ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

Aug 04, 2026 - 23:23
ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ ସେହି ଗାଡ଼ିଗୁଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ଦିଆ ନ ଯାଉ। ଏହାକୁ ନେଇ କେନ୍ଦ୍ର ସରକାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରନ୍ତୁ। ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ଦେଶରେ ବ୍ୟାପକ ସଂଖ୍ୟାରେ ଗାଡ଼ି ବିନା ଇନସ୍ୟୁରାନ୍ସରେ ରାସ୍ତାରେ ଚାଲୁଛି। ଏହି କାରଣରୁ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ଉଚିତ୍ ସମୟରେ କ୍ଷତିପୂରଣ ମିଳି ପାରୁ ନାହିଁ।

ଅଦାଲତ ବୀମା ନିୟାମକ IRDAI ଏବଂ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟକୁ ମିଳିତ ଭାବେ ଏମିତି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କହିଛନ୍ତି, ଯେଉଁଥିରେ ଗାଡ଼ିର ବୀମା ଅଛି କି ନାହିଁ ଯାଞ୍ଚ ପରେ ହିଁ ଟାଙ୍କିରେ ତେଲ ଦିଆଯିବ। ଏଥିପାଇଁ ଅଟେମେଟିକ ନମ୍ବର ପ୍ଲେଟ୍ ରିକଗ୍ନିଶନ(ANPR) କ୍ୟାମେରାର ଉପଯୋଗ କରିବା ପ୍ରସ୍ତାବ ଦିଆଯାଇଛି। ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ସଂସଦର ଆର୍ଥିକ ସଂପର୍କିତ ସ୍ଥାୟୀ କମିଟିର ୨୦୨୪-୨୫ର ରିପୋର୍ଟ ଅନୁସାରେ ଦେଶରେ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବିନା ଇନସ୍ୟୁରାନ୍ସରେ ଚାଲୁଛି। ଏହି ସଂଖ୍ୟା ପ୍ରାୟ ୧୬.୫୪ କୋଟି ଥିବା ବେଳେ ମୋଟ୍ ପଞ୍ଜିକୃତ ଗାଡ଼ି ସଂଖ୍ୟା ହେଉଛି ୩୦.୪୮ କୋଟି।

ସୁପ୍ରିମକୋର୍ଟ କହିଛନ୍ତି, ମୋଟର ବାହାନ ଅଧିନିୟମର ଧାରା ୧୪୬ ଆଧାରରେ ଗାଡ଼ି ପାଇଁ ଥାର୍ଡ ପାର୍ଟି ବୀମା ଅତି ଆବଶ୍ୟକ। ମାତ୍ର ଏହାର ସଠିକ ଢଙ୍ଗରେ ପାଳନ ହେଉ ନାହିଁ। ଯଦି ବିନା ବୀମା ଥିବା ଗାଡ଼ିଗୁଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ମିଳିବନି ତେବେ ଏମିତି ଗାଡ଼ିର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଗାଡ଼ି ମାଲିକ ମଧ୍ୟ ଠିକ୍ ସମୟରେ ବୀମା କରିବା ପାଇଁ ପ୍ରେରିତ ହେବେ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସ୍ତାବ ଉପରେ କୌଣସି ଆପତ୍ତି ପ୍ରକାଶ କରି ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଅଦାଲତ ଏହା ମଧ୍ୟ କହିଛନ୍ତି, ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଦୁର୍ଘଟଣା ଏବଂ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ସମସ୍ୟାକୁ ଦେଖି କିଛି ରାସ୍ତାରେ ଏମିତି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଉ। ଯଦ୍ଵାରା ଗାଡ଼ିଗୁଡ଼ିକୁ ଟୋଲ୍ ଉପରେ ବିନା ଅଟକାଇ ଅଟୋମେଟିକ ସିଷ୍ଟମରେ ସେମାନଙ୍କୁ ଚିହ୍ନଟ କରାଯାଇ ଟ୍ୟାକ୍ସ ଆଦାୟ କରାଯାଇ ପାରିବ। ଏହା ବ୍ୟତୀତ ଏଏନପିଆର କ୍ୟାମେରାକୁ ବୀମା ସୂଚନା ବ୍ୟୁରୋ ଓ ବାହନ ପୋର୍ଟାଲର ତଥ୍ୟ ସହ ଯୋଡ଼ି ବିନା ବୀମା ଗାଡ଼ି ଉପରେ ଅଟୋମେଟିକ ଇ-ଚାଲାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।