ଶିକ୍ଷାମନ୍ତ୍ରୀଙ୍କ ନାଁରେ ମିଥ୍ୟା ପ୍ରଚାର ଘଟଣା, ଫୋକସ୍ ପ୍ଲସ୍ ଅଫିସ୍କୁ ସିଲ୍ କଲା ପୁଲିସ
ଭୁବନେଶ୍ୱର,୨୦/୦୭: ସୋସିଆଲ ମିଡିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତଙ୍କ ପାଇଁ ମହଙ୍ଗା ପଡିଛି । କ୍ୟାପିଟାଲ୍ ଥାନା ପୁଲିସ୍ ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସ୍ରେ ଚଢ଼ଉ କରିବା ସହ ଅଫିସ୍କୁ ସିଲ୍ କରିଛି । ସେଠାରୁ କିଛି କାଗଜପତ୍ର ଜବତ କରିଛି ପୁଲିସ୍ ।
ଗତ ୧୨ ତାରିଖରେ ଏକ ସଙ୍ଗଠନ ପକ୍ଷରୁ ବାପୁଜୀନଗରରେ ଥିବା ଏକ ହୋଟେଲ୍ରେ ଏକ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ଫୋକସ୍ ପ୍ଲସ୍ ଟିଭିର ମୁଖ୍ୟ ସୁଧାଂଶୁ ରାଉତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଧାଂଶୁ କହିଥିଲେ, ଆମ ଉମରକୋଟ ରିପୋର୍ଟର ପ୍ରୀତିରଞ୍ଜନ ଦାସଙ୍କ ମାଧ୍ୟମରେ ମୋତେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫୋନ୍ କରି ବହି ତ୍ରୁଟି ବିରୋଧରେ ନ୍ୟୁଜ୍ ନ କରିବା ପାଇଁ ଟଙ୍କା ଅଫର କରୁଥିଲେ । ସୁଧାଂଶୁଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହା ବିରୋଧରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍ଡ଼ି ଥିବା ଆଶିଷ କୁମାର ଭୋଇ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ରିପୋର୍ଟର ପ୍ରୀତିରଞ୍ଜନଙ୍କ ବୟାନ ରେକର୍ଡ କରିଥିଲା । ପୁଲିସ୍ ରବିବାର ବରମୁଣ୍ଡା ଗାଁରେ ଥିବା ଫୋକସ୍ ପ୍ଲସ୍ ଅଫିସ୍ରେ ଚଢ଼ଉ କରିଥିଲା ।
କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତିି, ମିଥ୍ୟା ପ୍ରଚାର ନେଇ ଅଭିଯୋଗ ହୋଇଥିଲା । ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିଲା । ସୁଧାଂଶୁ ତଦନ୍ତରେ ସହଯୋଗ କରିବା ବଦଳରେ ଫେରାର ହୋଇଯାଇଛନ୍ତି । ଆଜି ତାଙ୍କ ଅଫିସ୍ରେ ଚଢ଼ଉ କରାଯାଇଛି ବହୁ କାଗଜ ପତ୍ର ଜବତ କରାଯିବା ସହ ଅଫିସ୍କୁ ସିଲ୍ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।