ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର

Jun 26, 2026 - 18:40

ନୂଆଦିଲ୍ଲୀ: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ‘ପ୍ରତି ପରିବାର’ ଆଧାରରେ ରାସନ ବଣ୍ଟନ କରାଯାଉଥିଲା, କିନ୍ତୁ ସରକାର ଏହାକୁ ବଦଳାଇ ‘ପ୍ରତି ବ୍ୟକ୍ତି’ ଆଧାରରେ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ନୂଆ ପ୍ରସ୍ତାବ ଅନୁଯାୟୀ, ଅନ୍ତ୍ୟୋଦୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୭ କିଲୋଗ୍ରାମ ଶସ୍ୟ ମିଳିବ, ତେବେ ଯେକୌଣସି ପରିବାର ପାଇଁ ମୋଟ ରାସନର ସର୍ୱାଧିକ ସୀମା ପ୍ରତି ମାସରେ ୩୫ କିଲୋଗ୍ରାମ ହିଁ ରହିବ। ସରକାରଙ୍କ ଦାବି ଅନୁଯାୟୀ, ଏହାଦ୍ୱାରା ରାସନ ବଣ୍ଟନରେ ଥିବା ଅସମାନତା ଦୂର ହେବ ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ଅଧିକ ନ୍ୟାୟସଙ୍ଗତ ଭାବେ ଶସ୍ୟ ପହଞ୍ଚିପାରିବ।

ଭାରତର ସାର୍ୱଜନୀନ ବିତରଣ ପ୍ରଣାଳୀ (PDS) ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା ଯୋଜନାଗୁଡ଼ିକ ମଧ୍ୟରୁ ଏକ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା କିମ୍ୱା ଅତ୍ୟନ୍ତ ଶସ୍ତା ଦରରେ ରାସନ ଯୋଗାଇ ଦିଆଯାଉଛି। ଏଥିରେ ଦୁଇଟି ପ୍ରମୁଖ ଶ୍ରେଣୀ ରହିଛି- ପ୍ରାଥମିକତା ପ୍ରାପ୍ତ ପରିବାର (PHH) ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)। PHH ଶ୍ରେଣୀର ଲୋକଙ୍କୁ ପ୍ରତି ବ୍ୟକ୍ତି ପିଛା ୫ କିଲୋ ଶସ୍ୟ ମିଳୁଥିବାବେଳେ, AAY ଅଧୀନରେ ଏପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ୩୫ କିଲୋ ଶସ୍ୟ ଦିଆଯାଉଛି। ଦେଶରେ ପ୍ରାୟ ୨.୫ କୋଟି ପରିବାର ଅନ୍ତ୍ୟୋଦୟ ଯୋଜନା ପରିସରଭୁକ୍ତ, ଯାହାଙ୍କୁ ସରକାର ସବୁଠାରୁ ଗରିବ ଏବଂ ସବୁଠାରୁ ଅଧିକ ଅଭାବୀ ଶ୍ରେଣୀ ବୋଲି ବିବେଚନା କରନ୍ତି।

ସରକାରଙ୍କ ଅନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥାରେ ଏକ ବଡ଼ ବିସଙ୍ଗତି ରହିଛି। ଏବେ ଯଦି କୌଣସି ପରିବାରରେ କେବଳ ଦୁଇ ଜଣ ସଦସ୍ୟ ଅଛନ୍ତି, ତେବେ ମଧ୍ୟ ସେମାନଙ୍କୁ ୩୫ କିଲୋ ରାସନ ମିଳୁଛି। ଅର୍ଥାତ ପ୍ରତି ବ୍ୟକ୍ତି ପିଛା ପ୍ରାୟ ୧୭.୫ କିଲୋ ଶସ୍ୟ। ଅନ୍ୟପଟେ ଯଦି ଗୋଟିଏ ପରିବାରରେ ଛଅ ଜଣ ସଦସ୍ୟ ଅଛନ୍ତି, ତେବେ ସେମାନଙ୍କୁ ମଧ୍ୟ କେବଳ ୩୫ କିଲୋ ହିଁ ମିଳୁଛି, ଅର୍ଥାତ ପ୍ରତି ବ୍ୟକ୍ତି ପିଛା ପ୍ରାୟ ୫.୮ କିଲୋ ଶସ୍ୟ। ଏହାର ଅର୍ଥ ହେଉଛି ଗୋଟିଏ ଯୋଜନା ମଧ୍ୟରେ ଛୋଟ ପରିବାରଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ଏବଂ ବଡ଼ ପରିବାରଗୁଡ଼ିକୁ ତୁଳନାତ୍ମକ ଭାବେ କମ ରାସନ ମିଳୁଥିଲା। ସରକାରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା “ଇଣ୍ଟ୍ରା-କ୍ୟାଟେଗୋରୀ ଇନଇକ୍ୱିଟି” ଅର୍ଥାତ ଏକା ଶ୍ରେଣୀର ହିତାଧିକାରୀଙ୍କ ମଧ୍ୟରେ ଅସମାନତା ସୃଷ୍ଟି ହେଉଥିଲା। ନୂଆ ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଏହି ଅସମାନତାକୁ ଦୂର କରିବା।

