୋଲି ଗୁହାରି କରିଛନ୍ତି ସଂଯୁକ୍ତା । ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେଇ ଅଭିଯୁକ୍ତମାନେ ଖସିଯିବାକୁ ଯୋଜନା କରିଛନ୍ତି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ରଶ୍ମିରଞ୍ଜନ କେବେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ଦୃଢ଼ତାର ସହ କହି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନାରେ ଏତଲା ଦାଏର କରିଛନ୍ତି ତାଙ୍କ ଦାଦା ଲକ୍ଷ୍ମୀଧର ସେଠୀ । ପତ୍ନୀ ନିଜ ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦାଦା ଲକ୍ଷ୍ମୀଧର ।
ସେପଟେ ରଶ୍ମିରଞ୍ଜନ ଓ ରଶ୍ମିରେଖା ମଧ୍ୟ ପ୍ରେମ ବିବାହ କରିଥିଲେ । ରଶ୍ମିଙ୍କ ପରିବାରର ଅଭିଯୋଗ ଯେ, ରଶ୍ମିରଞ୍ଜନ ପତ୍ନୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପତ୍ନୀଙ୍କ ମନ ଉପରିସ୍ଥ ଅଧିକାରୀଙ୍କ ପାଖରେ ରହିଥିଲା । ଜାତୀୟ ସ୍ୱାସ୍ଥ୍ୟ ମିଶନ କରଞ୍ଜିଆରେ ରଶ୍ମ ିରେଖା ଚାକିରି କରୁଥିବା ବେଳେ ସେଠାରେ ତାଙ୍କର ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏକଥା ଜାଣି ନେଇ ପ୍ରତିବାଦ କରିଥିଲେ ରଶ୍ମିରଞ୍ଜନ । ହେଲେ ରଶ୍ମିରଞ୍ଜନଙ୍କ କଥାକୁ ମାନିବା ବଦଳରେ ଉଭୟ ତାଙ୍କୁ ମାଡ଼ ମାରି ଚୁପ୍ ରହିବାକୁ ତାଗିଦ କରିଥିଲେ ବୋଲି ଲକ୍ଷ୍ମୀଧର ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପରେ କରଞ୍ଜିଆରୁ ଉଭୟ ସମାନ ଜାଗାକୁ ବଦଳି ହୋଇ ଯାଇଥିଲେ । ତେବେ ପୁତୁରା ରଶ୍ମିରଞ୍ଜନ କଟକରେ ଚାକିରି କରି ଭୁବନେଶ୍ୱରରେ ରହୁଥିବା ବେଳେ ପୁତୁରା ବୋହୂ ରଶ୍ମିରେଖା ଆଜିମାବାଦ୍ ବିଜୁ ପଟ୍ଟନାୟକ କଲୋନିରେ ରହୁଥିଲେ । ବିବାହକୁ ତିନି ବର୍ଷ ପୂରିଥିଲେ ସୁଦ୍ଧା ଏମାନଙ୍କର କୌଣସି ପିଲାପିଲି ନାହାନ୍ତି । ଏବେ ରଶ୍ମିରଞ୍ଜନଙ୍କ ମୃତ୍ୟୁର ମୋଡ଼ କେଉଁ ଆଡ଼େ ଯାଉଛି ଓ ପୁଲିସ ଅସଲ ରହସ୍ୟ ଉନ୍ମୋଚନ କରିପାରୁଛି କି ନା’ ତା' ଉପରେ ଗ୍ରାମବାସୀଙ୍କ ନଜର ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।