ରେଳ ଟ୍ରାକ୍ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍
ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍ ଉପରେ ପ୍ରାୟ ଦୁଇ ଫୁଟ ବର୍ଷା ପାଣି ଜମିଯିବାରୁ କୋରାପୁଟ–ବିଶାଖାପାଟଣମ୍ ଯାତ୍ରୀବାହୀ ଟ୍ରେନ୍ ପ୍ରାୟ ଦୁଇ ଘଣ୍ଟା ଧରି ଅଟକି ରହିଛି। ଏଥିଯୋଗୁ ଟ୍ରେନ୍ରେ ଥିବା ଶତାଧିକ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଭୋରରୁ ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ବର୍ଷାଜଳ ଟିକିରି ଷ୍ଟେଶନ୍ ନିକଟ ରେଳ ଟ୍ରାକ୍ ଉପରେ ଜମିଛି। ସେହିପରି ଟ୍ରାକ୍ ପାର୍ଶ୍ୱରେ ଥିବା ଡ୍ରେନ୍ର ପାଣି ମଧ୍ୟ ରେଳଧାରଣା ଉପରକୁ ଚଢ଼ି ଆସିବାରୁ ଟ୍ରାକ୍ରେ ପ୍ରାୟ ଦୁଇ ଫୁଟ ପାଣି ଜମା ହୋଇଥିଲା।
ଏହାର ପ୍ରଭାବରେ ସକାଳ ପ୍ରାୟ ୧୦ଟାରୁ ଟିକିରି ଷ୍ଟେସନ୍ରେ କୋରାପୁଟ–ବିଶାଖାପାଟଣମ୍ ଯାତ୍ରୀବାହୀ ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ଦିନ ୧୨ଟା ସୁଦ୍ଧା ରାୟଗଡ଼ାରେ ପହଞ୍ଚିବାକୁ ଥିବା ଟ୍ରେନ୍ ପ୍ରାୟ ଦୁଇ ଘଣ୍ଟା ଧରି ଟିକିରି ଷ୍ଟେସନ୍ରେ ଅଟକି ରହିଥିଲା। ପରେ ଦିନ ପ୍ରାୟ ୧୨ଟା ୧୫ ମିନିଟ୍ରେ ଟ୍ରେନ୍ଟି ରାୟଗଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ରାଉଳୀ ଷ୍ଟେସନ୍ ନିକଟରେ ମଧ୍ୟ ରେଳ ଟ୍ରାକ୍ ଉପରେ ବର୍ଷା ପାଣି ଜମିଥିବା ଜଣାପଡ଼ିଛି। ଘଟଣା ପରେ ରେଳବାଇର ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।ବର୍ଷା କମିବା ସହ ଟ୍ରାକ୍ରୁ ପାଣି ହଟିବା ପରେ ସୁରକ୍ଷା ଯାଞ୍ଚ କରାଯିବ। ଯାଞ୍ଚରେ ସବୁକିଛି ସ୍ୱାଭାବିକ ଥିବା ନିଶ୍ଚିତ ହେବା ପରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ କରାଯିବ ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।