ସିକିମରେ ଭୟଙ୍କର ଟନେଲ ବିସ୍ଫୋରଣରେ ୯ ଶ୍ରମିକ ମୃତ

Jul 21, 2026 - 18:10
ସିକିମରେ ଭୟଙ୍କର ଟନେଲ ବିସ୍ଫୋରଣରେ ୯ ଶ୍ରମିକ ମୃତ

ନାମଚି (ସିକିମ୍):ସିକିମର ନାମଚି ଜିଲ୍ଲାରେ ଥିବା ଏନଏଚପିସି ତିସ୍ତା ଷ୍ଟେଜ୍-୫ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭିତରେ ଜମି ରହିଥିବା ଜୈବିକ ମିଥେନ୍ ଗ୍ୟାସକୁ ବାହାର କରିବାକୁ ଚେଷ୍ଟା କରାଯାଉଥିବା ବେଳେ ବିସ୍ଫୋରଣ ଘଟି ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣ ପରେ ଭୂସ୍କଳନ ହେତୁ ଟନେଲର ପ୍ରବେଶ ପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ୧୮ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ମୋଟ ୨୫ ଜଣ ଶ୍ରମିକ ଓ କର୍ମଚାରୀ ଟନେଲ ଭିତରେ ରହିଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଛି।

ରେସକ୍ୟୁ ଅପରେସନ୍ ଜାରି
ଲଗାତାର ଦ୍ୱିତୀୟ ଦିନ ପାଇଁ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ରେସକ୍ୟୁ ଅପରେସନ୍ ଜାରି ରହିଛି। ତେବେ ଟନେଲ ଭିତରେ ବିଷାକ୍ତ ମିଥେନ୍ ଗ୍ୟାସ୍, ଅମ୍ଳଜାନର ଅଭାବ, କମ୍ ଦୃଶ୍ୟମାନତା ଏବଂ ସଂକୀର୍ଣ୍ଣ ପଥ ଯୋଗୁଁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଏହି ଦୁର୍ଘଟଣାକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଭାବିତ ଶ୍ରମିକ ଓ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ, ସିକିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଅନ୍ୟାନ୍ୟ ବିଭାଗ ରାତିସାରା ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।