ସିଝୁଛି ଆମେରିକା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୧୮ ରାଜ୍ୟରେ ହାଇଆଲର୍ଟ, ୬ କୋଟି ଲୋକ ପ୍ରଭାବିତ

ଆମେରିକାରେ ଏବେ ଭୟଙ୍କର ଗ୍ରୀଷ୍ମପ୍ରବାହ (Heatwave) ଦେଖିବାକୁ ମିଳିଛି। ଦେଶର ପୂର୍ବ ଏବଂ ମଧ୍ୟ ଭାଗରେ ପ୍ରଚଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ନ୍ୟାସନାଲ ୱେଦର ସର୍ଭିସ (NWS) ପକ୍ଷରୁ ପ୍ରାୟ ୧୮ଟି ରାଜ୍ୟରେ ବିପଜ୍ଜନକ ଗ୍ରୀଷ୍ମପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। ତାପମାତ୍ରା ସହିତ ଆର୍ଦ୍ରତା (Humidity) ମିଶିବା କାରଣରୁ ଲୋକଙ୍କୁ ୧୧୫ ଡିଗ୍ରୀ ଫାରେନହାଇଟ୍ (ପ୍ରାୟ ୪୬ ଡିଗ୍ରୀ ସେଲସିୟସ୍) ଭଳି ଗରମ ଅନୁଭୂତ ହେଉଛି। ଫଳରେ ୬ କୋଟିରୁ ଅଧିକ ଲୋକ ହିଟ୍ ଆଲର୍ଟ ପରିସରକୁ ଆସିଛନ୍ତି।
ବିପଜ୍ଜନକ ହିଟ୍ ଇଣ୍ଡେକ୍ସ ଏବଂ ଚେତାବନୀ
ପାଣିପାଗ ବିଜ୍ଞାନୀଙ୍କ ମତରେ, କେବଳ ତାପମାତ୍ରା ନୁହେଁ ବରଂ ହିଟ୍ ଇଣ୍ଡେକ୍ସ (Heat Index) ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି। ହିଟ୍ ଇଣ୍ଡେକ୍ସ ହେଉଛି ବାସ୍ତବ ତାପମାତ୍ରା ଏବଂ ବାୟୁରେ ଥିବା ଆର୍ଦ୍ରତାର ମିଶ୍ରଣ। ଏହି କାରଣରୁ ଥର୍ମୋମିଟରରେ ତାପମାତ୍ରା କମ୍ ଦେଖାଯାଉଥିଲେ ମଧ୍ୟ ପ୍ରକୃତରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଆମେରିକାର ସ୍ୱାଧୀନତା ଦିବସ (ଜୁଲାଇ ୪) ପର୍ଯ୍ୟନ୍ତ ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାତିରେ ମଧ୍ୟ ମିଳୁନି ଆଶ୍ୱସ୍ତି
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଦିନ ସହିତ ରାତିରେ ମଧ୍ୟ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳୁନାହିଁ। ଅନେକ ସହରରେ ରାତିର ତାପମାତ୍ରା ୮୦ ଡିଗ୍ରୀ ଫାରେନହାଇଟ୍ (ପ୍ରାୟ ୨୭ ଡିଗ୍ରୀ ସେଲସିୟସ୍) ପାଖାପାଖି ରହୁଛି। ଫଳରେ ହିଟ୍ ଷ୍ଟ୍ରୋକ୍ ଏବଂ ଡିହାଇଡ୍ରେସନ୍ ର ବିପଦ ଯଥେଷ୍ଟ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ଏନେଇ ସ୍ୱତନ୍ତ୍ର ସତର୍କତା ଜାରି କରିଛନ୍ତି।
ନ୍ୟୁୟର୍କ ଓ ସିକାଗୋରେ ଖୋଲିଲା କୁଲିଂ ସେଣ୍ଟର
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ଏବଂ ସିକାଗୋ ଭଳି ବଡ଼ ସହରଗୁଡ଼ିକରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର 'କୁଲିଂ ସେଣ୍ଟର' (Cooling Centers) ଖୋଲାଯାଇଛି। ଲୋକମାନଙ୍କୁ ଅନାବଶ୍ୟକ ଭାବେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ପଟେ ଆମେରିକା ସ୍ୱାଧୀନତା ଦିବସ ପାଳନ ସହିତ ଫିଫା ବିଶ୍ୱକପ୍ (FIFA World Cup) ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶାସନର ଚିନ୍ତା ବଢ଼ାଇଦେଇଛି।