ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

Jun 30, 2026 - 08:43
ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜନବିଶ୍ୱାସ-୨.୦ ଅଭିଯାନ ଆରମ୍ଭ ହୋଇଛି। ପୂର୍ବରୁ ବିଭିନ୍ନ ଲଘୁ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଆପରାଧିକ ମାମଲା ରୁଜୁ ହେଉଥିଲା, ମାତ୍ର ଜନବିଶ୍ୱାସ-୨.୦ କାର୍ଯ୍ୟକାରୀ ହେଲେ କେତେକ କ୍ଷେତ୍ରରେ ଅଧିକ ଜରିମାନା ଦେଇ ଏହାର ସମାଧାନ କରିବାର ବ୍ୟବସ୍ଥା ହେବ। ତେବେ ପ୍ରଚଳିତ ଆଇନରେ ଷଣ୍ଢକୁ ବିନା ଲାଇସେନ୍ସରେ ପ୍ରଜନନ କ୍ଷେତ୍ରରେ ବ୍ୟବହାର କରାଗଲେ ଏହାକୁ ଅପରାଧ ଭାବେ ଧରାଯିବା ସହିତ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଥିଲା। ମାତ୍ର ରାଜ୍ୟ ସରକାର ଜନବିଶ୍ୱାସ-୨.୦ରେ ଏହି ଆଇନରେ ସୁଧାର ଆଣିବାକୁ ଯାଉଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଷଣ୍ଢକୁ ବିନା ଲାଇସେନ୍ସରେ ଯଦି କେହି ପ୍ରଜନନ କାର୍ଯ୍ୟରେ ବ୍ୟବହାର କରନ୍ତି ତେବେ ସେକ୍ଷେତ୍ରରେ ୧୦ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ତେବେ ରାଜ୍ୟରେ ୧୧ଟି ବିଭାଗରେ ଜନବିଶ୍ୱାସ-୨.୦ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏହା କେତେଦୂର ଠିକ୍‌ ରହିବ ତାହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ଖସଡ଼ା ପ୍ରସ୍ତୁତ କରାଯିବାକୁ ରହିଛି। ଏନେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଶର୍ମାଙ୍କ ଅଧ୍ୟକ୍ଷତାରେ ଜୁନ୍‌ ୨୩ରୁ ୨୫ ତାରିଖ ମଧ୍ୟରେ ସମବାୟ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ, ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ଜଳସମ୍ପଦ, ଶକ୍ତି, ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ଏବଂ ଅଗ୍ନିଶମ-ଡିଜିଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ଆଇନ ପରିବର୍ତ୍ତନ ଓ ଏହାର କାର୍ଯ୍ୟକାରିତା ନେଇ ତର୍ଜମା କରାଯାଇଥିଲା। ଏହାଦ୍ୱାରା ଆଗାମୀ ଦିନରେ ଜନବିଶ୍ୱାସ-୨.୦ ଲୋକଙ୍କ ପାଇଁ ଅଧିକ ସହଜ ହେବା ନେଇ ସରକାରଙ୍କ ଲକ୍ଷ୍ୟ ରହିଛି।
ବୈଠକରୁ ଜଣାଯାଇଛି, ଓଡ଼ିଶା ପ୍ରାଣିଧନ ସଂଶୋଧନ ଆଇନ-୧୯୫୭ ଅନୁଯାୟୀ, କୌଣସି ବ୍ୟକ୍ତି ଏହି ଆଇନର ଉଲ୍ଲଂଘନ କରି ଷଣ୍ଢକୁ ପ୍ରଜନନ କାର୍ଯ୍ୟରେ ବ୍ୟବହାର କରନ୍ତି, ଧାରା ୯ କିମ୍ବା ୧୨ ନିର୍ଦ୍ଦେଶ ପାଳନ କରେ ନାହିଁ, ତେବେ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡନୀୟ ହେବେ। ପୁରୁଣା ଆଇନରେ ପ୍ରଥମ ଅପରାଧ ପାଇଁ ସର୍ବାଧିକ ୫୦ ଟଙ୍କା ଜରିମାନା ଏବଂ ୨ୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ ସର୍ବାଧିକ ୧୦୦ ଟଙ୍କା ଜରିମାନା ରହିଥିବାବେଳେ ସଂଶୋଧିତ ଆଇନରେ ପ୍ରଥମ ଅପରାଧ ପାଇଁ ସର୍ବନିମ୍ନ ୧୦,୦୦୦ରୁ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ଏହି ଆଇନ ଅନୁସାରେ କୌଣସି ଆପରାଧିକ କ୍ଷେତ୍ରରେ ଅଦାଲତ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଯଦି ପ୍ରାଧିକୃତ ଅଧିକାରୀ କିମ୍ବା ତାଙ୍କ ଦ୍ୱାରା ଅନୁମୋଦିତ ବ୍ୟକ୍ତିଙ୍କ ଅଭିଯୋଗ ନ ଥାଏ। ମାତ୍ର ଆଇନର ସଂଶୋଧନ ପରେ ଏହି ବ୍ୟବସ୍ଥାକୁ ବାଦ୍‌ ଦିଆଯିବ। ସେହିପରି ରାଜ୍ୟ ସରକାର ଉପ-ଧାରା (୧) କିମ୍ବା (୨) ଅନୁସାରେ ନିୟମ ତିଆରି କରିପାରିବେ ଏବଂ ସେହି ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ଅଧିକ ଦଣ୍ଡ ଦିଆଯାଇପାରିବ। ପୂର୍ବରୁ ସର୍ବାଧିକ ୫୦ ଟଙ୍କା ଜରିମାନା ରହିଥିବାବେଳେ ସଂଶୋଧିତ ଆଇନରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡିତ କରାଯାଇପାରିବ। ସେହିପରି ଅନ୍ୟ ସମସ୍ତ ବିଭାଗର ବିଭିନ୍ନ ଆଇନର ତର୍ଜମା କରାଯିବା ସହ ତାକୁ ନେଇ ଖସଡ଼ା ପ୍ରସ୍ତୁତ କରାଯିବ।

 

Dharitri – Odisha’s No.1 Odia Daily