ରାୟଗଡ଼ା ସ୍କୁଲରେ ରାଗିଂ: ଜୁନିଅର ପିଲାଙ୍କୁ ଆକ୍ରମଣ ଘଟଣାରେ ୭ ଜଣ ଦଶମ ଶ୍ରେଣୀ ଛାତ୍ର ବହିଷ୍କୃତ

Aug 06, 2026 - 13:19
ରାୟଗଡ଼ା ସ୍କୁଲରେ ରାଗିଂ: ଜୁନିଅର ପିଲାଙ୍କୁ ଆକ୍ରମଣ ଘଟଣାରେ ୭ ଜଣ ଦଶମ ଶ୍ରେଣୀ ଛାତ୍ର ବହିଷ୍କୃତ

ରାୟଗଡ଼ା: ରାୟଗଡ଼ାର କୋଲନରା ବ୍ଲକ୍ ଅନ୍ତର୍ଗତ ରିଭାଲକାନା ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା ଜୁନିଅର ପିଲାମାନଙ୍କୁ ରାଗିଂ ଏବଂ ଆକ୍ରମଣ କରିବା ଅଭିଯୋଗରେ ୭ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ କର୍ତ୍ତୃପକ୍ଷ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ବୁଧବାର ଦିନ ୧୦୦ରୁ ଅଧିକ ଅଭିଭାବକ ସ୍କୁଲ ପରିସରରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଘଟଣାରେ ସମ୍ପୃକ୍ତ ଛାତ୍ରମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସହିତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ (DWO) ଅସୀମା ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ।

ସୂଚନା ଅନୁଯାୟୀ, ଜଣେ ଦଶମ ଶ୍ରେଣୀ ଛାତ୍ର ଓ ତାଙ୍କ ସହଯୋଗୀମାନଙ୍କ ଅସଦାଚରଣ ନେଇ ନବମ ଶ୍ରେଣୀର ଛାତ୍ରମାନେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କଠାରୁ ତାଗିଦ୍ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଛାତ୍ରମାନେ ସାନ ପିଲାଙ୍କ ଉପରେ ହଷ୍ଟେଲରେ ସଂଘବଦ୍ଧ ଆକ୍ରମଣ କରିଥିଲେ। 

ପୂର୍ବରୁ ଏହି ଘଟଣାରେ ଜଣେ ଛାତ୍ରଙ୍କୁ ବହିଷ୍କାର କରାଯିବା ସହ ଅନ୍ୟ ୬ ଜଣଙ୍କ ନାମରେ ପୋଲିସରେ ଅଭିଯୋଗ ହୋଇଥିଲା। ଆକ୍ରମଣ ପରେ ଅଭିଯୁକ୍ତ ୭ ଜଣ ଛାତ୍ର ନିକଟସ୍ଥ ପାହାଡ଼କୁ ଫେରାର ହୋଇଯାଇଥିଲେ, କିନ୍ତୁ ପରେ ପରିସ୍ଥିତି କିଛି ମାତ୍ରାରେ ଶାନ୍ତ ପଡ଼ିବାରୁ ସେମାନେ ଫେରି ଆସିଥିଲେ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଅଭିଯୁକ୍ତ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAKALA - ସକାଳ ଦେଖନ୍ତୁ।