ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

Jun 26, 2026 - 16:28
ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ ମାସ ଆରମ୍ଭ ହେବା ସୀମାରେ ପହଞ୍ଚିଛି। ଭାରତରେ ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ବଦଳିବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଗ୍ରାହକ ଏବଂ କରଦାତାଙ୍କ ଉପରେ ପଡ଼ିବ। ଏହି ନୂଆ ନିୟମଗୁଡ଼ିକ ମଧ୍ୟରେ ୟୁପିଆଇ (UPI) ମାଧ୍ୟମରେ ପିଏଫ (PF) ପ୍ରତ୍ୟାହାର ଠାରୁ ଆରମ୍ଭ କରି ମହଙ୍ଗା ଭତ୍ତା (DA) ବୃଦ୍ଧି ଏବଂ ଏଲ୍ପିଜି (LPG) ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଭଳି ଅନେକ ଜିନିଷ ସାମିଲ ହେବାର ଆଶା ରହିଛି। ଆସନ୍ତୁ ଜାଣିବା ୧ ଜୁଲାଇ ୨୦୨୬ରୁ କେଉଁ କେଉଁ ପରିବର୍ତ୍ତନ ହେବାକୁ ଯାଉଛି।

ଚାକିରିଆ ଏବଂ ବିନା ଅଡିଟ୍ବାଲା ଟ୍ୟାକ୍ସପେୟାର୍ସ (କରଦାତା)ଙ୍କ ପାଇଁ ସାଲାରୀଡ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR-1 ଏବଂ ITR-2) ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ। ଅର୍ଥାତ୍‌ ଦରମା ପାଉଥିବା କର୍ମଚାରୀ ଏବଂ ସେହି ଲୋକମାନେ ଯେଉଁମାନଙ୍କର ଆୟ କ୍ୟାପିଟାଲ ଗେନ୍ସ (Capital Gains), ହାଉସ ପ୍ରପର୍ଟି କିମ୍ବା ଅନ୍ୟ କୌଣସି ଅଣ-ବ୍ୟବସାୟିକ ଆୟରୁ ହୋଇଥାଏ ଯେଉଁଥିପାଇଁ ଅଡିଟର ଆବଶ୍ୟକତା ନାହିଁ, ସେମାନଙ୍କୁ ITR-1 ଏବଂ ITR-2 ଫର୍ମ ପୂରଣ କରିବାକୁ ହେବ।

୧ ଜୁଲାଇରୁ ନୂଆ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ HDFC ବ୍ୟାଙ୍କ ନିଜର Regalia Gold ଏବଂ Diners Club Privilege କ୍ରେଡିଟ କାର୍ଡର ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ପୂର୍ବରୁ ଲାଗୁ ହୋଇସାରିଥିବା କିଛି ପରିବର୍ତ୍ତନ ବ୍ୟତୀତ, ୧ ଜୁଲାଇ ୨୦୨ରୁ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ (Airport Lounge Access) ସହିତ ଜଡ଼ିତ ନୂଆ ନିୟମ ଲାଗୁ ହେବ।

ପ୍ରତି ମାସର ପହିଲା ତାରିଖ ଭଳି ୧ ଜୁଲାଇରେ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏଲ୍ପିଜି ସିଲିଣ୍ଡର, ସିଏନଜି ଏବେ ପିଏନଜି ମୂଲ୍ୟର ସମୀକ୍ଷା କରିବେ। ଏହି ସମୟରେ ଘରୋଇ ଏବଂ ବ୍ୟାବସାୟିକ (କମର୍ସିଆଲ) ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହା ସହିତ ଏୟାର୍‌ ଟରବାଇନ ଫ୍ୟୁଏଲ (ATF) ପାଇଁ ମଧ୍ୟ ନୂଆ ଦର ଜାରି କରାଯିବ, ଯାହାର ବିମାନ ଟିକେଟ ମୂଲ୍ୟ ଉପରେ ବଡ଼ ପ୍ରଭାବ ପଡ଼ିବ।

ୟୁପିଆଇ (UPI) ମାଧ୍ୟମରେ ପ୍ରତ୍ୟାହାର କରାଯାଇପାରିବ ପିଏଫ (PF)
୧ ଜୁଲାଇରୁ ୟୁପିଆଇ ମାଧ୍ୟମରେ ପିଏଫ ଟଙ୍କା ଉଠାଇବା ଏଟିଏମରୁ କ୍ୟାଶ ଉଠାଇବା ଭଳି ସହଜ ହୋଇଯିବ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଜୁଲାଇ ମାସରେ ନିଜର ନୂଆ ଡିଜିଟାଲ ପ୍ଲାଟଫର୍ମ ‘EPFO 3.0’ ଲଞ୍ଚ କରିବାକୁ ଯାଉଛି ବୋଲି ଆଶା କରାଯାଉଛି।

ବିଦେଶ ମନ୍ତ୍ରଣାଳୟ ଏକ ଦଶନ୍ଧିରୁ ଅଧିକ ସମୟ ପରେ ପାସପୋର୍ଟ ଫି’ରେ ବଡ଼ ଧରଣର ବୃଦ୍ଧି କରିଛି। ୧ ଜୁଲାଇରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, ୩୬-ପୃଷ୍ଠା ବିଶିଷ୍ଟ ନୂଆ କିମ୍ବା ପୁନଃ-ଜାରି (ରି-ଇସ୍ୟୁ) ପାସପୋର୍ଟର ଫି’ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହେବ। ଅର୍ଥାତ୍‌ ଏଥିରେ ସିଧାସଳଖ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି, ତତ୍କାଳ ସେବା (Tatkal Service) ପାଇଁ ଏବେ ପୂର୍ବର ୩୫୦୦ ଟଙ୍କା ବଦଳରେ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ୬୦-ପୃଷ୍ଠା ବିଶିଷ୍ଟ ଜମ୍ବୋ ପାସପୋର୍ଟର ଫି’ ମଧ୍ୟ ବୃଦ୍ଧି କରାଯାଇ ୬୦୦୦ଟଙ୍କା ପର୍ଯ୍ୟନ୍ତ କରାଯିବ।

୧ ଜୁଲାଇରୁ ବିନା ଟିକେଟରେ ଯାତ୍ରା କଲେ ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ, ଜରିମାନା ରାଶିକୁ ୨୫୦ ଟଙ୍କାରୁ ବୃଦ୍ଧି କରି ୫୦୦ ଟଙ୍କା କରାଯାଉଛି। ଏହା ସହିତ ଏବେଠାରୁ ଯଦି କୌଣସି ପୁରୁଷ ଯାତ୍ରୀ ମହିଳା କୋଚରେ ଯାତ୍ରା କରୁଥିବା ଜଣାପଡ଼ନ୍ତି, ତେବେ ତାଙ୍କ ଉପରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ।

UIDAI ନାଗରିକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ୧ ଜୁଲାଇରୁ ଆସନ୍ତା ଛଅ ମାସ ପାଇଁ ଆଧାର ଅପଡେଟ୍‌କୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛି। ପୂର୍ବରୁ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର ଏବଂ ଇମେଲ ବଦଳାଇବା ପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା।

Odisha’s No.1 Odia Daily