ସରକାରଙ୍କ ସବୁଠାରୁ ବଡ଼ ଯୁକ୍ତି ହେଉଛି, ଏହାଦ୍ୱାରା ରାସନ ବଣ୍ଟନ ଅଧିକ ନ୍ୟାୟସଙ୍ଗତ ହେବ। ଯେଉଁ ପରିବାରରେ ଚାରି କିମ୍ୱା ପାଞ୍ଚ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କୁ ଏବେ ସ୍ପଷ୍ଟ ଭାବେ ପ୍ରତି ବ୍ୟକ୍ତି ହିସାବରେ ର୍ନିଦ୍ଧାରିତ ପରିମାଣ ମିଳିବ। ଏହାଦ୍ୱାରା ରାସନ ବଣ୍ଟନକୁ ନେଇ ସୱଚ୍ଛତା ମଧ୍ୟ ବୃଦ୍ଧି ପାଇବ।

ଏହାର ଦୁଇଟି ଦିଗ ରହିଛି। ପ୍ରଥମତଃ, ଛୋଟ ପରିବାରଗୁଡ଼ିକ ପାଇଁ ଏହି ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହୋଇପାରେ କାରଣ ସେମାନଙ୍କୁ ପୂର୍ୱ ଅପେକ୍ଷା କମ ରାସନ ମିଳିବ। ଉଦାହରଣ ସୱରୂପ, ତିନି ଜଣ ସଦସ୍ୟ ଥିବା ପରିବାରକୁ ପୂର୍ୱରୁ ୩୫ କିଲୋ ମିଳୁଥିଲା, କିନ୍ତୁ ଏବେ କେବଳ ୨୧ କିଲୋ ମିଳିବ। ଅନ୍ୟପଟେ, ପାଞ୍ଚ ଜଣ ସଦସ୍ୟ ଥିବା ପରିବାରର କୌଣସି କ୍ଷତି ହେବ ନାହିଁ କାରଣ ସେମାନଙ୍କୁ ପୂର୍ୱଭଳି ୩୫ କିଲୋ ମିଳିବ। ତେବେ ଛଅ, ସାତ କିମ୍ୱା ତା’ଠାରୁ ଅଧିକ ସଦସ୍ୟ ଥିବା ପରିବାରକୁ ମଧ୍ୟ ସର୍ୱାଧିକ ୩୫ କିଲୋ ହିଁ ମିଳିବ। ଏଭଳି ସ୍ଥିତିରେ ବଡ଼ ପରିବାରଗୁଡ଼ିକର ସମସ୍ୟା ସମ୍ପୂର୍ଣ୍ଣ ରୂପେ ସମାଧାନ ହେବ ନାହିଁ, କାରଣ ୬ କିମ୍ୱା ୭ ଜଣ ସଦସ୍ୟଙ୍କ ମଧ୍ୟରେ ୩୫ କିଲୋର ବଣ୍ଟନ ଏବେ ମଧ୍ୟ ପ୍ରତି ବ୍ୟକ୍ତି ୫ କିଲୋରୁ ସାମାନ୍ୟ ଅଧିକ ହିଁ ରହିବ।